ଇସ୍ଲାମୀୟ ମୌଳବାଦ ଦ୍ୱାରା କବଳିତ ହେଉଛି ପାକିସ୍ତାନ, ନିର୍ବାଚନରେ ଛିଡା ହୋଇଛନ୍ତି ଅନେକ ଆତଙ୍କବାଦୀ

ଇସ୍ଲାମାବାଦ : ପାକିସ୍ତାନ ଅଧିକରୁ ଅଧିକ ଇସ୍ଲାମୀୟ ମୌଳବାଦ ଦ୍ୱାରା କବଳିତ ହୋଇଯାଉଛି । ଆଗାମୀ ଦିନରେ କଠୋରପନ୍ଥୀ ଇସ୍ଲାମୀୟ ଦଳମାନେ ଯେ ଏହି ଦେଶକୁ ଶାସନ କରିବେ ତାହା ଏବେଠାରୁ ଜଳ ଦଳ ହୋଇ ଦେଖାଯାଉଛି । ଏପରି ହେଲେ କେବଳ ପାକିସ୍ତାନ ଜନତା ନୁହେଁ, ଆମ ଦେଶ ଭାରତ, ଆଫଗାନିସ୍ତାନ ଆଦି ବିଶେଷଭାବେ ପ୍ରଭାବିତ ହେବେ । ଆସନ୍ତା ୨୪ ତାରିଖରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଏବେ ପ୍ରଚାର ଚାଲିଛି । ପୂର୍ବାପେକ୍ଷା ଏଥର ସର୍ବାଧିକ ସଂଖ୍ୟକ କଠୋରପନ୍ଥୀ ଇସ୍ଲାମୀୟ ଦଳମାନେ ନିର୍ବାଚନରେ ପ୍ରାର୍ଥୀ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଅନ୍ୟତମ ହେଉଛି ତେହେରିକ ଲବାଇକ ପାକିସ୍ତାନ (ଟିଏଲପି) । ଏହି ଦଳ ସମୁଦାୟ ୧୫୨ଟି ପ୍ରାର୍ଥୀ ଛିଡା କରିଛି । ଏହି ଦଳର ମୁଖ୍ୟ ପ୍ରତିଶ୍ରୁତି ହେଉଛି ପାକିସ୍ତାନରେ ଧର୍ମୀୟ କାନୁନକୁ ଅଧିକ କଠୋର କରିବା । ବିଶେଷକରି ବ୍ଲାସଫେମି (ଇଶ୍ୱରନିନ୍ଦା) ଆଇନକୁ କଠୋର କରିବାକୁ ଏହି ଦଳ ନିଜର ନିର୍ବାଚନୀ ପ୍ରତିଶ୍ରୁତି ରଖିଛି ।

ଆଉ ଏକ ଦଳ ମୈଦାନରେ ଓହ୍ଲାଇଛି ତାହା ହେଉଛି ଆଲ୍ଲା-ହୁ ଆକବର ତେହେରିକ । ଏହା ପାକିସ୍ତାନର ଏକ ଛୋଟ ଦଳ ହେଲେ ମଧ୍ୟ ଏହି ଦଳ ଅଧିନରେ ହିଁ ନିର୍ବାଚନ ଲଢୁଛି ଅନ୍ତର୍ଜାତୀୟ ଆତଙ୍କବାଦୀ ହାଫିଜ ସଇଦ୍‌ । ତାହାର ନିଜସ୍ୱ ସଂଗଠନ ଜମାତ-ଉଲ-ଦାବାକି ଜାତିସଂଘ ନିଷିଦ୍ଧ ଘୋଷଣା କରିଥିବାରୁ ହାଫିଜ ସଇଦ ଆଲ୍ଲା-ହୁ ଆକବର ତେହେରିକ ନାମକ ରାଜନୈତିକ ଦଳ ନାଁରେ ନିର୍ବାଚନ ଲଢୁଛି । ହାଫିଜ ସଇଦ ପ୍ରାୟ ୨୬୫ ଜଣ ପ୍ରାର୍ଥୀଙ୍କୁ ଛିଡା କରିଛି । ସେମାନଙ୍କ ମଧ୍ୟରେ ତା ପୁଅ ଓ ଜ୍ୱାଇଁ ଅନ୍ତର୍ଭୁକ୍ତ ।

ସମ୍ବନ୍ଧିତ ଖବର