ପୁଲୱାମା ହମଲା ପରେ ସପ୍ତାହେ ହେଲା ସୀମାରେ ଅଟକି ରହିଛି ଶହ ଶହ ଟ୍ରକ୍ : ଚିନ୍ତାରେ ପାକ୍ ବ୍ୟବସାୟୀ, କୋଟି କୋଟି ଟଙ୍କାର କ୍ଷତି ସହୁଛନ୍ତି 

ପାକିସ୍ତାନରେ ଟମାଟୋ ଦର କିଲୋ ପିଛା ୧୮୦ ଟଙ୍କା ଛୁଇଁଲା

ନୂଆଦିଲ୍ଲୀ : ପୁଲୱାମା ହମଲା ପରେ ବଡ଼ ପରିଣାମ ଭୋଗୁଛି ପାକିସ୍ତାନ। ଭାରତର କଡ଼ା ଆଭିମୁଖ୍ୟ ଦେଖି ଛାନିଆ ହୋଇପଡ଼ିଲାଣି ପାକିସ୍ଥାନ। ଭାରତ ଏପର୍ଯ୍ୟନ୍ତ ପାକିସ୍ଥାନ ଉପରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ କରିନଥିଲେ ମଧ୍ୟ ଆକ୍ରମଣ ଆଶଙ୍କାରେ ହଜିଯାଇଛି ପାକିସ୍ଥାନର ନିଦ। ଜାମ୍ମୁ-କାଶ୍ମୀର ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନକୁ ଅର୍ଥନୈତିକ ସ୍ତରରେ ଦୁର୍ବଳ କରିଦେବାକୁ ଏକ ବଡ ପଦକ୍ଷେପ ନେଇଛି ଭାରତ। ଫଳରେ ଭାରତ-ପାକିସ୍ତାନ ୱାଘା-ଅଟାରୀ ସୀମାରେ ଅଟକି ରହିଛି ଶହ ଶହ ପାକିସ୍ତାନୀ ଟ୍ରକ। ଭାରତକୁ ଆସିବାକୁ ଥିବା ସାମଗ୍ରୀମାନ ଗତ ସପ୍ତାହରୁ ଅପେକ୍ଷାରେ ଅଛି ।

ପାକିସ୍ତାନରୁ ଭାରତକୁ ଆମଦାନୀ ହେଉଥିବା ସବୁ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ୨୦୦ ପ୍ରତିଶତ ବୃଦ୍ଧି କରିଦେବା ଫଳରେ ଏତେ ଟିକସ ଦେଇ ଭାରତ ମାଟିରେ ପାକିସ୍ତାନ ସାମଗ୍ରୀ ପହଂଚାଇବା ସେଠାକାର ବ୍ୟବସାୟୀଙ୍କ ପାଇଁ ଆଉ ସମ୍ଭବ ହେଉନାହିଁ । କରାଚି ବନ୍ଦରରେ ବି ଛିଡା ହୋଇ ରହିଛି ଟ୍ରକ ଭର୍ତି ସିମେଂଟ୍ । କୋଟି କୋଟି ଟଙ୍କାର କ୍ଷତି ସହୁଛନ୍ତି ସିମେଂଟ ବ୍ୟବସାୟୀ । ଭାରତ ସରକାରଙ୍କ ଏହି ନିଷ୍ପତି ଫଳରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ତାଜା ଫଳ, ସିମେଂଟ ଓ ତୁଳା ବ୍ୟବସାୟୀ । ବର୍ଷ ବର୍ଷ ଧରି ଭାରତକୁ ଏସବୁ ସାମଗ୍ରୀ ପଠାଇ ମୁନାଫା କମାଉଥିବା ପାକିସ୍ତାନୀ ବ୍ୟବସାୟୀ ଏବେ ମୁଣ୍ଡରେ ହାତଦେଇ ବସିରହିଛନ୍ତି ।

ପାକିସ୍ତାନରୁ ପ୍ରକାଶ ପାଉଥିବା ଦୈନିକ ଖବରକାଗଜ ଡନ ନ୍ୟୁଜର ରିପୋର୍ଟ ଅନୁସାରେ, ଭାରତ ସରକାର ଆମଦାନୀ ଶୁଳ୍କ ୨୦୦ ପ୍ରତିଶତକୁ ବୃଦ୍ଧି କରିବାରେ ଭାରତୀୟ ବ୍ୟବସାୟୀ ପାକିସ୍ତାନୀ ପ୍ରତିପକ୍ଷଙ୍କୁ ସେମାନଙ୍କ ସିମେଂଟ କଂଟେନର ଫେରାଇ ନେବାକୁ କହିଥିଲେ । କରାଚି ବନ୍ଦରରେ ଛିଡା ହୋଇ ରହିଛି ପ୍ରାୟ ୬ଶହରୁ ୮ଶହ କଂଟେନର । କୁହାଯାଉଛି ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ କେରଳରେ ପୁନରୁଦ୍ଧାର କାମ ପାଇଁ ୫ହଜାର କୋଟିର ରିହାବିଲିଟେସନ୍ କାର୍ଯ୍ୟକ୍ରମ ପାଇଁ ପାକିସ୍ତାନରୁ ବହୁ ପରିମାଣରେ ସିମେଂଟ ଆସିବାର ଥିଲା । ହେଲେ ଆମଦାନୀ ଶୁଳ୍କ ବୃଦ୍ଧି ଫଳରେ ନିରାଶ ହୋଇଛନ୍ତି ପାକିସ୍ତାନୀ ସିମେଂଟ ବ୍ୟବସାୟୀ ।

ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଏକ ଘରିକିିଆ କରିବାକୁ ପ୍ରଥମେ ମୋଷ୍ଟ ଫେବର୍ଡ ନେସନ୍ ବା ଅତି ବିଶ୍ୱସ୍ତ ରାଷ୍ଟ୍ରର ମାନ୍ୟତା ପ୍ରତ୍ୟାହାର କରିଥିଲା ଭାରତ । ଏହାପରେ ଆମଦାନୀ ଶୁଳ୍କ ବଢାଇ ଆର୍ଥିକ ସ୍ତରରେ ଦୁର୍ବଳ କରିଦେବାକୁ ନେଇଥିଲା ବଡ ପଦକ୍ଷେପ । ଯାହାର ପ୍ରଭାବ ପାକିସ୍ତାନରେ ଅନୁଭୂତ ହୋଇଛି ।

ଭାରତର ଏହି ନିଷ୍ପତି ପରେ ହଡବଡେଇ ଯାଇଛି ପାକିସ୍ତାନ । ସୀମାରେ ଭାରତକୁ ପ୍ରବେଶ ପାଇଁ ଅଟକି ରହିଛି ଟ୍ରକ ଟ୍ରକ ଛୁଆଁରା ବା ଏକପ୍ରକାର ଖାଦ୍ୟ ସାମଗ୍ରୀ । ହେଲେ ଆମଦାନୀ ଶୁଳ୍କରେ ଅହେତୁକ ବୃଦ୍ଧି ଯୋଗୁଁ ଏଗୁଡିକ ଭାରତ ମାଟିରେ ପ୍ରବେଶ କରିବା ସମ୍ଭବ ହେଉନାହିଁ । ସେପଟେ ପାକିସ୍ତାନରେ ଭୟାବହ ହେଉଛି ଦରଦାମ ବୃଦ୍ଧି । ଟମାଟୋ ପରି ଏକ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର କିଲୋ ପିଛା ଛୁଇଁଛି ୧୮୦ ଟଙ୍କା । କାରଣ ପାକିସ୍ତାନକୁ ଟମାଟୋ ପଠାଇବାକୁ ରାଜି ହେଉନାହାନ୍ତି ଭାରତୀୟ ଚାଷୀ। ଯାହାଫଳରେ ଲାହୋରରେ ଟମାଟୋ ଛୁଇଁଛି ୧୮୦ ଟଙ୍କା ।

ସମ୍ବନ୍ଧିତ ଖବର