‘ଠାକୁର ଘରେ କିଏ?…’ ପରି ଏ ‘ପାକ୍‌ ଗୁଇନ୍ଦା ଇକ୍‌ବାଲ୍‌’କୁ ପାକିସ୍ତାନୀ ଗଣମାଧ୍ୟମ ଆଣିଲା କେଉଁଠୁ?

ଇସ୍‌ଲାମାବାଦ୍‌/ ନୂଆଦିଲ୍ଲୀ: ‘ଠାକୁର ଘରେ କିଏ? ନା ମୁଁ କଦଳୀ ଖାଇନି!…’ ପରି ଏକ ଖବର ଆଜି ପାକିସ୍ତାନୀ ଗଣମାଧ୍ୟମ ମାନଙ୍କରେ ପ୍ରକାଶ ପାଇବା ପରେ ଏହାକୁ କେନ୍ଦ୍ର କରି ଆମ ଦେଶରେ ଆରମ୍ଭ ହୋଇଛି ଚର୍ଚ୍ଚା ଓ ଆଲୋଚନା।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଆଜି (ସୋମବାର) ପାକିସ୍ତାନୀ ଗଣମାଧ୍ୟମ ମାନଙ୍କରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଯେଉଁଥିରେ କୁହାଯାଇଛି, ‘ଗୁପ୍ତଚର’ ସନ୍ଦେହରେ ଭାରତରେ ବନ୍ଦୀ ଥିବା ପାକିସ୍ତାନୀ ଜଣକ ହେଉଛନ୍ତି ଜଣେ ମାନସିକ ଅନଗ୍ରସର ବ୍ୟକ୍ତି। ଯିଏକି ଦୁର୍ଭାଗ୍ୟବଶତଃ ସୀମା ଅତିକ୍ରମ କରି ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରି ଯାଇଥିଲା।

Photo Credit: Zee India

ପାକିସ୍ତାନୀ ଗଣମାଧ୍ୟମ ‘ପାକିସ୍ତାନ ଟୁଡେ’ ଏବଂ ‘ଏକ୍ସପ୍ରେସ୍‌ ଟ୍ରିବ୍ୟୁନ୍‌’ ଦାବୀ କରିଛି ଯେ ଇକ୍‌ବାଲ (ସାଙ୍ଗିଆ ଉଲ୍ଲେଖ ନାହିଁ) ଯିଏକି ପାକିସ୍ତାନ ସିଆଲକୋଟ୍‌ର ବାସିନ୍ଦା ଗତ ଦୁଇ ବର୍ଷ ହେବ ନିଖୋଜ ଅଛି। ‘ସେ (ଇକ୍‌ବାଲ) ଜଣେ ମାନସିକ ଅନଗ୍ରସର। ତେଣୁ ଦୟାକରି ତାକୁ ଆମକୁ ଫେରାଇ ଦିଅ। ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ତାକୁ ଗୁପ୍ତଚର ସନ୍ଦେହରେ ବନ୍ଦୀ କରି ରଖିଛି ବୋଲି, ଭାରତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଆମେ ଜାଣିବାକୁ ପାଇଛୁ’ ବୋଲି ଇକ୍‌ବାଲର ଭାଇର ବକ୍ତବ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରିଛନ୍ତି, ପାକିସ୍ତାନୀ ଗଣମାଧ୍ୟମ।

Photo Credit: Zee India

ତେବେ, ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ପାକିସ୍ତାନୀ ଗଣମାଧ୍ୟମ ଓ ତଥାକଥିତ ‘ଇକ୍‌ବାଲ’ର ଭାଇର ଦାବୀ ଅନୁଯାୟୀ କୌଣସି ପାକିସ୍ତାନୀ ଗୁପ୍ତଚର ସନ୍ଦେହରେ ବିଏସ୍‌ଏଫ୍‌ ହାତରେ ବନ୍ଦୀ ଥିବା ନେଇ କୌଣସି ଖବର କୌଣସି ଭାରତୀୟ ଗଣମାଧ୍ୟମରେ ପ୍ରକାଶ ପାଇନାହିଁ। ତେବେ ଅନୁସନ୍ଧାନରୁ ଜଣାପଡ଼ିଛି, ଗତ ମାର୍ଚ୍ଚ ୧ ତାରିଖରେ ପଞ୍ଜାବର ଫିରୋଜପୁର ଅଞ୍ଚଳରେ ଭାରତ- ପାକ୍‌ ନିକଟରେ ଜଣେ ୨୧ ବର୍ଷୀୟ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ବିଏସ୍‌ଏଫ୍‌ ଯବାନ୍‌ମାନେ ତାକୁ ଧରିଥିଲେ। ସେତେବେଳେ ତା’ ନିକଟରୁ ଏକ ଆଧାର କାର୍ଡ ଜବତ କରା ଯାଇଥିଲା ଏବଂ ତାକୁ ଜେରା କାଳରେ ତା’ ନାଁ ସେ ମହମ୍ମଦ ଶାହରୁଖ୍‌ ବୋଲି କହିବା ସହ ତା’ କଥାରେ କୌଣସ ପ୍ରକାରର ତାଳମେଳ ନଥିଲା।

ଏହା ପୂର୍ବରୁ ଗତ ମାର୍ଚ୍ଚ ୧୦ ତାରିଖରେ ଜମ୍ମୁ- କଶ୍ମୀରର ସମ୍ବା ଜିଲ୍ଲାରେ ମହମ୍ମଦ ଅସରଫ୍‌ ନାମକ ଜନୈକ ୬୦ ବର୍ଷ ବୟସ୍କ ବୃଦ୍ଧ ଅନ୍ତର୍ଜାତୀୟ ସୀମା ଟପି ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିବା ବେଳେ ବିଏସ୍‌ଏଫ୍‌ ଯବାନମାନେ ତାଙ୍କୁ ଧରିଥିଲେ। ତେବେ, ସେ ନିଜ ଅଜଣାତରେ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିଥିବା ଜାଣିବା ପରେ ବିଏସ୍‌ଏଫ୍‌ ଯବାନ୍‌ମାନେ ତାଙ୍କୁ ପାକିସ୍ତାନୀ ସେନାକୁ ହସ୍ତାନ୍ତର କରି ଦେଇଥିଲେ। ଏ ପରିସ୍ଥିତିରେ ଏ ତଥାକଥିତ ‘ପାକ୍‌ ଗୁଇନ୍ଦା ଇକ୍‌ବାଲ୍‌’କୁ ପାକିସ୍ତାନୀ ଗଣମାଧ୍ୟମ ଆଣିଲା କେଉଁଠୁ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ସମ୍ବନ୍ଧିତ ଖବର