ନିର୍ବାଚନକୁ ନେଇ ଆତଙ୍କରେ ପାକିସ୍ତାନୀ ସଂଖ୍ୟାଲଘୁ

ଇସ୍ଲାମାବାଦ : ପାକିସ୍ତାନରେ ଆସନ୍ତା ୨୫ ତାରିଖରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାବେଳେ ସେଠାରେ ରହୁଥିବା ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ, ଅହମଦି ଆଦି ସଂଖ୍ୟାଲଘୁମାନେ ଆତଙ୍କିତ ହୋଇପଡିଛନ୍ତି । ଏହାର କାରଣ ହେଉଛି ଏଥରର ନିର୍ବାଚନରେ ଅଧିକ ସଂଖ୍ୟକ କଠୋରପନ୍ଥୀ, ଆତଙ୍କବାଦୀମାନେ ଛିଡା ହୋଇଛନ୍ତି । ଏମାନେ ସବୁ ପାକିସ୍ତାନକୁ ଏକ କଠୋରପନ୍ଥୀ ଇସ୍ଲାମୀୟ ଦେଶରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏମାନେ ଜିତିଲେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଅବସ୍ଥା କଣ ହେବ ତାହା ସହଜରେ ଅନୁମେୟ ।

ସୂଚନାଯୋଗ୍ୟ ଏଥର ନିର୍ବାଚନରେ ପୂର୍ବାପେକ୍ଷା ଏଥର ସର୍ବାଧିକ ସଂଖ୍ୟକ କଠୋରପନ୍ଥୀ ଇସ୍ଲାମୀୟ ଦଳମାନେ ପ୍ରାର୍ଥୀ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଅନ୍ୟତମ ହେଉଛି ତେହେରିକ ଲବାଇକ ପାକିସ୍ତାନ (ଟିଏଲପି) । ଏହି ଦଳ ସମୁଦାୟ ୧୫୨ଟି ପ୍ରାର୍ଥୀ ଛିଡା କରିଛି । ଏହି ଦଳର ମୁଖ୍ୟ ପ୍ରତିଶ୍ରୁତି ହେଉଛି ପାକିସ୍ତାନରେ ଧର୍ମୀୟ କାନୁନକୁ ଅଧିକ କଠୋର କରିବା । ବିଶେଷକରି ବ୍ଲାସଫେମି (ଇଶ୍ୱରନିନ୍ଦା) ଆଇନକୁ କଠୋର କରିବାକୁ ଏହି ଦଳ ନିଜର ନିର୍ବାଚନୀ ପ୍ରତିଶ୍ରୁତି ରଖିଛି । ଏହି ଆଇନ ଦ୍ୱାରା ଅତୀତରେ ଅନେକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରାଯାଇଛି । ଆଉ ଏକ ଦଳ ମୈଦାନରେ ଓହ୍ଲାଇଛି ତାହା ହେଉଛି ଆଲ୍ଲା-ହୁ ଆକବର ତେହେରିକ । ଏହା ପାକିସ୍ତାନର ଏକ ଛୋଟ ଦଳ ହେଲେ ମଧ୍ୟ ଏହି ଦଳ ଅଧିନରେ ହିଁ ନିର୍ବାଚନ ଲଢୁଛି ଅନ୍ତର୍ଜାତୀୟ ଆତଙ୍କବାଦୀ ହାଫିଜ ସଇଦ୍‌ ।

ସମ୍ବନ୍ଧିତ ଖବର