ପୁଲଓ୍ଵାମା ହାମ୍‌ଲା: ଭାରତର ଉଗ୍ର ରୂପ ଦେଖି ଜାତିସଂଘର ଶରଣ ପଶିଲା ପାକିସ୍ତାନ୍‌

ନ୍ୟୁୟର୍କ/ ଇସ୍‌ଲାମାବାଦ: ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲା ପରେ ଭାରତ ସହ ସହ ପାକିସ୍ତାନର ସଂପର୍କ ଯେପରି ତିକ୍ତ ହୋଇଛି ସେଥିରେ ସଂପୂର୍ଣ୍ଣ ଭୟଭୀତ ହୋଇପଡ଼ିଛି ପାକିସ୍ତାନ। ଏହି ଘଟଣାରେ ପ୍ରତିଶୋଧ ପରାୟଣ ଭାରତ ଯେ କୌଣସି ମୁହୂର୍ତ୍ତରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରେ ବୋଲି ନିଶ୍ଚିତ ହେବା ପରେ ଏବେ ଏଥିରୁ ବର୍ତ୍ତିବା ପାଇଁ ପାକିସ୍ତାନ ମିଳିତ ଜାତିସଂଘ (ୟୁଏନ୍‌)ର ଶରଣ ପଶିବା ସହ ଏ ମାମଲାରେ ଜାତିସଂଘର ସହାୟତା ଲୋଡ଼ିଛି।

ଏହି ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଉଭୟ ଦେଶର କୂଟନୈତିକ ସଂପର୍କ ତିକ୍ତ ହେବା ସହ ଉଭୟ ଦେଶ ସେମାନଙ୍କ କୂଟନୈତିକ ଅଧିକାରୀମାନଙ୍କୁ ନିଜ ନିଜ ଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି। ଭାରତର ଆଭିମୁଖ୍ୟ ଦେଖି ଭୟଭୀତ ହୋଇ ପଡ଼ିଥିବା ପାକିସ୍ତାନ ଆଜି ତା’ର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀଙ୍କ ହାତରେ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେର୍ସଙ୍କ ନିକଟକୁ ଏକ ପତ୍ର ଲେଖି ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତାକୁ ପ୍ରଶମନ କରିବା ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଭାରତ ଆଡ଼ୁ ଆମ ପ୍ରତି ଘୋର ବିପଦ ରହିଥିବାରୁ ଆପଣ କାଳ ବିଳମ୍ବ ନକରି ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେର୍ସଙ୍କୁ ଅନୁରୋଧ କରିଛନ୍ତି, ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ।

ଉଲ୍ଲେଖଯୋଗ୍ୟ, ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ ମହମ୍ମଦ ପକ୍ଷରୁ ପୁଲଓ୍ଵାମା ଠାରେ କରା ଯାଇଥିବା ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ସିଆରପିଏଫ୍‌ ଯବାନ ଶହୀଦ ହେବା ଘଟଣାରେ ଭାରତ ଯେପରି ଉଗ୍ର ଓ ପ୍ରତିଶୋଧ ପରାୟଣ ହୋଇ ଉଠିଛି ତାକୁ ଦେଖି ପାକିସ୍ତାନ ସଂପୂର୍ଣ୍ଣ ରୂପେ ଛାନିଆ ହୋଇ ଯାଇଛି।

ସମ୍ବନ୍ଧିତ ଖବର