ରାତି ପାହିଲେ ରାକ୍ଷୀପୂର୍ଣ୍ଣିମା: ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବାକୁ ଆସିବେ ତାଙ୍କ ପାକିସ୍ତାନୀ ଭଉଣୀ

ନୂଆଦିଲ୍ଲୀ: ଭାଇଭଉଣୀର ଅପୂର୍ବ ବନ୍ଧନ ରାକ୍ଷୀ ପୂର୍ଣ୍ଣିମା । ଭଉଣୀ ନିଜ ଭାଇର ରକ୍ଷା ପାଇଁ ତା’ ହାତରେ ରାକ୍ଷୀ ବାନ୍ଧିଥାଏ ଏବଂ ଭଉଣୀର ଆଜୀବନ ସୁରକ୍ଷାର ଦାୟିତ୍ୱ ଭାଇ ନିଜ ଉପରକୁ ନେଇଥାଏ । ଏଭଳି ଜଣେ ଭଉଣୀ ହେଉଛନ୍ତି କମର୍‌ ଜହାଁ । ଯିଏ ଅହମ୍ମଦାବାଦରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଦିଲ୍ଲୀ ଆସିଛନ୍ତି । ଗତ ୨୪ ବର୍ଷ ଧରି ସେ ନିଜ ବଡଭାଇ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ବାନ୍ଧିଆସୁଛନ୍ତିି ।

ପାକିସ୍ତାନ କରାଚୀରୁ ବହୁ ବର୍ଷ ପୂର୍ବରୁ ଅହମ୍ମଦାବାଦ୍‌ ଆସି ରହିଥିବା କମର୍‌ ଜହାଁ କହିଛନ୍ତି ଯେ ଗତ ୨୪ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ବାନ୍ଧି ଆସୁଛନ୍ତି । କାର୍ଯ୍ୟକାଳରେ ଥିବା ସମୟରୁ ହିଁ ସେ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧି ଆସୁଛନ୍ତି ।

କମର୍‌ କହନ୍ତି ଭାଇ ମୋଦୀ ପ୍ରଥମରୁ ହିଁ ଖୁବ୍‌ ପରିଶ୍ରମୀ, ସଚ୍ଚୋଟବାଦୀ ଏବଂ କର୍ମ ପ୍ରତି ନିଷ୍ଠାବାନ ଥିଲେ, ଯେଉଁଥିପାଇଁ ସେ ଆଜି ଭାରତବର୍ଷର ପ୍ରଧାନମନ୍ତ୍ରୀ ଦାୟିତ୍ୱକୁ ସୂଚାରୁରୂପେ ନିଭାଉଛନ୍ତି । ଜଣେ ଭଉଣୀ ପାଇଁ ସବୁଠାରୁ ସୌଭାଗ୍ୟର କଥା ଆଉ କ’ଣ ହୋଇପାରେ ଯେ ତା’ ଭାଇ ଭାରତର ଜଣେ ପ୍ରଧାନସେବକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଉଣୀ ହୋଇଥିବାରୁ ମୁଁ  ଗର୍ବ ଅନୁଭବ କରେ । ମୁଁ ନିଜକୁ ସୌଭାଗ୍ୟଶାଳୀ ଭାବେ ଯେ ମୁଁ ପାକିସ୍ତାନରେ ଜନ୍ମ ହୋଇ ମଧ୍ୟ ଭାରତରେ ରହୁଛି । ଭାରତ ମୋତେ ସ୍ୱର୍ଗ ସୁଖ ଅର୍ପଣ କରିଛି।

ସ୍ୱାଧୀନତା ଦିବସ ଏବଂ ରାକ୍ଷୀ ଏକସଙ୍ଗରେ ପଡୁଥିବାରୁ ସେ ଭାଇଙ୍କୁ ରାକ୍ଷୀ ମଧ୍ୟ ବାନ୍ଧିବେ ଏବଂ ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଭାଷଣ ମଧ୍ୟ ଶୁଣିବେ । ଭାଇଙ୍କ ପାଇଁ କମର୍‌ ଏକ ସରପ୍ରାଇଜ୍‌ ଗିଫ୍‌ଟ ମଧ୍ୟ ଆଣିଛନ୍ତି ।

କମର୍‌ କୁହନ୍ତି. ‘ମୋ ଭାଇ ପ୍ରଧାନମନ୍ତ୍ରୀ ହେବା ପରେ ଦେଶ ପାଇଁ ବହୁ ହିତକର ନିଷ୍ପତ୍ତି ନେଇଛନ୍ତି । ମୁସଲିମ୍‌ ଭଉଣୀମାନଙ୍କ ପାଇଁ ରାକ୍ଷୀ ପୂର୍ବରୁ ତ୍ରିପଲ୍‌ ତଲାକ୍‌ ହଟାଇ ତାଙ୍କୁ ବହୁତ ବଡ ଉପହାର ଦେଇଛନ୍ତି । ଅନ୍ୟପକ୍ଷରେ କାଶ୍ମୀରରୁ ୩୭୦ ଏବଂ ୩୫ ଏ ଧାରା ଉଠାଇ କାଶ୍ମୀରବାସୀଙ୍କୁ ସ୍ୱାଧୀନ କରିଛନ୍ତି । ଏହାର ଫାଇଦା କାଶ୍ମୀରବାସୀ ଆଗାମୀ ସମୟରେ ଜାଣିପାରିବେ।

ସମ୍ବନ୍ଧିତ ଖବର