ଆନ୍ତର୍ଜାତିକ ଚାପରେ ମାନିଲା ପାକିସ୍ତାନ: ହାଫିଜ୍‌କୁ ଆତଙ୍କବାଦୀ ଘୋଷଣା!

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଚାପରେ ପାକିସ୍ତାନ ମୁଣ୍ଡ ନୁଆଁଇବା ସହ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍‌ ତଥା ଜାମାତ୍‌-ଉଦ୍‌-ଦାଓ୍ଵା(ଜେୟୁଡି)ର ମୁଖ୍ୟ ହାଫିଜ୍‌ ସଇଦ୍‌କୁ ଆତଙ୍କବାଦୀ ଭାବେ ଘୋଷଣା କରିଛି। ସଂଗଠନର ମୁଖ୍ୟ କାର୍ଯ୍ୟାଳୟକୁ ସୁରକ୍ଷା ଦେବା ଲାଗି ପାକିସ୍ତାନ ପୁଲିସ ପକ୍ଷରୁ ଲଗାଯାଇଥିବା ବାରିକେଡ୍‌ ସବୁକୁ ସୋମବାର ହଟାଇ ନିଆଯିବା ପରେ ତାହା ସ୍ପଷ୍ଟ ହୋଇଛି। ତେବେ ଜାତି ସଂଘ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଥିବା ଲସ୍କର-ଏ-ତଏବା, ଜେୟୁଡି ଏବଂ ହରକତ୍‌-ଉଲ୍‌-ମୁଜାହିଦ୍ଦିନ ପରି ସଂଗଠନଗୁଡ଼ିକ ଉପରେ କଟକଣା ଜାରି କରିବା ପାଇଁ ମଙ୍ଗଳବାର ପାକ୍‌ ରାଷ୍ଟ୍ରପତି ମାମନୁନ୍‌ ହୁସେନ୍‌ ଏକ ଅଧାଦେଶରେ ସ୍ୱାକ୍ଷର କରିଛନ୍ତି। ଏହା ପରେ ଜେୟୁଡିର ମୁଖ୍ୟାଳୟ ସମେତ ସଂଗଠନର ବିଭିନ୍ନ ଶାଖା ଓ କର୍ମକର୍ତ୍ତାଙ୍କୁ ୨୬ଟି ସ୍ଥାନରେ ପୁଲିସ ଯୋଗାଇଥିବା ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନେଇଛି।

ସୂଚନା ଥାଉ କି, ଆଗକୁ ପ୍ୟାରିସ ଠାରେ ଫିନାନ୍ସିଆଲ୍‌ ଆକ୍ସନ ଟାକ୍ସ ଫୋର୍ସ ସମ୍ମିଳନୀ ହେବାକୁ ଥିବା ବେଳେ ତାହା ପୂର୍ବରୁ ରାଷ୍ଟ୍ରପତି ହୁସେନ୍‌ ଏପରି ଅଧ୍ୟାଦେଶ ଜାରି କରିଛନ୍ତି। ଆତଙ୍କବାଦ ଦମନ ପାଇଁ ଆମେରିକା ଓ ଭାରତର ନିୟମିତ ଚାପ ଯୋଗୁଁ ନିଜ ଆନ୍ତର୍ଜାତିକ ବାଣିଜ୍ୟ କାରବାରରେ ପ୍ରତିକୂଳ ପ୍ରଭାବ ଆଶଙ୍କା କରି ପାକିସ୍ତାନ ଏଭଳି ପଦକ୍ଷେପ ନେଇଥିବା ଜଣାଯାଇଛି। ତେବେ ଶେଷରେ ପାକିସ୍ତାନର ସଂଶୋଧିତ ଆତଙ୍କବାଦ ନିରୋଧ ଆଇନ-୧୯୯୭ ଅନୁସାରେ ହାଫିଜ୍‌ ଏବଂ ତା’ ସଂଗଠନକୁ ନିଷିଦ୍ଧ ଘୋଷଣା କରାଯାଇଛି। ଏହା ଦ୍ୱାରା ହାଫିଜ୍‌ ଏବଂ ସଂଗଠନର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ହୋଇଯିବ ବୋଲି କୁହାଯାଉଛି। ଏହାର ପ୍ରତିକ୍ରିୟା ସ୍ୱରୂପ ହାଫିଜ୍‌ ଆଗକୁ କି କାରନାମା ଘଟାଉଛି ତାହା ଅନୁମାନ କରିବା ମୁସ୍କିଲ୍‌ ବୋଲି ଆତଙ୍କବାଦ ବିଶେଷଜ୍ଞମାନେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର