ପାକିସ୍ତାନ ବାରୁଦ ଗଦାରେ ବସିଛି

 

ନୂଆଦିଲ୍ଲୀ: ଆମେରିକା ବିଦେଶ ମନ୍ତ୍ରୀ ରେକ୍‌୍‌ସ ଟିଲରସନଙ୍କ ୩ ଦିନିଆ ଭାରତ ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି । ପାକିସ୍ତାନ ଗସ୍ତରୁ ଫେରିଥିବା ଟିଲରସନ କହିଛନ୍ତି ଯେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନଗୁଡ଼ିକ ଅନ୍ୟ ରାଷ୍ଟ୍ରରେ ଆକ୍ରମଣ କରୁଥିବା ବେଳେ ପାକିସ୍ତାନ ସରକାରର ସ୍ଥାୟୀତ୍ୱ ଓ ଦେଶର ସୁରକ୍ଷା ପ୍ରତି ବଡ଼ ଧରଣର ବିପଦ ଭାବେ ଦେଖାଦେଇଛନ୍ତି।। ଆତଙ୍କବାଦୀ ସଂଗଠନଗୁଡ଼ିକୁ ଧ୍ୱଂସ କରାନଗଲେ ଏହା ପାକିସ୍ତାନକୁ ଭୟଙ୍କର ବିପଦ ଆଡ଼କୁ ନେଇଯିବ ବୋଲି ସେ ଚେତାଇ ଦେଇଛନ୍ତି। ଆଜି ଟିଲରସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,  ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲଙ୍କ ସହିତ ଦ୍ୱିପାକ୍ଷିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।  ଭାରତୀୟ ସେନାର ଆଧୁନିକୀକରଣ ପାଇଁ ଆମେରିକା ତା’ର ସର୍ବଶ୍ରେଷ୍ଠ ଜ୍ଞାନକୌଶଳ ଭାରତକୁ ଯୋଗାଇଦେବ ଏବଂ ଏଫ୍‌ ୧୬ ଏବଂ ଏଫ୍‌ ୧୮ ଲଢ଼ୁଆ ବିମାନ ଭାରତକୁ ପ୍ରଦାନ ସଂକ୍ରାନ୍ତ ଚୁକ୍ତି ତ୍ୱରାନ୍ଵିତ ହେବ ବୋଲି ଟିଲରସନ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ପରେ ସେ କହିଛନ୍ତି ଯେ ଭାରତ ଓ ଆମେରିକାର ବନ୍ଧୁତା ନୂଆ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଉଭୟ ରାଷ୍ଟ୍ର ପରସ୍ପରର ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଆଗକୁ ବଢ଼ୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଏଚ୍‌୧ ବି ଭିସା ନେଇ ଜାରି କରିଥିବା କଟକଣା ଭାରତୀୟ ଆଇଟି କମ୍ପାନିଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିଥିବାରୁ ଏଥିରେ ତୁରନ୍ତ ସୁଧାର ଆଣିବା ଏବଂ ଏ ବାବଦ ନୀତି ପରିବର୍ତ୍ତନ କରିବା ପାଇଁ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଟିଲରସନଙ୍କୁ ଭାରତର ଦାବି ଜଣାଇଥିଲେ।   ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଦୁଇ ରାଷ୍ଟ୍ର ମଧ୍ୟରେ ଉଦ୍ୟୋଗ ବିକାଶ ନିମନ୍ତେ ମଧ୍ୟ ବୁଝାମଣା ନେଇ ବିସ୍ତତ ଆଲୋଚନା ହୋଇଛି।  ପ୍ରତିରକ୍ଷା ସାମଗ୍ରୀର ମିଳିତ ଉତ୍ପାଦନ ପାଇଁ ଉଭୟ ରାଷ୍ଟ୍ର ସହମତି ପ୍ରକାଶ କରିଥିବାରୁ  ଏହି ପ୍ରକ୍ରିୟା ଆଗକୁ ତ୍ୱରାନିତ୍ୱ ହେବ ବୋଲି ଟଲରସନ ଆଶାପ୍ରକାଶ କରିଛନ୍ତି।

Photo Courtesy of The Indian Express

ଆଲୋଚନାବେଳେ ପାକିସ୍ତାନରେ ଚାଲିଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିବା ପାଇଁ ଭାରତ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲା। ଉତ୍ତର କୋରିଆ ବିରୋଧରେ ଟ୍ରମ୍ପ୍‌ ପ୍ରଶାସନର କଠୋର ଆଭିମୁଖ୍ୟକୁ ମଧ୍ୟ ଭାରତ ସମର୍ଥନ କରୁଥିବା ସୁଷମା ଟିଲରସନଙ୍କୁ କହିଥିଲେ।  ଟିଲରସନ-ସୁଷମାଙ୍କ ଆଲୋଚନା ପରେ ଉଭୟେ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ। ସୁଷମା କହିଥିଲେ ଯେ  ଆମେରିକା ଯେଭଳି ଭାବେ ଭାରତକୁ  ସାମରିକ ଓ ଆର୍ଥିକ ଦୃଷ୍ଟିରୁ ଘନିଷ୍ଠ ସହଯୋଗୀ ଭାବେ ଗ୍ରହଣ କରିଛି ତାହା ଅଭିନନ୍ଦନୀୟ। ସେ କହିଥିଲେ ଯେ  ଆମେରିକା ସହିତ ସାମରିକ ଓ ଆର୍ଥିକ ଭାଗିଦାରୀକୁ ଭାରତ ସର୍ବଦା ପ୍ରାଧାନ୍ୟ ଦେଇଆସିଛି ।

ଉଭୟ ରାଷ୍ଟ୍ର ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ବିଶ୍ୱାସ କରୁଛନ୍ତି ଏବଂ ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇ ପାଇଁ ସହମତ ବୋଲି ଟିଲରସନ କହିଛନ୍ତି। ପାକିସ୍ତାନ ପ୍ରୟୋଜିତ ଆତଙ୍କବାଦ ଏବଂ ସୀମାପାର ଆତଙ୍କବାଦ ପ୍ରସଙ୍ଗ ଉଲ୍ଲେଖ କରି ସୁଷମା କହିଥିଲେ ଯେ ପାକିସ୍ତାନରେ ଆତଙ୍କବାଦୀ ଶିବିର ଧ୍ୱଂସ କରାଗଲେ ହିଁ ଟ୍ରମ୍ପ୍‌ ପ୍ରଶାସନର ଏ ବାବଦ ରଣନୀତି ସଫଳ ହେବ। ଭାରତର ଉଦ୍‌୍‌ବେଗକୁ ଟିଲରସନ ସମର୍ଥନ କରିଥିଲେ ଏବଂ ପାକିସ୍ତାନ ଏ ଦିଗରେ ପଦକ୍ଷେପ ନେବାକୁ ବାଧ୍ୟ ବୋଲି କହିଥିଲେ। ଭାରତ-ଉତ୍ତର କୋରିଆ ସଂପର୍କ ନେଇ ସୁଷମା କହିଥିଲେ ଯେ କୂଟନୈତିକ ସଂପର୍କ  ଉଭୟ ଦେଶ ମଧ୍ୟରେ ରହିଥିଲେ ମଧ୍ୟ ବାଣିଜ୍ୟିକ ସଂପର୍କ ଯଥେଷ୍ଟ କମ୍‌। କଥାବାର୍ତ୍ତାର ରାସ୍ତା ଖୋଲା ରଖିବା ପାଇଁ ଏଭଳି କେତେକ ସୁବିଧା ଉପଲବ୍ଧ ରହିବା ଜରୁରୀ ବୋଲି ସୁଷମା ଟିଲରସନଙ୍କୁ କହିଥିଲେ ଏବଂ ଟିଲରସନ ଏଥିରେ ସହମତି ପ୍ରକାଶ କରିଥିଲେ। ଆଜି ଟିଲରସନ ଏନ୍‌ଏସ୍‌ଏ ଡୋଭ ଲଙ୍କ ସହ ମଧ୍ୟ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର