ପାକ୍‌ ଆତଙ୍କୀଙ୍କ ନୂଆ ଅସ୍ତ୍ର ‘ହନିଟ୍ରାପ୍‌’ : କଶ୍ମୀରୀ ଯୁବକଙ୍କୁ କରୁଛନ୍ତି ଟାର୍ଗେଟ୍‌

ଶ୍ରୀନଗର : ପାକିସ୍ତାନୀ ଆତଙ୍କବାଦୀ ସଂଗଠନଗୁଡ଼ିକ ଏବେ ଏକ ନୂଆ ଅସ୍ତ୍ରର ସହାୟତା ନେଇଛନ୍ତି। ଅଧିକରୁ ଅଧିକ କଶ୍ମୀରୀ ଯୁବକଙ୍କୁ ନିଜ ସହ ସାମିଲ କରିବା ଲାଗି ‌ସେମାନେ ‘ହନିଟ୍ରାପ୍‌’କୁ ମାଧ୍ୟମ କରୁଛନ୍ତି। ସୋସିଆଲ୍‌ ମିଡିଆରେ ଯୁବକମାନଙ୍କୁ ସୁନ୍ଦରୀ ମହିଳାଙ୍କ ସହ ସାକ୍ଷାତ କରାଇବାର ଲୋଭ ଦେଖାଇ ସେମାନେ ନିଜ ଆଡ଼କୁ ଆକର୍ଷିତ କରୁଛନ୍ତି। ଫଳରେ ସେମାନଙ୍କ ଜରିଆରେ ଅବାଧରେ ଅସ୍ତ୍ରଶସ୍ତ୍ର ଚାଲାଣ, ଅନୁ‌ପ୍ରବେଶ ପାଇଁ ଗଳାବାଟ ଆଦି ସନ୍ଧାନ କରିବାରେ ସଫଳ ହେଉଛନ୍ତି।

‘ହନିଟ୍ରାପ୍‌’ରେ ଫସିଯାଉଥିବା ଯୁବକଙ୍କୁ ସେମାନେ ଗାଇଡ୍‌ ଭାବେ ବ୍ୟବହାର କରୁଛନ୍ତି। ଭାରତୀୟ ସୀମା ସମ୍ପର୍କରେ ଠୋସ୍‌ ସୂଚନା ପାଇ ସେମାନେ ରଣନୀତି ମଧ୍ୟ ପ୍ରସ୍ତୁତ କରୁଛନ୍ତି। ନଭେମ୍ବର ୧୭ ତାରିଖରେ ସଇଦ୍‌ ସାଜିୟା ନାମକ ଜଣେ ମହିଳାଙ୍କୁ ଗିରଫ କରାଯିବା ପରେ ଆତଙ୍କୀଙ୍କ ହନିଟ୍ରାପ୍‌ ଚାଲ୍‌ ପଦାରେ ପଡ଼ିଯାଇଛି। ଘାଟିରେ ଆହୁରି ଅନେକ ମହିଳା ସକ୍ରିୟ ରହି ଯୁବକଙ୍କୁ ଫସାଇବା ପାଇଁ ଉଦ୍ୟମ କରୁଥିବା ସୂଚନା ମିଳିଛି।

ସେନା ଅଧିକାରୀମାନେ ଦର୍ଶାଇଛନ୍ତି ଯେ ଗୁଇନ୍ଦା ସୂଚନା ଆଧାରରେ ପ୍ରାୟ ଦୁଇ ସପ୍ତାହ ତଳେ ନଭେମ୍ବର ୧୭ରେ ସଇଦ ସାଜିୟାଙ୍କୁ ବାନ୍ଦିପୋରାରୁ ଗିରଫ କରାଯାଇଥିଲା। ତାଙ୍କ ବୟସ ୩୦ରୁ ୩୨ ବର୍ଷ ହେବ। ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ୍‌ ନେଟ୍‌ୱର୍କିଂ ସାଇଟ୍‌ରେ ତାଙ୍କର ଅନେକ ଆକାଉଣ୍ଟ ରହିଛି। ତାଙ୍କ ଆକାଉଣ୍ଟ ସହ ଅନେକ କଶ୍ମୀରୀ ଯୁବକ ଯୋଡ଼ି ହୋଇଛନ୍ତି। ସାଜିୟାଙ୍କ ଫଲୋଅର୍‌ଙ୍କ ମଧ୍ୟରେ ଅଧିକାଂଶ କଶ୍ମୀରୀ ଯୁବକ ଥିବା ଜଣାପଡ଼ିଛି। ସାଜିଆଙ୍କ ଭଳି ସୁନ୍ଦରୀ ମହିଳାଙ୍କ ଜରିଆରେ ଆତଙ୍କୀ ସଂଗଠନ ଯୁବକମାନଙ୍କୁ ଘାଟି ଆଡ଼କୁ ଟାଣି ଫସାଇବାରେ ସମର୍ଥ ହେଉଛନ୍ତି। ପ୍ରଥମେ ଯୁବତୀମାନେ ଚାଟ୍‌ କରିବା ପରେ ଯୁବକମାନଙ୍କୁ ଦେଖା କରିବାକୁ ଡାକୁଛନ୍ତି। ମିଛ ପ୍ରେମରେ ଫସି ସେମାନେ ଆତଙ୍କୀଙ୍କ ହାବୁଡ଼ରେ ପଡ଼ିଯାଉଛନ୍ତି। ଏହି ଘଟଣାକୁ ନେଇ ଏବେ ବିଭିନ୍ନ ସନ୍ଦିଗ୍ଧ ଫେସ୍‌ବୁକ୍‌ ଆକାଉଣ୍ଟକୁ ଯାଞ୍ଚ କରାଯିବା ସହିତ ଯୁବକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର