ଲାହୋର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଯିବେ। ପଡ଼ୋଶୀ ଦେଶ ‘ପାକିସ୍ତାନ’ର ପ୍ରଧାନମନ୍ତ୍ରୀ ଭାବେ କ୍ରିକେଟରରୁ ନେତା ପାଲଟି ଥିବା ଇମରାନ୍ ଖାଁ ଯେତେବେଳେ ଶପଥ ଗ୍ରହଣ କରୁଥିବେ, ସେଠାରେ ମୋଦି ଉପସ୍ଥିତ ରହିବେ। ଏମିତି ଅନେକ ଗୁଡ଼ିଏ ପ୍ରଶ୍ନ ମନରେ ଉଙ୍କି ମାରୁଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚଳିତ ମାସ ୨୫ ତାରିଖରେ ହୋଇଥିବା ସାଧାରଣ ନିର୍ବାଚନରେ ଇମରାନ୍ଙ୍କ ନେତୃତ୍ୱରେ ପିଟିଆଇ ୧୧୬ଟି ଆସନରେ ବିଜୟୀ ହୋଇଛି। ତେଣୁ ସେ ଅନ୍ୟ ସହଯୋଗୀ ଦଳର ସାଂସଦଙ୍କ ସମର୍ଥନରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଇମ୍ରାନ୍ଙ୍କ ଶପଥ ପାଠ ପାଇଁ ବ୍ୟାପକ ବନ୍ଦୋବସ୍ତ ଚାଲିଥିବା ବେଳେ ତହରିକ୍-ଏ-ଇନ୍ସାଫ(ପିଟିଆଇ) ସାର୍କ(ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସଂଗଠନ) ସମୂହ ରାଷ୍ଟ୍ର ଗୁଡ଼ିକୁ ନିମନ୍ତ୍ରଣ କରିବା ପାଇଁ ଚିନ୍ତା କରୁଛି। ଏହି ଆଧାରରେ ଭାରତକୁ ମଧ୍ୟ ନିମନ୍ତ୍ରଣ ପତ୍ର ଆସିପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇମରାନ୍ଙ୍କ ପାର୍ଟି ପିଟିଆଇ ମୋଦିଙ୍କ ସମେତ ସାର୍କ ସମୂହର ରାଷ୍ଟ୍ରକୁ ଶପଥ ଗ୍ରହଣ ଉତ୍ସବକୁ ଡାକିବା ପାଇଁ ନିମନ୍ତ୍ରଣ ପଠାଇବାକୁ ଯୋଜନା କରୁଛି। ଏ ସଂପର୍କରେ ପିଟିଆଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବ ଓ ଭାରତକୁ ନିମନ୍ତ୍ରଣ ଆସିବା ପରେ ମୋଦି ପାକିସ୍ତାନ ଯିବେ ନା ନାହିଁ ଜଣାପଡ଼ିବ।
ପାକିସ୍ତାନ ନିର୍ବାଚନରେ ଅନ୍ୟ ରାଜନୈତିକ ଦଳ ତୁଳନାରେ ଅଧିକ ଆସନରେ ବିଜୟୀ ହୋଇଥିବା ପିଟିଆଇ ସୁପ୍ରିମୋ ଇମରାନ୍ ଆଗାମୀ ଅଗଷ୍ଟ ୧୧ରେ ଶପଥ ଗ୍ରହଣ କରିବେ ବୋଲି ସୋମବାର ଘୋଷଣା କରିଛନ୍ତି। ଏହା ପୂର୍ବରୁ ଇମରାନ୍ ବିଜୟୀ ହୋଇଥିବାରୁ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଶପଥ ଗ୍ରହଣ ସମାରୋହରେ ମୋଦି ଯଦି ଉପସ୍ଥିତ ରୁହନ୍ତି ତା’ହେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ନୂତନ ସଂପର୍କ ଆରମ୍ଭ ହେବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ମୋଦି ୨୦୧୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ନେଇଥିଲେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ସମାରୋହରେ ଉପସ୍ଥିତ ଥିଲେ। ଅପରପକ୍ଷେ ମୋଦି ମଧ୍ୟ ୨୦୧୫ରେ ଲାହୋର ଗସ୍ତରେ ଥିବା ବେଳେ ସରିଫଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ।