ମୁଣ୍ଡ ନୁଆଇଁଲା ପାକିସ୍ତାନ: ଚୀନ୍‌ ମୁଦ୍ରା ବିନିଯୋଗକୁ ରାଜି

ନୂଆଦିଲ୍ଲୀ: ଚୀନ୍‌ ପାକିସ୍ତାନ ଅର୍ଥନୈତିକ କରିଡର୍‌(ସିପିଇସି) ଅନ୍ତର୍ଗତ ପାକିସ୍ତାନର ଗ୍ଵାଦର ବନ୍ଦର ପ୍ରକଳ୍ପରେ ଚୀନ୍‌ ମୁଦ୍ରା(ୟୁଆନ୍‌) ବିନିଯୋଗକୁ ପାକିସ୍ତାନ ବିରୋଧ କରିବାର ମାସକ ପରେ ପୁଣି ୟୁ ଟର୍ଣ୍ଣ କରିଛି। ନିଜ ଦେଶ ଭିତରେ ଚୀନ୍‌ ମୁଦ୍ରା ବିନିମୟକୁ ଦେଶର ଆର୍ଥିକ ସାର୍ବଭୌମତ୍ୱ ସହ ସାଲିସ୍‌ ବୋଲି ଅଭିଯୋଗ ଆଣି ପାକିସ୍ତାନ ନେଇଥିବା ନିଷ୍ପତ୍ତି  ଚୀନ୍‌ ଚାପରେ ପାଣି ଫୋଟକା ପାଲଟିଥିବା ଜଣାଇଯାଇଛି। ଗ୍ଵାଦର ବନ୍ଦର ପ୍ରକଳ୍ପ କାର୍ଯ୍ୟରେ ୟୁଆନ୍‌ ବିନିଯୋଗ କରିବା ଲାଗି ପାକିସ୍ତାନ ରାଜି ହେବା ସହ ୟୁଆନ୍‌କୁ ଆମେରିକୀୟ ଡଲାର ତୁଲ୍ୟ ମାନ୍ୟତା ଦେବାକୁ ମଧ୍ୟ ସମ୍ମତ ହୋଇଛି। ଏପରିକି ଚୀନ୍‌ ସହ ୟୁଆନ୍‌ ମାଧ୍ୟମରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ପାଇଁ ମଧ୍ୟ ପାକିସ୍ତାନ ପ୍ରସ୍ତୁତ ଥିବା କହିଛି।
ସୂଚନା ଥାଉ କି, ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ଚୀନ୍‌ ପାକିସ୍ତାନରେ ହେବାକୁ ଥିବା ସିପିଇସିର ୩ଟି ବୃହତ୍‌ ରାସ୍ତା ପ୍ରକଳ୍ପ ଅନୁଦାନକୁ ବନ୍ଦ କରିଦେଇଥିଲା। ଗତ ମାସ ୨୦ ତାରିଖରେ ଚୀନ୍‌ କର୍ତ୍ତୃପକ୍ଷ ଏହା ଘୋଷଣା କରିବା ପରେ ଚୀନ୍‌ ପ୍ରାୟୋଜିତ ଛଅ ହଜାର କୋଟି ଡଲାରର ସିପିଇସିରୁ ଭରପୂର ଫାଇଦା ଉଠାଇବାକୁ ମନ ବଳାଇଥିବା ପାକିସ୍ତାନର ମୁଣ୍ଡବଥା ବଢ଼ିଥିଲା। ଅପରପକ୍ଷେ, ତର୍ଜମା ପରେ ହିଁ ସେହି ସବୁ ପ୍ରକଳ୍ପକୁ ପୁଣି ଅନୁଦାନ ଦେବା କଥା ବିଚାର କରିବ ବୋଲି ଚୀନ୍‌ ସୂଚନା ଦେଇଥିଲା। ସୁତରାଂ ନିଜ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପାକ୍‌ ପ୍ରତିପକ୍ଷ ଚୀନ୍‌ର ଯାବତୀୟ ସର୍ତ୍ତ ପାଖରେ ମୁଣ୍ଡ ନୁଆଇଁଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର