ଭିନ୍ନ ଏକ ପ୍ରେମ କାହାଣୀ : ପ୍ରେମିକାକୁ ବଞ୍ଚାଇବାକୁ ଯାଇଥିବା ବେଳେ ହମିଦ୍‌ ଅନ୍‌ସାରୀଙ୍କୁ ପଛପଟୁ ଛୁରୀକାଘାତ କରିଥିଲା ପାକିସ୍ତାନୀ ବନ୍ଧୁ !

ନୂଆଦିଲ୍ଲୀ: ବଲିଉଡ୍‌ ସିନେମା ‘ବୀର୍‌ ଜାରା’ ବା ‘ହୀନା’ର କାହାଣୀ ପରି ଏହା କୌଣସି କାଳ୍ପନିକ କାହାଣୀ ନୁହେଁ। ବରଂ ଭାରତୀୟ ନାଗରିକ ହାମିଦ୍‌ ଅନ୍‌ସାରୀଙ୍କ ଅଙ୍ଗେନିଭା କାହାଣୀ। ଫେସ୍‌ବୁକ୍‌ରେ ଜନୈକା ପାକିସ୍ତାନୀ ଯୁବତୀଙ୍କ ସହ ପ୍ରେମରେ ପଡ଼ିବା ପରେ ହମିଦ୍‌ କିପରି ପାକିସ୍ତାନ ଗଲେ ଓ ତାଙ୍କୁ ସାହାଯ୍ୟ ଓ ସହଯୋଗ କରିବେ ବୋଲି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇ ତାଙ୍କର ଅନ୍ୟଜଣେ ପାକିସ୍ତାନୀ ବନ୍ଧୁ କିପରି ଭାବେ ପ୍ରତାରଣା ସହ ପଛପଟୁ ଛୁରୀକାଘାତ କଲେ, ସେ ପୂରା କାହାଣୀ ଏବେ ନିଜ ମୁହଁରେ ବର୍ଣ୍ଣନା କରିଛନ୍ତି ହମିଦ୍‌। ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଜେଲ୍‌ର କାଳ କଠୋରୀରେ ଦୀର୍ଘ ୬ ବର୍ଷ କାଳ ବନ୍ଦୀ ଜୀବନ ବିତାଇବା ପରେ ଅବଶେଷରେ ଗତକାଲି (ମଙ୍ଗଳବାର) ଜୀବିତାବସ୍ଥାରେ ଭାରତ ଫେରି ଆସିବାରେ ସମର୍ଥ ହୋଇଛନ୍ତି ହମିଦ୍‌।

ନିଜ ପ୍ରେମ ଓ ପ୍ରତାରଣାର କାହାଣୀ ସଂପର୍କରେ ସବିଶେଷ ବିବରଣୀ ଦେବାକୁ ଯାଇ ହାମିଦ୍‌ କହନ୍ତି, ଫେସ୍‌ବୁକ୍‌ରେ ପ୍ରଥମେ ଜଣେ ପାକିସ୍ତାନୀ ଯୁବତୀ ସହ ବନ୍ଧୁତା ସ୍ଥାପିତ ହେଲା। ପରେ ଏହି ବନ୍ଧୁତା ରୂପାନ୍ତରିତ ହୋଇଥିଲା ପ୍ରେମରେ। କ୍ରମେ ପ୍ରେମ ଏତେ ନିବିଡ଼ ହୋଇଗଲା ଯେ ଆମେ ଉଭୟେ ନିଷ୍ପତ୍ତି ନେଇଥିଲୁ ପରସ୍ପରକୁ ବିବାହ କରିବାକୁ। ତେବେ, କୌଣସି କାରଣ ବଶତଃ ପାକିସ୍ତାନୀ ଝିଅଟିର ପରିବାର ଲୋକେ ତା’ ବାହାଘର ଅନ୍ୟତ୍ର କରିଦେବାକୁ ବାହାରିଥିଲେ। କିନ୍ତୁ, ପାକିସ୍ତାନୀ ଝିଅ ଚାହୁଁଥିଲା ମୋତେ ବାହା ହେବାକୁ। ତେଣୁ, ଏ ପରିସ୍ଥିତିରୁ ତାକୁ ମୁକୁଳେଇବାକୁ ସେ ମୋତେ ଅନୁରୋଧ କଲା। ମୁଁ ମଧ୍ୟ ସେତେବେଳକୁ ତା’ ପ୍ରେମରେ ପାଗଳ ପ୍ରାୟ ହୋଇ ଯାଇଥିଲି। ତାକୁ ଏ ପରିସ୍ଥିତିରୁ ମୁକୁଳାଇବା ପାଇଁ ମୁଁ ପାକିସ୍ତାନ ଯିବାକୁ ମନ ସ୍ଥିର କରିନେଲି। ଏବଂ ଭିସା ପାଇଁ ଆବେଦନ କଲି। ମାତ୍ର ମୋତେ ଭିସା ମିଳିଲା ନାହିଁ। ମନ ଦୁଃଖରେ ରହିଥାଏ। ଚିନ୍ତା କରୁଥାଏ କ’ଣ କରିବି? କେମିତି ଯିବି ପାକିସ୍ତାନ?

ଏହିପରି ଚିନ୍ତାରେ ଥିବା ବେଳେ ମୋ ଫେସ୍‌ବୁକ୍‌ର ଫ୍ରେଣ୍ଡଲିଷ୍ଟରେ ଥିବା ଅନ୍ୟ ଜଣେ ବନ୍ଧୁର ସହାୟତା ଲୋଡ଼ିଲି। ମୋ ଠାରୁ ସବୁ କଥା ଶୁଣିବା ପରେ ଏ ମାମଲାରେ ସେ ମେତେ ସାହାଯ୍ୟ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଲା। ଏବଂ ପରାମର୍ଶ ଦେଇ କହିଲା, ତୁ ଖାଲି ଆଫ୍‌ଗାନିସ୍ତାନ ବାଟଦେଇ ଆସି ଥରେ ପାକିସ୍ତାନ ମାଟିରେ ପହଞ୍ଚିଯା; ତା’ପରେ ମୁଁ ତୋର ସବୁ ବନ୍ଦୋବସ୍ତ କରିଦେବି।

ସେତେବେଳେ ମୁଁ ଅନ୍ୟ କୌଣସି କୂଳ କିନାରା ପାଇ ନଥିବା ବେଳେ ତା’ କଥାକୁ ବିଶ୍ୱାସ କରି ତା’ ପରାମର୍ଶ ଅନୁଯାୟୀ କାମ ଆରମ୍ଭ କରିଦେଲି। ଏବଂ ଆଫଗାନିସ୍ତାନର ତୁର୍କହାମ୍‌ ବର୍ଡର ଦେଇ ଯାଇ ପହଞ୍ଚିଗଲି ପାକିସ୍ତାନର ପେଶଓ୍ଵାରରେ। ହେଲେ, ପେଶଓ୍ଵାରରେ ପହଞ୍ଚିବା ପରେ ସେଇ ପାକିିସ୍ତାନୀ ବନ୍ଧୁ ମୋ ସହ କଲା ପ୍ରତାରଣା ଓ ପଛପଟୁ ଛୁରୀକାଘାତ! ସେ ମୋତେ ଗୋଟିଏ ଜାଲ ପରିଚୟ ଦେବା ସହ କହିଲା, ଆଉ କିଛି ଅସୁବିଧା ହେବ ନାହିଁ। ତେଣେ, ପାକିସ୍ତାନୀ ଅଧିକାରୀମାନଙ୍କୁ ମୋ ବାବଦରେ ସବୁ କିଛି ତଥ୍ୟ ଦେଇଦେଲା। ତେଣୁ, ମୁଁ କିଛି ବୁଝିବା ଆଗରୁ ପାକିସ୍ତାନୀ ଅଧିକାରୀମାନେ ମୋତେ ଗୁପ୍ତଚରର ଆଖ୍ୟା ଦେଇ ବନ୍ଦୀ କରିନେଲେ।

୨୦୧୨ରେ ପାକିସ୍ତାନରେ ଗିରଫ ହେବା ପରେ ୨୦୧୫ ଡିସେମ୍ବର ୧୫ରେ ପାକିସ୍ତାନର ଅଦାଲତ ମୋତେ ୬ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ମୁଁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ପେଶଓ୍ଵାରର କେନ୍ଦ୍ରୀୟ କାରାଗାରର କାଳ କଠୋରୀ ମଧ୍ୟରେ ବିତାଉଥିଲି ବନ୍ଦୀ ଜୀବନ।

ସମ୍ବନ୍ଧିତ ଖବର