ଶାନ୍ତି ଆଲୋଚନା ପାଇଁ ପାକ୍ ବ୍ୟଗ୍ର

ଆମେରିକାକୁ ଗୁହାରି କଲା, କରତାରପୁର ସୀମା ନ ଖୋଲିବାକୁ ଧମକ

ଇସଲାମାବାଦ୍‌: ଶାନ୍ତି ଆଲୋଚନା ପାଇଁ ଭାରତ ରୋକ୍‌ଠୋକ୍ ମନା କରିଦେବା ପରେ ମଧ୍ୟ ପାକିସ୍ତାନ ଶାନ୍ତ ପଡ଼ିନାହିଁ। ଏଥିପାଇଁ ବ୍ୟଗ୍ର ହୋଇଉଠିଛି। ଏମିତି କି କଥାବାର୍ତ୍ତା ପାଇଁ ଭାରତକୁ ମନାଇବା ଲାଗି ପାକିସ୍ତାନ ଆମେରିକାର ସହଯୋଗ ‌େଲାଡ଼ିଛି। କିନ୍ତୁ ପାକିସ୍ତାନର ଏହି ଅନୁରୋଧକୁ ଆମେରିକା ପୁଣିଥରେ ପ୍ରତ୍ୟାଖ୍ୟାନ କରିଦେଇଛି। ଫଳରେ ପାକ୍‌ର ଇମ୍ରାନ୍ ସରକାରଙ୍କୁ ଶକ୍ତ ଧକ୍କା ଲାଗିଛି। ଭାରତର ବିଏସ୍‌ଏଫ୍‌ ଯବାନଙ୍କୁ ସୀମା ନିକଟରେ ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ପରେ ଭାରତ ପାକିସ୍ତାନ ଉପରେ ଖପ୍ପା ହୋଇଥିଲା। ଫଳରେ ନ୍ୟୁୟର୍କରେ ଶାନ୍ତି ଆଲୋଚନା ବୈଠକକୁ ଭାରତ ବାତିଲ କରିଦେଇଥିଲା। ଏହାକୁ ନେଇ ପାକିସ୍ତାନ କ୍ଷୋଭପ୍ରକାଶ କରିବା ସହ ଭାରତକୁ କଟୁ ସମାଲୋଚନା କରିଥିଲା। କିନ୍ତୁ ଭାରତ ଏ ବାବଦରେ କିଛି କହିନଥିଲା। ତେବେ ପାକିସ୍ତାନ ପୁଣିଥରେ ଭାରତ ସହ କଥାବାର୍ତ୍ତା ଆରମ୍ଭ କରିବାପାଇଁ ବ୍ୟଗ୍ର ହୋଇପଡ଼ିଛି। ଏଥିନେଇ ଆମେରିକାର ସହଯୋଗ ଲୋଡ଼ିଛି। ଦୁଇଦେଶ ମଧ୍ୟ‌େର କଥାବାର୍ତ୍ତା ପାଇଁ ଆମେରିକା ଦାୟିତ୍ବ ନିଭାଉ ବୋଲି ପାକିସ୍ତାନ ଚାହିଛି। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶି ଏନେଇ ପ୍ରୟାସ ଆରମ୍ଭ କରିଥିଲେ। କିନ୍ତୁ ଆମେରିକା ପାକିସ୍ତାନର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛି ବୋଲି ଜଣେ ବରିଷ୍ଠ ପାକିସ୍ତାନୀ କୁଟ‌ନୀତିଜ୍ଞ କହିଛନ୍ତି। ପାକିସ୍ତାନ ଆଜି ଭାରତକୁ ଧମକ ଦେଇ କହିଛି ଯେ ଯଦି କଥାବାର୍ତ୍ତା ଆରମ୍ଭ ନହୁଏ ତେବେ ଶିଖ୍‌ ତୀର୍ଥଯାତ୍ରୀଙ୍କ ପାଇଁ କରତାରପୁର ସୀମା ଖୋଲାଯିବ ନାହିଁ। ପାକିସ୍ତାନ ବିଦେଶ ବିଭାଗ ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି ପାକିସ୍ତାନ ଭାରତ ସହ ଶାନ୍ତିପୂର୍ଣ୍ଣ ଭାବେ ରହିବାକୁ ଚାହେ। ଯଦି ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା‌ ଆରମ୍ଭ ନହୁଏ ତେବେ କରତାରପୁର ସୀମା ଖୋଲାଯିବ ନାହିଁ।

ସମ୍ବନ୍ଧିତ ଖବର