କାର୍ଯ୍ୟାନୁଷ୍ଠାନ ରୋକିବାକୁ ପାକିସ୍ତାନର ଗୁହାରି

ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ: ୨ ବଙ୍କର ଧ୍ୱଂସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ପୋଷ୍ଟ ଓ ସୀମାନ୍ତ ଗ୍ରାମ ଉପରେ ଆକ୍ରମଣ ଜାରି ରଖିଛି। ତେବେ ଗତ ରାତିଠାରୁ ଭାରତୀୟ ସୀମା ସୁରକ୍ଷା ବଳ ଏହାର କଡ଼ା ଜବାବ ଦେବାକୁ ଆରମ୍ଭ କରିବା ପରେ ପାକିସ୍ତାନ ଛାନିଆ ହୋଇପଡ଼ିଛି ଏବଂ କାର୍ଯ୍ୟାନୁଷ୍ଠାନ ବନ୍ଦ ପାଇଁ ଅନୁରୋଧ କରିଛି । ବିଏସ୍‌ଏଫ୍‌ ଯବାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ସୀମା ଆରପଟେ ଥିବା ପାକିସ୍ତାନର ଦୁଇଟି ବଙ୍କର ଧ୍ୱଂସ ହୋଇଛି ଏବଂ ୫ ଜଣ ପାକ୍‌ ରେଞ୍ଜର୍ସ ସମେତ ୮ ଜଣ ନିହତ ହୋଇଥିବା ମଧ୍ୟ ଜଣାପଡ଼ିଛି। ରମଜାନ ପାଇଁ ଭାରତୀୟ ସେନା ପକ୍ଷରୁ ଅସ୍ତ୍ରବିରତି ନିଆଯାଇଥିବା ବେଳେ ପାକିସ୍ତାନ ସେନା ଏହାର ସୁଯୋଗ ନେଇ ଆକ୍ରମଣ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି। ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନ ପାକ୍‌ ସେନାର ବଙ୍କର ଧ୍ୱଂସ ପରେ କାର୍ଯ୍ୟନୁଷ୍ଠାନ ରୋକିବା ପାଇଁ ପାକ୍‌ ରେଞ୍ଜର୍ସ ବିଏସ୍‌ଏଫ୍‌କୁ ଗୁହାରି କରିଥିଲା। ଏହା ପରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ବନ୍ଦ ରଖାଯାଇଥିବା ଜଣାପଡ଼ିଛି। ତେବେ ବିଏସ୍‌ଏଫ୍‌ ପକ୍ଷରୁ ଭାରତ ପଟୁ ହୋଇଥିବା କାର୍ଯ୍ୟାନୁଷ୍ଠାନର ଏକ ଭିଡିଓ ଜାରି କରାଯାଇଛି। ଏଥିରୁ ପାକ୍‌ ସେନାର କ୍ଷୟକ୍ଷତି ବାରି ହେଉଛି। ଏଲ୍‌୍‌ଓସିରେ ଗତକାଲି ପାକିସ୍ତାନର ଆକ୍ରମଣରେ ୨ ଜଣ ବିଏସ୍‌ଏଫ୍‌ ଯବାନ ସହିଦ ହୋଇଛନ୍ତି ଓ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଜମ୍ମୁରୁ ୩୦ କିମି ଦୂର ଅଖନୁର ସେକ୍ଟରରେ ଭାରତ ସହ ଚୀନ୍‌ ସୀମା ବି ଲାଗି ରହିଥିବାରୁ ପାକିସ୍ତାନ ସେଠାରେ ଅସ୍ତ୍ରବିରତି ଉଲ୍ଲଂଘନ କରି ସମସ୍ୟା ଜଟିଳ କରିବାକୁ ଚାହିଥିଲା। ତେବେ କଡ଼ା ଜବାବ ପରେ ପାକିସ୍ତାନ ସେନାର ଗୁଳି ବନ୍ଦ ହୋଇଯାଇଥିଲା।ବିଏସ୍‌ଏଫ୍‌ ପକ୍ଷରୁ ଜାରି କରାଯାଇଥିବା ଭିଡ଼ିଓରେ ଦେଖାଯାଇଛି ଯେ, ବ ବିଏସ୍‌ଏଫର ରକେଟ ମାଡ଼ରେ ପାକିସ୍ତାନ ବଙ୍କରଗୁଡ଼ିକୁ ମାଟିରେ ମିଶିଯାଉଛି। ଇନଫ୍ରାରେଡ କ୍ୟାମେରାରେ ରେକର୍ଡ କରାଯାଇଥିବା ଏଡି ଭିଡିଓର ଫୁଟେଜ ଏବେ ସୋସିଆଲ ମିଡିଆରେ ବି ଭାଇରାଲ ହୋଇଛି।

ସମ୍ବନ୍ଧିତ ଖବର