ପାକ୍‌ ବୈଦେଶିକ ମନ୍ତ୍ରୀଙ୍କ ବିବୃତିକୁ ନୂଆଦିଲ୍ଲୀର ଖଣ୍ଡନ ପରେ ୟୁ-ଟର୍ଣ୍ଣ ନେଲା ଇସ୍‌ଲାମାବାଦ

ଇସ୍‌ଲାମାବାଦ: ଭାରତ ଓ ପାକିସ୍ତାନ ମଧ୍ୟରେ ବନ୍ଦ ହୋଇ ଯାଇଥିବା ଦ୍ୱିପାକ୍ଷିକ କଥାବାର୍ତ୍ତାକୁ ଆଉଥରେ ଆରମ୍ଭ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପାକିସ୍ତାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ପତ୍ର ଲେଖିଛନ୍ତି ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ କରିଥିବା ଦାବିକୁ ଭାରତ ଆଜି ଖଣ୍ଡନ କରବାର ଘଣ୍ଟାଏ ନପୂରୁଣୁ ମାମଲାରୁ ୟୁ- ଟର୍ଣ୍ଣ ନେଇଯାଇଛି ପାକିସ୍ତାନ।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ରୂପେ ଶାହା ମେହେମ୍ମୁଦ୍‌ କୁରେସୀ ଶପଥ ଗ୍ରହଣ କରିବା ପରେ ପାକିସ୍ତାନୀ ଗଣମାଧ୍ୟମକୁ ବୟାନ ଦେଇ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପାକିସ୍ତାନୀ ପ୍ରତିପକ୍ଷ ଇମ୍ରାନ୍‌ ଖାନ୍‌ଙ୍କ ନିକଟକୁ ଏକ ପତ୍ର ଲେଖଛନ୍ତି। ଉକ୍ତ ପତ୍ରରେ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ବନ୍ଦ ହୋଇ ଯାଇଥିବା ଦ୍ୱିପାକ୍ଷିକ ଆଲୋଚନାକୁ ଆଉଥରେ ଆରମ୍ଭ କରିବା ସହ ଏହାକୁ ଆଗକୁ ବଢ଼ାଇବା ପାଇଁ ଆଗ୍ରହୀ ବୋଲି ଉଲ୍ଲେଖ କରିଛନ୍ତି। ହେଲେ, ଭାରତ ଦୃଷ୍ଟିକୁ ଏ ଘଟଣା ଆସିବା ପରେ ନୂଆଦିଲ୍ଲୀ ପକ୍ଷରୁ ଏହାକୁ ଖଣ୍ଡନ କରାଯିବା ସହ କୁହାଯାଇଥିଲା ଯେ ପାକିସ୍ତାନ ତେହରିକ୍‌-ଇ -ଇନ୍‌ସାଫ୍‌ ମୁଖ୍ୟ ଇମ୍ରାନ୍‌ ଖାନ୍‌ ପାକିସ୍ତାନର ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ ହେବା ପରେ ତାଙ୍କୁ କେବଳ ଅଭିନନ୍ଦନ ଜଣାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶୁଭେଚ୍ଛା ପତ୍ର ଲେଖିଥିଲେ। ଭାରତର ପ୍ରଧାନମନ୍ତ୍ରୀ ମୋଦି ଲେଖିଥିବା ପତ୍ରରେ କେଉଁଠାରେ ହେଲେ ବି ଉଭୟ ଦେଶ ମଧ୍ୟରେ ବନ୍ଦ ହୋଇ ଯାଇଥିବା ଦ୍ୱିପାକ୍ଷିକ ଆଲୋଚନାକୁ ଆଉଥରେ ଆରମ୍ଭ କରିବା ସହ ଏହାକୁ ଆଗକୁ ବଢ଼ାଇବା ପାଇଁ ଭାରତ ଆଗ୍ରହୀ ବୋଲି ଲେଖି ନାହାନ୍ତି। ବା ସଂପୃକ୍ତ ପତ୍ରରେ ଏ ସଂପର୍କରେ କୌଣସି ବି ଉଲ୍ଲେଖ ନାହିଁ।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହେମ୍ମୁଦ୍‌ କୁରେସୀଙ୍କ ଦାବିକୁ ଭାରତର ଏପ୍ରକାର ଦୃଢ଼ ଖଣ୍ଡନ ଦେଖି ପାକିସ୍ତାନ ବିଚଳିତ ହୋଇ ପଡ଼ିବା ସହ ସଙ୍ଗେ ସଙ୍ଗେ ମାମଲାରୁ ୟୁ-ଟର୍ଣ୍ଣ ନେଇଯାଇଛି। ଇସ୍‌ଲାମାବାଦସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ‘ଆଉଥରେ କଥାବାର୍ତ୍ତା ଆରମ୍ଭ ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କୌଣସି ପ୍ରକାରର ପ୍ରସ୍ତାବ ଦିଆଯାଇ ନାହିଁ। ବରଂ ଭାରତର ପ୍ରଧାନମନ୍ତ୍ରୀ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି, ‘ଶାନ୍ତି ଓ ପ୍ରଗତିରେ ବିଶ୍ୱାସ ରଖୁଥିବା ଭାରତ ସମସ୍ତଙ୍କ ସହ ଗଠନମୂଳକ ଓ ଭାବପୂର୍ଣ୍ଣ ସଂପର୍କ ରଖିବାରେ ବିଶ୍ୱାସ କରେ।’

ସମ୍ବନ୍ଧିତ ଖବର