ହଜ୍‌ ଯାତ୍ରୀଙ୍କ ସେବା ନିମନ୍ତେ କିନ୍ନରଙ୍କୁ ସାଉଦି ଆରବ ପଠାଇବ ପାକିସ୍ତାନ

ଇସ୍‌ଲାମାବାଦ୍‌: ଖୁଡ୍ଡାମୁଲ୍‌ ହୁଜ୍ଜାଜ୍‌ ବା ଯାତ୍ରୀଙ୍କ ସେବକ ଭାବେ ଏ ବର୍ଷ ପାକିସ୍ତାନ ସାଉଦି ଆରବକୁ କିନ୍ନରମାନଙ୍କୁ ପଠାଇବ।
ସାଉଦି ଆରବକୁ ପଠାଯାଉଥିବା ୧୫୦ରୁ ଊର୍ଦ୍ଧ୍ୱ ସ୍କାଉଟ୍‌ ବୟ ଟିମ୍‌ର ଅଂଶବିଶେଷ ଭାବେ କିନ୍ନରମାନଙ୍କୁ ପଠାଯିବ ବୋଲି ପାକିସ୍ତାନର ଅଧିକାରୀମାନେ କହିଛନ୍ତି।

ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ଖୁଡ୍ଡାମୁଲ୍‌ ହୁଜ୍ଜାଜ୍‌ ଭାବେ କିନ୍ନରମାନଙ୍କୁ ସାଉଦି ଆରବ ପଠାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।
‘ବ୍ଲୁ ଭେନ୍‌ସ୍‌’ ନାମକ ଏକ କିନ୍ନର କଲ୍ୟାଣ ସଂସ୍ଥାନ ଏହି ଉଦ୍ୟମରେ ସରକାରଙ୍କୁ ସାହାଯ୍ୟ କରୁଛି।

ସେ କହିଛନ୍ତି: ପ୍ରତ୍ୟେକ ପ୍ରଦେଶରୁ ଅନ୍ୟୂନ ଦୁଇ ତିନିଜଣ କିନ୍ନର ମନୋନୀତ କରାଯାଇ ପ୍ରତିବର୍ଷ ସାଉଦି ଆରବ ଯାଉଥିବା ସ୍କାଉଟ୍‌ ସଙ୍ଘରେ ସାମିଲ କରାଯିବେ।

ଜାତୀୟ ସ୍କାଉଟିଙ୍ଗ୍‌ ଅର୍ଗାନାଇଜେସନ୍‌ ଏବଂ ଦେଶର ସବୁଠୁ ବଡ଼ ସ୍ୱେଚ୍ଛାସେବୀ ବଳ ‘ପାକିସ୍ତାନ ବୟ ସ୍କାଉଟ୍‌ସ୍‌ ଆସୋସିଏସନ୍‌ ’ରେ ଯୋଗ ଦେବା ପାଇଁ ନିକଟରେ ସିନ୍ଧ୍‌ ପ୍ରଦେଶରୁ ୪୦ ଜଣ ଯୁବ କିନ୍ନର ଶପଥ ପାଠ କରିଛନ୍ତି।

୧୫୦ ଜଣ ବୟ ସ୍କାଉଟ୍‌ଙ୍କ ଦଳରେ କିନ୍ନରମାନେ ଅଂଶବିଶେଷ ସାଜିବେ। ଗତବର୍ଷ ଶତଧିକ ବୟ ସ୍କାଉଟ୍‌ ସାଉଦି ଆରବ ପଠାଯାଇଥିବା କଥା ସେ ଅଧିକାରୀ ଜଣକ କହିଛନ୍ତି।

‘ବ୍ଲୁ ଭେନ୍‌’ର ପ୍ରୋଗ୍ରାମ୍‌ କୋଅଡିନେଟର୍‌ କାମର୍‌ ନସୀମ କହନ୍ତି: ସିନ୍ଧ୍‌ରୁ ୪୦ ଜଣ କିନ୍ନରଙ୍କୁ ମନୋନୀତ କରିବା ପରେ ଆମେ ପଞ୍ଜାବ, ଖାଇବର ପାଖ୍‌ତୁନ୍‌ଖ୍ଵା ଏବଂ ବାଲୋଚିସ୍ତାନରୁ କିନ୍ନର ମନୋନୟନ କରିବା ଯୋଜନା କରୁଛୁ।

ସେ କହିଛନ୍ତି: ଆମ ସମାଜରେ କିନ୍ନରମାନଙ୍କୁ ଗ୍ରହଣୀୟତା ବଢ଼ାଇବାକୁ ଏହା ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ନେବା ସହ ପରିସ୍ଥିତିର ପରିବର୍ତ୍ତକ ଭାବେ କାମ କରିବ।

ସମ୍ବନ୍ଧିତ ଖବର