ପାକିସ୍ତାନର ଆଚରଣ ଅମାନବୀୟ: କୁଳଭୂଷଣ ମାମଲାରେ ସଂସଦରେ ବୟାନ ରଖିଲେ ସୁଷମା

ନୂଆଦିଲ୍ଲୀ: ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ପତ୍ନୀ ଓ ମା’ଙ୍କ ସହ ପାକିସ୍ତାନ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରିଛି ତାହା ଅତ୍ୟନ୍ତ ଅଶୋଭନୀୟ ଏବଂ ଅମାନବୀୟ। ପାକିସ୍ତାନ ଯାହା ବି କରିଛି ସବୁ କିଛି ଉଦ୍ଦେଶ୍ୟମୂଳକ ଭାବେ କରିଛି ଏବଂ କୁଳଭୂଷଣଙ୍କ ପତ୍ନୀଙ୍କ ଜୋତା ପ୍ରସଙ୍ଗରେ ମଧ୍ୟ ପାକିସ୍ତାନ ଆଣିଥିବା ଅଭିଯୋଗ ଏହାର ମୁର୍ଖତାପୂର୍ଣ୍ଣ ଆଚରଣ ବୋଲି ଆଜି ରାଜ୍ୟସଭାରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି। କୁଳଭୂଷଣଙ୍କ ସହ ତାଙ୍କ ପତ୍ନୀ ଓ ମା’ଙ୍କର ସାକ୍ଷାତ ପୂର୍ବରୁ ସେମାନଙ୍କ ମଙ୍ଗଳସୁତ୍ର ବିନ୍ଦି ଏବଂ ଚୁଡ଼ି କାଢ଼ିନେଇ ପାକିସ୍ତାନ ଯାଦବଙ୍କ ସମ୍ମୁଖରେ ତାଙ୍କ ମା’ ଓ ପତ୍ନୀଙ୍କୁ ବିଧବା ଭଳି ହାଜର କରିଥିଲା ବୋଲି ସୁଷମା କହିଛନ୍ତି। କୁଳଭୂଷଣଙ୍କ ପତ୍ନୀଙ୍କ ଜୋତାରେ କ୍ୟାମେରା କିମ୍ବା ରେକର୍ଡିଂ ଚିପ୍‌ ଥିବା ଦର୍ଶାଇ ପାକିସ୍ତାନ ଜୋତାର ଫରେନ୍ସିକ୍‌ ଯାଞ୍ଚ ପାଇଁ ପଠାଇବା ଏହାର କୁତ୍ସିତ ଚିନ୍ତାଧାରା ବୋଲି ସୁଷମା କହିଥିଲେ। ଏ ବାବଦରେ ପାକିସ୍ତାନର ଅଭିଯୋଗ ଏହାର ହୀନମନ୍ୟତା ଓ ଅଭଦ୍ର ଆଚରଣର ନିଦର୍ଶନ । ଈଶ୍ୱରଙ୍କୁ ଧନ୍ୟବାଦ ଏହା ଜୋତାରେ ବିସ୍ଫୋରକ ଅଛି ବୋଲି ପାକିସ୍ତାନ କହିନାହିଁ ବୋଲି ସୁଷମା କହିଛନ୍ତି। ଯାଦବଙ୍କ ପତ୍ନୀ ଦୁଇ ଦୁଇଟି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଏହି ଜୋତା ପିନ୍ଧି ଯାଇଛନ୍ତି। ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ କୌଣସି ଗୋଟିଏ ବିମାନ ବନ୍ଦରରେ ହେଲେ ତାଙ୍କ ଜୋତାରେ କ୍ୟାମେରା କିମ୍ବା ରେକର୍ଡର ଥିବା ସୁରାକ୍‌ ମିଳିନଥିଲା। ତେବେ ପାକିସ୍ତାନ ଯଦିଓ ସୁରକ୍ଷା ଦୃଷ୍ଟିରୁ ଜୋତା କାଢ଼ିନେଲା ଫେରିବା ସମୟରେ ବି ଜୋତା ଫେରାଇ ପାରିଥାନ୍ତା। କିନ୍ତୁ ସେମାନେ ଷଡ଼ଯନ୍ତ୍ର କରି ଏଭଳି କରିଛନ୍ତି ବୋଲି ସୁଷମା କହିଥିଲେ।

ଯାଦବଙ୍କ ମା’ ସୁଷମାଙ୍କୁ ଭେଟି ପୁଅ ସହ ସାକ୍ଷାତ ସମ୍ପର୍କରେ ଯାହାସବୁ କହିଛନ୍ତି ସେ ସବୁକୁ ସୁଷମା ରାଜ୍ୟସଭାରେ ଉପସ୍ଥାପନ କରିଥିଲେ। ବିବାହର ପ୍ରତୀକ ମଙ୍ଗଳସୁତ୍ର ନ କାଢ଼ିବାପାଇଁ ଯାଦବଙ୍କ ମା’ ବାରମ୍ବାର ପାକ୍‌ ଅଧିକାରୀଙ୍କୁ ଅନୁରୋଧ କରିବା ସତ୍ତ୍ୱେ ତାଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ। କୁଳଭୂଷଣ ମଧ୍ୟ ମା’ଙ୍କୁ ବିନା ମଂଗଳସୂତ୍ର ଓ ବିନ୍ଦିରେ ଭେଟିବାପରେ ତାଙ୍କୁ ପ୍ରଥମେ ପଚାରିଥିଲେ ‘ବାବା କେମିତି ଅଛନ୍ତି’। କାରଣ ମା’ଙ୍କୁ ଏଭଳି ଭାବେ ଦେଖି ସେ ବିଚଳିତ ହୋଇଥିଲେ। ଜଣେ ପୁଅକୁ ତା’ ମା’ ସହିତ ସାକ୍ଷାତ ଏବଂ ଜଣେ ପତ୍ନୀଙ୍କୁ ତାଙ୍କ ସ୍ୱାମୀଙ୍କ ସହ ସାକ୍ଷାତ କରିବାର ସୁଯୋଗ ଦେଇ ପାକିସ୍ତାନ ଏହାକୁ କେବଳ ଜନମତକୁ ପ୍ରଭାବିତ କରିବାର ଏକ ମାଧ୍ୟମ କରିଛି ବୋଲି ସୁଷମା କହିଛନ୍ତି। ଯାଦବଙ୍କ ମା’ ଓ ପତ୍ନୀଙ୍କୁ ପୋଷାକ ପରିବର୍ତ୍ତନ କରିବାପାଇଁ କହିବା ମଧ୍ୟ ଅତ୍ୟନ୍ତ ଅପମାନଜନକ। ସେହିପରି ପୂର୍ବ ପ୍ରତିଶ୍ରୁତିରୁ ଓହରି ଡେପୁଟି ହାଇକମିସନରଙ୍କୁ ନ ଜଣାଇ ଯାଦବଙ୍କ ପତ୍ନୀ ଓ ମା’ଙ୍କୁ ସାକ୍ଷାତ ପାଇଁ ନେବାକୁ ସୁଷମା ତୀବ୍ର ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର