କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ : ପୁଲୱାମାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍‌ର ଆତ୍ମଘାତୀ ଆକ୍ରମଣ ଏବଂ ବାଲାକୋଟରେ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନ ପରେ ଦୁଇ ଦେଶ ମଧ୍ୟରେ ବଡ଼ ଧରଣର ଉତ୍ତେଜନା ଦେଖାଦେଇଥିଲା ଏବଂ ଉଭୟ ରାଷ୍ଟ୍ର ପରସ୍ପର ଉପରକୁ କ୍ଷେପଣାସ୍ତ୍ର ମାଡ଼ ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ଦୁଇ ପଡ଼ୋଶୀ ରାଷ୍ଟ୍ର ଏଥି ପାଇଁ ନିଜର ଅତ୍ୟାଧୁନିକ କ୍ଷେପଣାସ୍ତ୍ରଗୁଡ଼ିକୁ ସଜାଗ କରି ରଖିଥିଲେ ବୋଲି କେତେକ ‌କୂଟନୈତିକ ରିପୋର୍ଟରୁ ଜଣାପଡ଼ିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ନିୟନ୍ତ୍ରଣ ବାହାରକୁ ଯାଉଥିବା ସମୟରେ ଆମେରିକାର ଜାତୀୟ ନିରାପତ୍ତା ଉପଦେଷ୍ଟା ଜନ୍‌ ବୋଲ୍‌ଟନ୍‌ ଏବଂ ଅନ୍ୟ ଆମେରିକୀୟ ଅଧିକାରୀମାନଙ୍କ ହସ୍ତକ୍ଷେପ ଫଳରେ ଏକ ବଡ଼ ଯୁଦ୍ଧକୁ ଅଟକାଇ ଦିଆଯାଇପାରିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ଗୋଟିଏ ସମୟରେ ଭାରତ ପାକିସ୍ତାନ ଉପରକୁ ୬ଟି କ୍ଷେପଣାସ୍ତ୍ର ଛାଡ଼ିବ ବୋଲି ଧମକ ଦେଇଥିଲା ଏବଂ ଏହାର ଜବାବରେ ପାକିସ୍ତାନ ତିନିଗୁଣ କ୍ଷେପଣାସ୍ତ୍ର ମାଡ଼ କରିବ ବୋଲି ଧମକ ଦେଇଥିବା ସମ୍ପର୍କରେ ଦିଲ୍ଲୀ, ଇସ୍‌ଲାମାବାଦ୍‌ ଏବଂ ଵାସିଂଟନ୍‌ସ୍ଥିତ କୂଟନୈତିକ ଏବଂ ସରକାରୀ ସୂତ୍ରରୁ ଜଣାପଡ଼ିଛି। ପରିସ୍ଥିତିକୁ ଦେଖି ଆମେରିକା ଅତ୍ୟନ୍ତ ତତ୍ପରତାର ସହ ଉଭୟ ରାଷ୍ଟ୍ର ସହ ଆଲୋଚନା ଆରମ୍ଭ କରିଥିଲା ଏବଂ ଏହା ସଫଳ ହୋଇଥିଲା। ଫେବ୍ରୁଆରି ୨୭ରେ ପାକିସ୍ତାନ ଯୁଦ୍ଧ ବିମାନ ଭାରତୀୟ ସେନା ପ୍ରତିଷ୍ଠାନକୁ ଟାର୍ଗେଟ କରିବାକୁ ପ୍ରୟାସ କରିବା ପରେ ସ୍ଥିତି ଅଣାୟତ୍ତ ହୋଇଉଠିଥିଲା ବୋଲି ରିପୋର୍ଟରେ କୁହାଯାଇଛି ।

ସମ୍ବନ୍ଧିତ ଖବର