ଆଉ ଥରେ କଥାବାର୍ତ୍ତା ଆରମ୍ଭ ପାଇଁ ଇମ୍ରାନ୍‌ଙ୍କୁ ନରେନ୍ଦ୍ର ମୋଦି ପତ୍ର ଲେଖିଛନ୍ତି ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଦାବିକୁ ଖଣ୍ଡନ କଲା ଭାରତ

ଇସ୍‌ଲାମାବାଦ/ ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବନ୍ଦ ହୋଇ ଯାଇଥିବା ଦ୍ୱିପାକ୍ଷିକ ଆଲୋଚନା/ କଥାବାର୍ତ୍ତାକୁ ଆଉଥରେ ଆରମ୍ଭ କରିବା ସହ ଏହାକୁ ଆଗକୁ ବଢ଼ାଇବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପାକିସ୍ତାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ପତ୍ର ଲେଖିଛନ୍ତି ବୋଲି ପାକିସ୍ତାନ ପକ୍ଷରୁ ହେଉଥିବା ଦାବିକୁ ଭାରତ ଆଜି ଖଣ୍ଡନ କରିଛି। ଭାରତ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ତେହରିକ୍‌-ଇ -ଇନ୍‌ସାଫ୍‌ ମୁଖ୍ୟ ଇମ୍ରାନ୍‌ ଖାନ୍‌ ପାକିସ୍ତାନର ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ ହେବା ପରେ ତାଙ୍କୁ କେବଳ ଅଭିନନ୍ଦନ ଜଣାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶୁଭେଚ୍ଛା ପତ୍ର ଲେଖିଥିଲେ। ଭାରତର ପ୍ରଧାନମନ୍ତ୍ରୀ ମୋଦି ଲେଖିଥିବା ପତ୍ରରେ କେଉଁଠାରେ ହେଲେ ବି ଉଭୟ ଦେଶ ମଧ୍ୟରେ ବନ୍ଦ ହୋଇ ଯାଇଥିବା ଦ୍ୱିପାକ୍ଷିକ ଆଲୋଚନାକୁ ଆଉଥରେ ଆରମ୍ଭ କରିବା ସହ ଏହାକୁ ଆଗକୁ ବଢ଼ାଇବା ପାଇଁ ଭାରତ ଆଗ୍ରହୀ ବୋଲି ଲେଖି ନାହାନ୍ତି। ବା ସଂପୃକ୍ତ ପତ୍ରରେ ଏ ସଂପର୍କରେ କୌଣସି ବି ଉଲ୍ଲେଖ ନାହିଁ।

ହେଲେ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହେମ୍ମୁଦ୍‌ କୁରେସୀଙ୍କ ବକ୍ତବ୍ୟକୁ ଆଧାର କରି ପାକିସ୍ତାନର ଜିଓ ନ୍ୟୁଜ୍‌ ପ୍ରକାଶ କରିଛି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପାକିସ୍ତାନୀ ପ୍ରତିପକ୍ଷ ଇମ୍ରାନ୍‌ ଖାନ୍‌ଙ୍କ ନିକଟକୁ ଲେଖିଥିବା ପତ୍ରରେ ଭାରତ ଓ ପାକିସ୍ତାନ ମଧ୍ୟରେ ବନ୍ଦ ହୋଇ ଯାଇଥିବା ଦ୍ୱିପାକ୍ଷିକ ଆଲୋଚନାକୁ ଆଉଥରେ ଆରମ୍ଭ କରିବା ସହ ଏହାକୁ ଆଗକୁ ବଢ଼ାଇବା ପାଇଁ ଆଗ୍ରହୀ ବୋଲି ଉଲ୍ଲେଖ କରିଛନ୍ତି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ରୂପେ ଶାହା ମେହେମ୍ମୁଦ୍‌ କୁରେସୀ ଶପଥ ଗ୍ରହଣ କରିବା ପରେ ପରେ ସେ ଜିଓ ନ୍ୟୁଜ୍‌କୁ ଏହି ବୟାନ ଦେଇଥିଲେ।

ତେବେ, ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହେମ୍ମୁଦ୍‌ କୁରେସୀଙ୍କ ଏହି ବୟାନ ଭାରତ ଦୃଷ୍ଟିକୁ ଆସିବା ପରେ ଭାରତ ପକ୍ଷରୁ ଏହାକୁ ଦୃଢ଼ ଭାବେ ଖଣ୍ଡନ କରାଯାଇଛି।

ସମ୍ବନ୍ଧିତ ଖବର