ଆମେରିକାକୁ ଧମକାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ପାକିସ୍ତାନର ଦୋମୁହାଁ ନୀତି ଯୋଗୁଁ କ୍ଷୁବ୍ଧ ଆମେରିକା ପାକିସ୍ତାନକୁ ମିଳୁଥିବା ୨ ଶହ କୋଟି ଡଲାର ଆର୍ଥିକ ସହାୟତା ବନ୍ଦ କରିବା ପରେ ଏହାକୁ ନେଇ ଉଭୟ ରାଷ୍ଟ୍ର ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନରେ ଆମେରିକା ବିରୋଧୀ ଆନ୍ଦୋଳନ ତୀବ୍ର ହେବାପରେ ଏବେ ସରକାର ଆମେରିକା ସହିତ ସବୁ ସଂପର୍କ ଛିନ୍ନ କରିବାକୁ ଧମକ ଦେଇଛନ୍ତି। ଆଫଗାନିସ୍ତାନରେ ଥିବା ଆମେରିକାର ସୈନିକଙ୍କ ପାଇଁ ସାମଗ୍ରୀ ଯୋଗାଣ ନିମନ୍ତେ ପାକିସ୍ତାନ ସହଯୋଗ କରିବ ନାହିଁ ବୋଲି ଆଜି ସ୍ପଷ୍ଟ କରିଦେଇଛି। କୌଣସି ଆମେରିକୀୟ ସାମରିକ ବିମାନ ପାକିସ୍ତାନରୁ ଉଡ଼ାଣ ଅନୁମତି ପାଇବ ନାହିଁ ଏବଂ ଆମେରିକାକୁ ଦିଆଯାଉଥିବା ସାମରିକ ଗୁଇନ୍ଦା ସହାୟତା ମଧ୍ୟ ବନ୍ଦ କରାଯିବ ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୁରାମ୍‌ ଦାସ୍ତଗିର୍‌୍‌ ଖାନ୍‌ କହିଛନ୍ତି। ଆଫଗାନିସ୍ତାନରେ ଚାଲିଥିବା ଆତଙ୍କବାଦ ପାଇଁ ଆମେରିକା ଏବେ ସିଧାସଳଖ ପାକିସ୍ତାନକୁ ଦାୟୀ କରି ଆର୍ଥିକ କଟକଣା ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଛି। ଆମେରିକା ସହ ସବୁ ପ୍ରକାର ସାମରିକ ସଂପର୍କ ଛିନ୍ନ କରିବା ପାଇଁ ପାକ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନକୁ ଆମେରିକା ଗମ୍ଭୀରତାର ସହ ନେଇଛି। ପାକିସ୍ତାନ ଆମେରିକାକୁ ଆଫଗାନିସ୍ତାନରେ ପହଞ୍ଚିବା ପାଇଁ ନିଜ ବିମାନ ଘାଟି ବ୍ୟବହାର କରିବାକୁ ଦେବନାହିଁ ବୋଲି ଘୋଷଣା କରିବା ପରେ ଆମେରିକା ଏବେ ମଧ୍ୟ ଏସୀୟ ରାଷ୍ଟ୍ର ଏବଂ ରୁଷ୍‌ ସହିତ କଥାବାର୍ତ୍ତା ଆରମ୍ଭ କରିଦେଇଥିବା ଜଣାପଡ଼ିଛି। ରୁଷ୍‌ ସହାୟତାରେ ଆଫଗାନିସ୍ତାନରେ ପହଞ୍ଚିବାକୁ ଆମେରିକା ସକ୍ଷମ ହେଲେ ଆଉ ପାକିସ୍ତାନ ଉପରେ ଆଦୌ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ ବୋଲି ବିଦେଶ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଷ୍ଟିଭେନ୍‌ ଗୋଲ୍‌ଡ କହିଛନ୍ତି।

ଗୁଇନ୍ଦା ଓ ସାମରିକ ସହଯୋଗ ବନ୍ଦ କରିବ
ଆଫଗାନିସ୍ତାନକୁ ଉଡ଼ାଣ ଅନୁମତି ଦେବନାହିଁ
ବିକଳ୍ପ ମାର୍ଗ ପାଇଁ ଆମେରିକାର ପ୍ରୟାସ ଆରମ୍ଭ

ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ପାକିସ୍ତାନ ବିରୋଧରେ ଅତ୍ୟନ୍ତ କଡ଼ା ମନ୍ତବ୍ୟ ଦେବା ସହ ଜାନୁଆରି ୧ ତାରିଖରୁ ସମସ୍ତ ଆର୍ଥକ ସହାୟତା ବନ୍ଦ ରଖିବାକୁ ଘୋଷଣା କରିବା ପରେ ପାକିସ୍ତାନରେ ହାହାକାର ସୃଷ୍ଟି ହୋଇଛି। ବିବ୍ରତ ପାକିସ୍ତାନ ଏବେ ଚୀନ୍‌ର ନିକଟତର ହେବାକୁ ଚେଷ୍ଟା କରୁଛି ଏବଂ ଆମେରିକାକୁ କୌଣସି ସାମରିକ ସହାୟତା ସୁଯୋଗ ନଦେଇ ଆଫଗାନିସ୍ତାନରେ ଥିବା ଆମେରିକୀୟ ସୈନ୍ୟଙ୍କ ଅଡ଼ୁଆ ବଢ଼ାଇବାକୁ ଧମକାଇଛି। ପାକିସ୍ତାନ ଯୋଗାଣ ମାର୍ଗ ବନ୍ଦ କଲେ ଏହା ତୁରନ୍ତ ବିକଳ୍ପ ମାର୍ଗ ଖୋଜିବାରେ ସକ୍ଷମ ହେବ ଏବଂ ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ଲେଫ୍‌୍‌ଟନାଣ୍ଟ କର୍ଣ୍ଣେଲ ଫଲ୍‌୍‌ନେର କହିଛନ୍ତି।

ସମ୍ବନ୍ଧିତ ଖବର