ବିଏସଏଫର ଗୋଳାବର୍ଷଣରେ ପାକିସ୍ତାନୀ ପୋଷ୍ଟ ଧ୍ୱଂସ, ଗୁଳିମାଡ ବନ୍ଦ ପାଇଁ ଅନୁରୋଧ କଲା

ଜାମ୍ମୁ : ପବିତ୍ର ରମଜାନ ମାସ ଉପଲକ୍ଷେ ଜାମ୍ମୁ ଓ କାଶ୍ମୀରରେ ଏବେ ସରକାରଙ୍କ ତରଫରୁ ଅସ୍ତ୍ରବିରତି ଲାଗୁହୋଇଛି । ଉପଦ୍ରବକାରୀଙ୍କ ପାଇଁ ସେନାର ବନ୍ଧୁକ ଶାନ୍ତ ଅଛି । କିନ୍ତୁ ସୀମା ସେପଟୁ ଗୁଳିମାଡ କରି ଭାରତର ସାଧାରଣ ନାଗରିକଙ୍କୁ ମୃତାହତ କରୁଥିବା ପାକିସ୍ତାନର ସୀମା ସୁରକ୍ଷା ବାହିନୀ ପାକ ରେଞ୍ଜର୍ସ ଉପରେ କୌଣସି ଦୟାମାୟା ଦେଖାଉନାହିଁ ବିଏସଏଫ ।

ସୀମା ସେପଟୁ ହେଉଥିବା ଗୁଳିମାଡର ଦୃଢ ଜବାବ ଦିଆଯାଉଛି । ନିକଟରେ ପାକ ରେଞ୍ଜର୍ସର ଗୁଳିମାଡ଼ରେ ଭାରତ ପଟେ ଥିବା ଏକ ଗାଁର ଏକ ଦମ୍ପତ୍ତି ମୃତ୍ୟୁବରଣ କରିଥିଲେ । ଅନେକ ଲୋକ ଆହତ ହୋଇଥିଲେ । ଏହାର ଦୃଢ ଜବାବ ଦେଇଛି ବିଏସଏଫ । ଏପରି ଭୟଙ୍କର ଜବାବ ଦିଆଯାଇଛି ଯେ ପାକିସ୍ଥାନ ପଟୁ ହାତ ଟେକିବା ଛଡା ଆଉ କିଛି ଉପାୟ ନଥିଲା । ବିଏସଏଫର ଗୁଳି ଗୋଳା ବର୍ଷଣରେ ପାକିସ୍ତାନର ଏକ ବର୍ଡର ପୋଷ୍ଟ ସଂପୂର୍ଣ୍ଣ ଧ୍ୱଂସ ପାଇଯାଇଛି । ଏହି ଘଟଣାରେ ଅତି କମରେ ଜଣେ ପାକ ରେଞ୍ଜର ମ୍‌ତ୍ୟୁ ବରଣ କରିଛି । ଏ ସଂପର୍କରେ ଏକ ଭିଡିଓ ମଧ୍ୟ ବିଏସଏଫ ପକ୍ଷରୁ ଜାରି କରାଯାଇଛି । ଏହା ପରେ ଗୁଳି ବର୍ଷଣ ବନ୍ଦ କରିବାକୁ ପାକିସ୍ତାନ ପଟୁ ବିଏସଏଫକୁ ଅନୁରୋଧ କରାଯାଇଥିଲା । ଏବର୍ଷ ପାକିସ୍ଥାନ ପଟୁ ପ୍ରାୟ ୭୦୦ ଥର ଗୁଳିଗୋଳା ବର୍ଷଣ ହୋଇଛି, ଏହା ଫଳରେ ୧୮ ଜଣ ସୁରକ୍ଷା ବଳଙ୍କ ସମେତ ମୋଟ ୩୮ ଜଣ ମୃତ୍ୟୁବରଣ କରିଛନ୍ତି ।

ସମ୍ବନ୍ଧିତ ଖବର