ପାକ ବିଶେଷଜ୍ଞଙ୍କ ଦାବି : ମହାକାଶ ଗବେଷଣା କ୍ଷେତ୍ରରେ ଭାରତଠାରୁ ପାକିସ୍ତାନ ଆଗୁଆ, ହସରେ ଉଡାଇଲେ ଲୋକେ

ନୂଆଦିଲ୍ଲୀ : ନିକଟରେ ଚୀନ ନିଜର ବନ୍ଧୁରାଷ୍ଟ୍ର ପାକିସ୍ତାନ ପାଇଁ ଦୁଇଟି କ୍ରୁତ୍ରିମ ଉପଗ୍ରହ ମହାକାଶକୁ ଛାଡିଥିବା ଆପଣ ଜାଣିଥିବେ । ସାରା ବିଶ୍ୱରେ ଲୋକେ ଜାଣିଛନ୍ତି ଯେ ଚୀନରେ ଉପଗ୍ରହରେ ପାକିସ୍ତାନ ନିଜର ଷ୍ଟାମ୍ପ ମାରି ଛାଡିଛି । କିନ୍ତୁ ପାକିସ୍ତାନ ଲୋକେ ଭାବୁଛନ୍ତି ଯେ ତାଙ୍କ ଦେଶ ମହାକାଶ ଗବେଷଣା କ୍ଷେତ୍ରରେ ବହୁତ ଆଗେଇ ଯାଇଛି । ଏପରିକି ଭାରତକୁ ମଧ୍ୟ ପଛରେ ପକାଦେଇଛି ପାକିସ୍ତାନ । କିନ୍ତୁ ପାକିସ୍ତାନର ଏହି ଦାବିକୁ ନେଇ ସୋସିଆଲ ମିଡିଆରେ ବେଶ ହାସ୍ୟରୋଳ ଉଠିଛି ।

ରେଡିଓ ପାକିସ୍ତାନରେ ପ୍ରସାରିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାକିସ୍ତାନର ଜଣେ ବିଶେଷଜ୍ଞ ରାଜା କାଇଜର କହିଛନ୍ତି ଯେ ଭୂ-ସ୍ଥିର ଉପଗ୍ରହ ଛାଡିବାରେ ପାକିସ୍ତାନ ବିଶ୍ୱର ହାତଗଣତି କେତେକ ଦେଶ ମଧ୍ୟର ସ୍ଥାନ ପାଇଛି । ଏହି ଦୁଇଟି ଉପଗ୍ରହ ପାକିସ୍ତାନ ନିଜସ୍ୱ ଜ୍ଞାନକୌଶଳରେ ନିର୍ମାଣ କରିଛି । ଏପରିକି ପାକିସ୍ତାନର ମହାକାଶ କାର୍ଯ୍ୟକ୍ରମ ଭାରତଠାରୁ ବେଶ ଆଗୁଆ ବୋଲି ସେ କହିଛନ୍ତି ।

ଚୀନ ପାକିସ୍ତାନ ପାଇଁ ଛାଡିଥିବା ଏହି ଦୁଇଟି ସାଟେଲାଇଟର ନାଁ ହେଉଛି ପିଆରଏସଏସ-୧ ଓ ପାକଟେସ-୧ଏ । ଏଗୁଡିକୁ ଚୀନର ଉତ୍ତର-ପଶ୍ଚିମରେ ଥିବା ଜିକୁଆନ ଉପଗ୍ରହ ପ୍ରକ୍ଷେପଣ କେନ୍ଦ୍ରରୁ ପଠାଯାଇଥିଲା । କୃଷି, ପାଣିପାଗ ଓ ଯୋଗାଯୋଗ ପାଇଁ ଏସବୁ ଉପଗ୍ରହ ବ୍ୟବହାର କରାଯିବ ବୋଲି କୁହାଯାଉଥିବାବେଳେ ଏହାର ଗୋପନ ଉଦ୍ଦେଶ୍ୟ ଭାରତ ଉପରେ ନଜର ରଖିବା ବୋଲି ସଂଦେହ କରାଯାଉଛି ।

ସମ୍ବନ୍ଧିତ ଖବର