ଶେଷରେ ମାନିଲେ ନଓ୍ଵାଜ ସରିଫ୍‌

ମୁମ୍ବାଇ ଆକ୍ରମଣ ପଛରେ ପାକିସ୍ତାନ

ଇସଲାମାବାଦ: ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିବା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପାକିସ୍ତାନୀ ଆତଙ୍କବାଦୀ ହିଁ ଘଟାଇଥିଲେ। ଗାଦିଚ୍ୟୁତ ହେବାର ଦୀର୍ଘ ୮ ମାସ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ଏହା ସ୍ୱୀକାର କରିଛନ୍ତି। ସରିଫ ଏହା ମଧ୍ୟ କହିଛନ୍ତି ଯେ,ପାକିସ୍ତାନ ସରକାର ଚାହିଥିଲେ ଏଭଳି ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ରୋକା ଯାଇ ପାରିଥାନ୍ତା। ପାକିସ୍ତାନର ‘ ଦି ଡାନ୍‌’ ଖବର କାଗଜକୁ ସାକ୍ଷାତକାର ଦେଇ ସରିଫ୍‌ ଏହା କହିଛନ୍ତି। ସରକାର ଆତଙ୍କବାଦ ବିରୋଧରେ ସଂଗ୍ରାମର ମିଛ ବାହାନା ନକରି ଅସଲରେ ଆତଙ୍କବାଦ ଲୋପ କରିପାରିଲେ ସାରା ବିଶ୍ୱରେ ପାକିସ୍ତାନ ନିଜର ଛବି ବଦଳାଇବାରେ ସକ୍ଷମ ହୋଇପାରନ୍ତା ବୋଲି ସେ କହିଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ବିଶ୍ୱାସ ହରାଇ ବସିଛି ବୋଲି ସ୍ୱୀକାର କରି ସରିଫ୍‌ କହିଛନ୍ତି ଯେ ଏବେ ବି ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଛନ୍ତି। ମୁମ୍ବାଇ ଆକ୍ରମଣ ଘଟଣାର ଶୁଣାଣି ସ୍ୱାଭାବିକ ଭାବେ କାହିଁକି ହୋଇପାରୁ ନାହିଁ ବୋଲି ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ ଏହି ଘଟଣାର ମାଷ୍ଟର ମାଇଣ୍ଡ ହାଫିଜ ସୟିଦ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଭାରତ ସରକାର ଦାବି କରି ଆସିଥିଲେ ମଧ୍ୟ ପାକିସ୍ତାନ ଏହାକୁ ପ୍ରତ୍ୟାଖ୍ୟାନ କରୁଛି। ପାକିସ୍ତାନରେ ସମାନ୍ତରାଳ କ୍ଷମତାକେନ୍ଦ୍ର ଚଳାଇବାରେ ଆତଙ୍କବାଦୀ ସମର୍ଥ ହେଉଛନ୍ତି ବୋଲି ମତଦେଇ ସରିଫ୍‌ କହିଛନ୍ତି ଯେ ଏଭଳି ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରି ମୁମ୍ବାଇ ଭଳି ସହରରେ ୧୫୦ରୁ ଅଧିକ ଲୋକଙ୍କୁ ହତ୍ୟା କରିବାକୁ ପାକିସ୍ତାନ ସୁଯୋଗ ଦେବା ଉଚିତ ନଥିଲା। ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନ ମୁମ୍ବାଇରେ ଆକ୍ରମଣ କରିବା ନେଇ ଭାରତ ସରକାର ସବୁବେଳେ ପ୍ରମାଣ ଉପସ୍ଥାପନ କରି ଆସୁଥିଲେ ମଧ୍ୟ ପାକିସ୍ତାନ ଏହାକୁ ପ୍ରତ୍ୟାଖ୍ୟାନ କରୁଥିଲା। ଏହି ମାମଲାରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବୀ ସତ୍ୟ ଓ ତଥ୍ୟକୁ ଗ୍ରହଣ କରିବାରୁ ଗତ ମାସରେ ପାକିସ୍ତାନ ସରକାର ତାଙ୍କୁ ମାମଲାରୁ ହଟାଇ ଦେଇଥିଲେ। ତେବେ ଆଜି ନଓ୍ଵାଜ ସରିଫ୍‌ ଏ ବାବଦ ରହସ୍ୟ ଉନ୍ମୋଚନ କରିଥିବାରୁ ଏହାକୁ ନେଇ ପାକିସ୍ତାନରେ ଆଲୋଡ଼ନ ସୃଷ୍ଟି ହୋଇଛି । ମୁମ୍ବାଇ ଆକ୍ରମଣ ମାମଲାକୁ ୧୦ ବର୍ଷ ହୋଇ ଯାଇଥିବା ବେଳେ ପାକିସ୍ତାନ ସରକାର ଏବେ ସୁଦ୍ଧା ଜଣେ ହେଲେ ବି ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହାନ୍ତି। ଏବେ ନଓ୍ଵାଜଙ୍କ ବୟାନକୁ ନେଇ ପାକିସ୍ତାନରେ ଆଲୋଡ଼ନ ସୃଷ୍ଟି ହୋଇଛି ।

୨୬/୧୧ ଆକ୍ରମଣ

ନୂଆଦିଲ୍ଲୀ: ୨୦୦୮ ମସିହା ନଭେମ୍ବର ୨୬ ତାରିଖ ଦିନ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସହରକୁ ସମୁଦ୍ର ପଥ ଦେଇ ପାକିସ୍ତାନରୁ ୧୦ ଜଣ ଲସ୍କର-ଏ-ତୋଇବା ଆତଙ୍କବାଦୀ ପ୍ରବେଶ କରିଥିଲେ। ୪ଟି ଦଳରେ ବିଭକ୍ତ ହୋଇ ଆତଙ୍କବାଦୀ ମାନେ ଦୀର୍ଘ ୩ ଦିନ ଧରି ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରିବା ସହ, ସ୍ୱୟଂ ଚାଳିତ ବନ୍ଧୁକ, ରାଇଫଲ ଓ ଗ୍ରେନେଡ ମାଡ କରି ମୃତ୍ୟୁର ତାଣ୍ଡବ ଲୀଳା ସୃଷ୍ଟି କରିଥିଲେ। ଏହି ଆକ୍ରମଣରେ ମୋଟ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଶହରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଦକ୍ଷିଣ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ, ଦ ଓବରୋଇ ଟ୍ରାଇଡେଣ୍ଟ, ତାଜ ପ୍ୟାଲେସ୍‌, ଲିଓପୋଲ୍ଡ କାଫେ, ନରିମାନ ହାଉସ, ମେଟ୍ରୋ ସିନେମା, ସେଣ୍ଟ ଜାଭିଅର କଲେଜ ଓ କାମା ହସ୍ପିଟାଲରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ମାଜାଗାଓଁ, ମୁମ୍ବାଇର ବନ୍ଦର ଓ ଭିଲେ ପାର୍ଲେ ଅଞ୍ଚଳରେ ବିସ୍ଫୋରଣ ମଧ୍ୟ କରିଥିଲେ। ୨୯ ତାରିଖ ଦିନ ଆତଙ୍କବାଦୀଙ୍କ ନିପାତ ପାଇଁ ଏନ୍‌ଏସ୍‌ଜିର ବ୍ଲାକ୍‌ କ୍ୟାଟ୍‌ କମାଣ୍ଡୋଙ୍କୁ ପଠାଯାଇଥିଲା। ଏହି ଘଟଣାରେ ଅନ୍ୟ ୯ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ କୁଖ୍ୟାତ ଆତଙ୍କବାଦୀ ଅଜମଲ କସାବକୁ ଗିରଫ କରାଯାଇଥିଲା। କସାବକୁ ୨୦୧୨ ମସିହାରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସଇଦ ଏବଂ ଜାକିଉର ରହମାନ ଲକ୍‌ଭୀ ପାକିସ୍ତାନରୁ ହିଁ ଏହି ଆକ୍ରମଣ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ପାକିସ୍ତାନ ସରକାରଙ୍କୁ ଏହି ଘଟଣା ପାଇଁ ଭାରତ ସରକାର ଦାୟୀ କରିଥିଲେ। କିନ୍ତୁ ପାକିସ୍ତାନ ସରକାର ଭାରତୀୟ ଅପରାଧୀ ଓ ବାଂଲାଦେଶୀ ଆତଙ୍କବାଦୀଙ୍କ ଉପରେ ଦୋଷ ଲଦିଥିଲେ।

ସମ୍ବନ୍ଧିତ ଖବର