ପାକିସ୍ତାନରେ ଭାରତୀୟ ଟିଭିି ଚ୍ୟାନେଲର ବ୍ୟୁରୋ ମୁଖ୍ୟ ଥିବା ପାକିସ୍ତାନୀ ସାମ୍ବାଦିକଙ୍କୁ ଅପହରଣ ଉଦ୍ୟମ

ଇସ୍‌ଲାମାବାଦ୍‌: ପାକିସ୍ତାନ୍‌ରେ ଏକ ଭାରତୀୟ ଟିଭି ଚ୍ୟାନେଲ୍‌ ପାଇଁ କାର୍ଯ୍ୟ କରୁଥିବା ଜନୈକ ପାକିସ୍ତାନୀ ସାମ୍ବାଦିକଙ୍କୁ କେତେକ ଅଜ୍ଞାତ ସଶସ୍ତ୍ର ବ୍ୟକ୍ତି ଆଜି ସକାଳେ ଅପହରଣ କରିନେବା ପାଇଁ ଉଦ୍ୟମ କରୁଥିବା ବେଳେ ସେ ସେମାନଙ୍କ କବଳରୁ ଅଳ୍ପକରେ ଖସି ଆସିବାରେ ସମର୍ଥ ହୋଇଛନ୍ତି।

ଅପହରଣକାରୀମାନଙ୍କ କବଳରୁ ଖସି ଆସିବାରେ ସମର୍ଥ ହୋଇଥିବା ପାକିସ୍ତାନୀ ସାମ୍ବାଦିକ ଜଣକ ହେଉଛନ୍ତି ତାହା ସିଦ୍ଦିକି। ସେ ଭାରତୀୟ ଟିଭି ଚ୍ୟାନେଲ୍‌ ଡବ୍‌ଲ୍ୟୁଆଇଓଏନ୍‌ର ପାକିସ୍ତାନ ବ୍ୟୁରୋ ଚିଫ୍‌ ଭାବେ କାର୍ଯ୍ୟ କରିବା ସହ ଫ୍ରାନ୍‌ସ ୨୪ ଚ୍ୟାନେଲ୍‌ ପାଇଁ ମଧ୍ୟ କାର୍ଯ୍ୟ କରନ୍ତି। ଆଜି ସକାଳେ ଏକ ଟ୍ୟାକ୍ସି ଯୋଗେ ଇସ୍‌ଲାମାବାଦ ବିମାନ ବନ୍ଦରକୁ ଯାଉଥିବା ବେଳେ ରାଓ୍ଵଲପିଣ୍ଡି ନିକଟରେ କେତେକ ଅଜ୍ଞାତ ସଶସ୍ତ୍ର ବ୍ୟକ୍ତି ତାଙ୍କୁ ଅପହରଣ କରିନେବା ପାଇଁ ଉଦ୍ୟମ କରିଥିଲେ।

ଏହି ଅପହରଣ ଘଟଣା ସଂପର୍କରେ ନିଜର ଜଣେ ବନ୍ଧୁଙ୍କ ଟ୍ଵିଟର ଆକାଉଣ୍ଟରେ ଉଲ୍ଲେଖ କରି ସାମ୍ବାଦିକ ସିଦ୍ଦିକି ଲେଖିଛନ୍ତି, ‘ଆଜି ସକାଳ ୮ଟା୨୦ ମିନିଟ ସମୟରେ ମୁଁ ଏକ ଟ୍ୟାକ୍ସିରେ ଯାଉଥିବା ବେଳେ ୧୦ରୁ ୧୨ ଜଣ ସଶସ୍ତ୍ର ବ୍ୟକ୍ତି ମୋ ଟ୍ୟାକ୍ସିକୁ ଅଟକାଇବା ସହ ମୋତେ ବଳପୂର୍ବକ ଅପହରଣ କରିନେବାକୁ ଉଦ୍ୟମ କରିଥିଲେ। ତେବେ ସୌଭାଗ୍ୟ କ୍ରମେ ମୁଁ ସେମାନଙ୍କ କବଳରୁ ଖସି ଆସିବାରେ ସମର୍ଥ ହୋଇଛି। ଏବଂ ଏବେ ପୋଲିସ୍‌ ନିକଟରେ ଅଛି।’

ନିଜର ଅପହରଣ ବାବଦରେ ବିଶଦ ବିବରଣୀ ଦେବାକୁ ଯାଇ ସାମ୍ବାଦିକ ସିଦ୍ଦିକି ଏକ ସମ୍ବାଦ ସରବରାହ ସଂସ୍ଥାକୁ କହିଛନ୍ତି ଯେ ସେ ଟ୍ୟାକ୍ସିରେ ଯାଉଥିବା ବେଳେ ୧୦ରୁ ୧୨ ଜଣ ବ୍ୟକ୍ତି ମୁହଁରେ କଳାକନା ଗୁଡ଼ାଇ ଆସି ତାଙ୍କର ଟ୍ୟାକ୍ସିକୁ ଅଟକାଇ ଥିଲେ। ସେମାନେ ସମସ୍ତଙ୍କ ହାତରେ ରାଇଫଲ୍‌ ଓ ବନ୍ଧୁକ ଥିଲା। ସେମାନେ ସିଦ୍ଦିକିଙ୍କୁ ମାଡ଼ ମାରିବା ସହ ଗାଡ଼ି ଭିତରୁ ପଦାକୁ ଟାଣି ଆଣିଥିଲେ। ଏହି ସମୟରେ ସେମାନଙ୍କ ନିକଟରେ ଆସି ଆଉ ଏକ ଗାଡ଼ି ଅଟକିଥିଲା। ସେଇ ଗାଡ଼ିର ପଛରେ ପକାଇ ସେମାନେ ତାଙ୍କୁ ଅପହରଣ କରିନେବାକୁ ଉଦ୍ୟମ କରୁଥିଲେ। ହେଲେ, ସେଇ ଗାଡ଼ିର ଗୋଟିଏ ପାଖ କବାଟ ଖୋଲା ଥିବାରୁ ସେ ସେଇ ବାଟ ଦେଇ ଖସି ଆସିବାରେ ସମର୍ଥ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ପାକିସ୍ତାନର ସାମରିକ ବିଭାଗ ସଂପର୍କରେ କିଛି ଖବର ପ୍ରସାରଣ କରିବା ପରେ ତାଙ୍କୁ ଗତ ପ୍ରାୟ ଏକ ମାସ ଧରି ଧମକ ମିଳିବା ସହ ଅପହରଣ କରି ନିଆଯିବ ବୋଲି ଧମକ ଦିଆ ଯାଉଥିଲା।

ସମ୍ବନ୍ଧିତ ଖବର