ଭାରତୀୟ ଏୟାର ଷ୍ଟ୍ରାଇକ୍‌ରେ କୌଣସି କ୍ଷତି ହୋଇ ନ ଥିବା ପ୍ରମାଣ କରିବା ପାଇଁ ବାଲାକୋଟକୁ ବିଦେଶୀ ମିଡିଆ ପ୍ରବେଶକୁ ଅନୁମତି ଦେଲା ପାକିସ୍ତାନ

ନୂଆଦିଲ୍ଲୀ : ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ମାସେ ପୂର୍ବରୁ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ କରିଥିଲା । ଏହି ଏୟାର ଷ୍ଟ୍ରାଇକ୍‌ରେ ଜୈସ-ଇ-ମହମ୍ମଦର ୩୦୦ ଆତଙ୍କବାଦୀ ନିହତ ହୋଇଥିବା ନେଇ ଭାରତ ଦାବି କରୁଥିବା ବେଳେ ପାକିସ୍ତାନ ଏହାକୁ ମିଛ ବୋଲି କହି ଆସୁଥିଲେ । ଦୁଇ ଦେଶ ମଧ୍ୟରେ ଏୟାର ଷ୍ଟ୍ରାଇକ୍‌କୁ ନେଇ ଅନେକ ତର୍କ-ବିତର୍କ ହେବା ପରେ ଏବେ ପାକିସ୍ତାନ ଭାରତର ମତକୁ  ମିଛ ବୋଲି ପ୍ରମାଣ କରିବା ପାଇଁ ଏକ ନୂଆ ବାଟ ଆପଣାଇଥିବା ଦେଖା ଯାଇଛି । ଭାରତ କରିଥିବା ଏୟାର ଷ୍ଟ୍ରାଇକ୍‌ରେ କାହାର ଜୀବନହାନି ହୋଇ ନାହିଁ ବୋଲି ପ୍ରମାଣ କରିବା ପାଇଁ ବୁଧବାର ପାକିସ୍ତାନ ବାଲାକୋଟ୍‌କୁ ବିଦେଶୀ ମିଡିଆକୁ  ପ୍ରବେଶ ପାଇଁ ଅନୁମତି ଦେଇଥିବା ଜଣାପଡ଼ିଛି ।

ବୁଧବାର  ୨୪ଜଣ ସାମ୍ବାଦିକଙ୍କ  ସମେତ ପାକିସ୍ତାନ ଆର୍ମିର  ଯବାନମାନେ ଆକ୍ରମଣ କରାଯାଇଥିବା ସ୍ଥାନରେ ପହଞ୍ଚି ତଦାରଖ କରିଥିଲେ । ସେମାନଙ୍କୁ ବାଲାକୋଟ୍‌ରେ ଥିବା ଏକ ଇସ୍‌ଲାମିକ୍‌ ସ୍କୁଲରେ ପହଞ୍ଚାଇ ଦିଆ ଯାଇଥିଲା ।

ବିଦେଶୀ ସାମ୍ବାଦିକମାନେ ସେଠାରେ ପହଞ୍ଚି ୧୩୦ସ୍କୁଲ ପିଲାଙ୍କ ସହ କଥା ହେବା ସହ ସ୍କୁଲ୍  ଚାରି ପାଖ ବୁଲି ଦେଖିଥିଲେ । ଏହି ସମୟରେ ପାକିସ୍ତାନ ଆର୍ମି ଭାରତର ଦାବିକୁ ମିଛ ବୋଲି କହିବା ସହ ଯେଉଁ କୋଠାକୁ ଉଡ଼ାଇ ଦେଇଥିବା ନେଇ ଭାରତ ଦାବି କରୁଛି  ତାହା ପୂର୍ବ ଭଳି ରହିଛି ଏବଂ ସେ କୋଠାରେ କୌଣସି ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆ ଯାଉ ନ ଥିଲା ବୋଲି ଦାବି କରିଛି ପାକିସ୍ତାନ ଆର୍ମି । ତେବେ ବିଦେଶୀ ମିଡିଆ ତଦାରଖ କରିବା ପରେ କେଉଁ କଥା ସାମ୍ନାକୁ ଆସିଥିଲା, ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

ସମ୍ବନ୍ଧିତ ଖବର