ଭାରତକୁ ପାକିସ୍ତାନର ଧମକ :ଦୁଃସାହସିକ ପଦକ୍ଷେପ ନେଲେ ପରିଣାମ ଭୋଗିବ

ନୂଆଦିଲ୍ଲୀ : ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନରେ ୪ ଭାରତୀୟ ଯବାନ ସହିଦ ହେବା ଘଟଣାକୁ ନେଇ ଗତକାଲି ଭାରତୀୟ ସେନାବାହିନୀ ଯେଉଁ କଡ଼ା ବୟାନ ଜାରି କରିଥିଲା ତାହାକୁ ଅତି ଗମ୍ଭୀରତାର ସହ ନେଇଛି ପାକିସ୍ତାନ। ଭାରତୀୟ ସେନାବାହିନୀ ପାକିସ୍ତାନ କାର୍ଯ୍ୟର ଉଚିତ୍‌ ଜବାବ ଦେବ ବୋଲି ଗତକାଲି ଭାରତୀୟ ସେନାବାହିନୀର ଉପମୁଖ୍ୟ ସରତ ଚାନ୍ଦ କହିବାପରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୁରାମ ଦସ୍ତାଗିର୍‌ ଆଜି ଏନେଇ ଭାରତକୁ ଧମକ ଦେଇଛନ୍ତି। ଭାରତର କୌଣସି ଦୁଃସାହସିକ କାର୍ଯ୍ୟ ପାଇଁ ଏହାକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଭାରତ କୌଣସି ଦୁଃସାହସିକ ପଦକ୍ଷେପ ନେଲେ ଏହାର ଫଳାଫଳ ଭୋଗିବାକୁ ପ୍ରସ୍ତୁତ ରହିବା ଦରକାର ବୋଲି ସେ ଚେତାଇ ଦେଇଛନ୍ତି। ପାକିସ୍ତାନ ଭାରତ ସହ ହୋଇଥିବା ୨୦୦୩ ଅସ୍ତ୍ରବିରତି ଚୁକ୍ତି ସହ ପ୍ରତିଶ୍ରୁତିବଦ୍ଧ କିନ୍ତୁ ଯୁଦ୍ଧ ପରିସ୍ଥିତିରେ ଏହାକୁ ଆଦୌ ଏକ ଦୁର୍ବଳତା ଭାବେ ଗ୍ରହଣ କରିବା ଉଚିତ୍‌ ନୁହେଁ ବୋଲି ଖୁରାମ୍‌ କହିଛନ୍ତି। ଅନ୍ୟପକ୍ଷରେ ନିୟନ୍ତ୍ରଣ ରେଖା ନିକଟରେ ଭାରତ ବିନା କାରଣରେ ଗୁଳିବର୍ଷା କରୁଛି ବୋଲି ପାକିସ୍ତାନ ଅଭିଯୋଗ କରିବା ସହ ଭାରତର ଡେପୁଟି ହାଇ କମିସନର ଜେପି ସିଂହଙ୍କୁ ସମନ୍‌ କରିଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ପାକିସ୍ତାନ ତୁହାକୁ ତୁହା ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ବେଳେ ଏବେ ଏଲ୍‌ଓସିରେ ଭାରତର ଆଗୁଆ ପୋଷ୍ଟଗୁଡ଼ିକୁ ଟାର୍ଗେଟ୍‌ କରୁଛି । ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଏଲ୍‌୍‌ଓସିରେ ଉତ୍ତେଜନା ଜାରି ରଖିଥିବା ପାକିସ୍ତାନକୁ ଭାରତୀୟ ସେନା ଏଲଓସିର ସବୁ ଅଂଚଳରେ ଯଥୋଚିତ ଜବାବ ଦେଉଛି ବୋଲି ଭାରତୀୟ ସେନା ପ୍ରବକ୍ତା କହିଛନ୍ତି ।

ସମ୍ବନ୍ଧିତ ଖବର