ଭାରତରେ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ପିଲାମାନଙ୍କୁ ଭୟଭୀତ କରାଯାଉଛି: ପାକିସ୍ତାନର ଅଭିଯୋଗ
ନୂଆଦିଲ୍ଲୀ: ସ୍କୁଲ୍ ଯିବା ବାଟରେ ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କ ପିଲାମାନଙ୍କୁ ଭାରତୀୟ ଅଧିକାରୀମାନେ ଭୟଭୀତ କରାଉଛନ୍ତି ବୋଲି ଶୁକ୍ରବାର ଦିନ ପୁଣି ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ଫେରାଦ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ନୋଟ୍ ଭର୍ବାଲ୍ରେ ପାକିସ୍ତାନୀ ଉଚ୍ଚାୟୁକ୍ତ ଅଭିଯୋଗ କରିଛନ୍ତି ଯେ ବ୍ରିଟିଶ୍ ସ୍କୁଲ୍କୁ ଯିବା ବାଟରେ ପିଲାମାନଙ୍କୁ ଅଟକାଇ ଭାରତୀୟ କର୍ତ୍ତୃପକ୍ଷ ହଇରାଣ ହରକତ କରୁଛନ୍ତି।
ଏ ସଂକ୍ରାନ୍ତରରେ ପାକିସ୍ତାନ ରାଷ୍ଟ୍ରଦୂତ ପୂର୍ବରୁ କରିଥିବା ଅଭିଯୋଗର ତଦନ୍ତ ଚାଲିଛି ବୋଲି ଭାରତ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ଇସ୍ଲାମାବାଦରେ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତଙ୍କୁ ନିୟମିତ ହଇରାଣ ଓ ଭୟଭୀତ କରାଯାଉଛି।
ରାସ୍ତା ମଝିରେ ଅଟକ ହେବା ଭାରତୀୟ ରାଷ୍ଟ୍ରଦୂତଙ୍କ ପାଇଁ ଏକ ସାଧାରଣ ଘଟନା ହୋଇଗଲାଣି। ମଙ୍ଗଳବାର ଦିନ ପାକିସ୍ତାନ ଜାରି କରିଥିବା ନୋଟ୍ ଭର୍ବାଲ୍ରେ କୁହାଯାଇଛି କି, ପିଲାଏ ବସିଥିବା କାଉନ୍ସେଲର୍ଙ୍କ କାର୍କୁ ପଛପଟୁ ଭାରତୀୟ ଅଧିକାରୀମାନେ ବସିଥିବା ଏକ କାର୍ ଧକ୍କା ଦେଇଥିଲା।
ପାକିସ୍ତାନ ଚେତାଇ ଦେଇ କହିଛି ଯେ ରାସ୍ତାରେ ଏ ଭଳି କାର୍କୁ ଅଟକାଇବା କେବଳ ପାକିସ୍ତାନୀ କୂଟନୀତିଜ୍ଞଙ୍କ ଜୀବନ ବିପଦ୍ଶଙ୍କୁଳ କରାଇବ ନାହିଁ, ରାସ୍ତା ଦୁର୍ଘଟଣା ମଧ୍ୟ କରାଇବ। ଗୁରୁବାର ସନ୍ଧ୍ୟାରେ ଘରକୁ ଫେରୁଥିବା ଅନ୍ୟ ଜଣେ ରାଷ୍ଟ୍ରଦୂତଙ୍କ କାର୍କୁ ଅନୁସରଣ କରାଯାଉଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି।
ପ୍ରତିବାଦ ଜଣାଇବାକୁ ପାକିସ୍ତାନ ମଧ୍ୟ ଭାରତୀୟ ଡେପୁଟି ହାଇକମିସନର୍ ଜେପି ସିଂହଙ୍କୁ ଡକାଇଥିଲା। ସିଂହ ମଧ୍ୟ କହିଥିଲେ କି, ଇସ୍ଲାମାବାଦରେ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତମାନେ ସମ ଆଚରଣର ସମ୍ମୁଖୀନ ହେଉଛନ୍ତି।
ପାକିସ୍ତାନ ଏକ ବିବୃତିରେ କହିଛି ଯେ ଜାଣିଶୁଣି ଏ ଭଳି କରିବା ଖାଲି ଗୋଟିଏ ଘଟଣା ନୁହେଁ। ବିଶେଷ କରି ଆମ ଅଧିକାରୀ ଓ କର୍ମଚାରୀମାନଙ୍କ ପିଲାମାନଙ୍କୁ ଗୁଡ଼ାଏ ଘଟଣାରେ ଟାର୍ଗେଟ୍ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏ ଭଳି ୫ଟି ଘଟଣା ଘଟିଥିବା କଥା ପାକିସ୍ତାନ ସ୍ମରଣ କରାଇ ଦେଇଥିଲା।