ପାକିସ୍ତାନୀ ପୁରୁଷଙ୍କ ପତ୍ନୀମାନଙ୍କୁ ଉଠାଇନେଇଛି ଚୀନ ! ଘଟଣା କ’ଣ ଜାଣନ୍ତୁ

ଇସ୍ଲାମାବାଦ : ଚୀନର ପଶ୍ଚିମାଞ୍ଚଳରେ ଥିବା ମୁସଲିମ ବହୁଳ ଜିନଜିଆଙ୍ଗ ପ୍ରଦେଶରେ ଏବେ କମ୍ୟୁନିଷ୍ଟ ଚୀନ ସରକାରଙ୍କ ଅତ୍ୟାଚାର ସୀମା ଟପିଲାଣି । ଏ ଅଞ୍ଚଳରେ ଲକ୍ଷ ଲକ୍ଷ ଉଇଘୁର ମୁସଲମାନଙ୍କୁ ସରକାର ବଳପୂର୍ବକ ଅପହରଣ କରି କେତେକ ଗୋପନ କ୍ୟାମ୍ପରେ ରଖାଯାଇଥିବା ଅଭିଯୋଗ ହୋଇଛି । ଏପରିକି କେତେକ ପାକିସ୍ତାନୀ ପୁରୁଷଙ୍କ ଉଇଘୁର ପତ୍ନୀମାନଙ୍କୁ ମଧ୍ୟ ଉଠାଇନିଆଯାଇଛି । ଏହାକୁ ନେଇ ଉକ୍ତ ପାକିସ୍ତାନୀମାନେ ପ୍ରବଳ ବିରୋଧ କରିଛନ୍ତି । ଗତ ବର୍ଷ ମେ ଓ ଜୁନମାସରେ ଏମାନଙ୍କୁ ଚୀନ ସରକାର ଉଠାଇନେଇଥିଲେ, କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳୁନାହିଁ ବୋଲି ଏହି ପାକିସ୍ତାନୀମାନେ ଅଭିଯୋଗ କରିଛନ୍ତି । ପାକିସ୍ତାନର ଜଣେ ପୁରୁଖା ମିଲିଟାରୀ ବିଶେଷଜ୍ଞ ଜୈଦ ହମିଦ କହିଛନ୍ତି ଯେ ପାକିସ୍ତାନୀ ବ୍ୟବସାୟୀମାନଙ୍କ ଚୀନା (ଉଇଘୁର) ପତ୍ନୀମାନଙ୍କୁ ଚୀନ ସରକାର ଜବରଦସ୍ତି ଉଠାଇନେଇଛନ୍ତି ଓ ବନ୍ଦୀ କରି ରଖିଛନ୍ତି । ସେମାନଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ସେ ଦାବି କରିଛନ୍ତି ।

ଗତ ଅଗଷ୍ଟମାସରେ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଚୀନ ପକ୍ଷରୁ ପ୍ରାୟ ୨୦ ଲକ୍ଷ ଓ୍ଵିଘର ଓ ମୁସଲିମ ସଂଖ୍ୟାଲଘୁଙ୍କୁ ଜବରଦସ୍ତି ବିଭିନ୍ନ ରାଜନୈତିକ କ୍ୟାମ୍ପରେ ରଖି ସେମାନେ ଯେପରି ଧର୍ମ ତଥା ରୀତିନୀତିକୁ ଭୁଲି କମ୍ୟୁନିଜିମକୁ ଗ୍ରହଣ କରିବେ ସେ ନେଇ ସେମାନଙ୍କୁ ଜବରଦସ୍ତି ଶିକ୍ଷା ଦିଆଯାଉଛି । ପଶ୍ଚିମ ଚୀନରେ ଥିବା ଜିଜିଆଙ୍ଗ ରାଜ୍ୟ ମୁସଲିମ ବହୁଳ ହୋଇଥିବାରୁ ସେଠାରେ ଇସ୍ଲାମିକ ଆନ୍ଦୋଳନ ଦିନକୁ ଦିନ ବଢିବାରେ ଲାଗିଛି । ବିଚ୍ଛିନ୍ନତାବାଦ ମଧ୍ୟ ବଢିଚାଲିଛି । ଏ ଅଂଚଳରେ ଆତଙ୍କବାଦ ମଧ୍ୟ ଦିନକୁ ଦିନ ବଢିଚାଲିଛି ବୋଲି ଚୀନ ସ୍ୱୀକାର କରିଛି । ଏହାକୁ ଦମନ କରିବାକୁ ଚୀନ ସେମାନଙ୍କ ଉପରେ ଏପରି ଅତ୍ୟାଚାର ଚଳାଇଛି ବୋଲି ଜାତିସଂଘ କହିଥିଲା ।

ସମ୍ବନ୍ଧିତ ଖବର