ପାକ୍‌ ସିନେଟ୍‌ରେ ପ୍ରଥମ ଦଳିତ ହିନ୍ଦୁ ମହିଳା

କରାଚି: ଏକ ବିରଳ ଘଟଣାକ୍ରମରେ ମୁସଲିମ୍‌ ରାଷ୍ଟ୍ର ପାକିସ୍ତାନର ସିନେଟ୍‌କୁ ପ୍ରଥମ ଥର ଲାଗି ଜଣେ ଦଳିତ ହିନ୍ଦୁ ମହିଳା ସଦସ୍ୟା ଭାବେ ନିର୍ବାଚିତ ହୋଇଛନ୍ତି। ପାକିସ୍ତାନର ସିନ୍ଧପ୍ରଦେଶ ବାସିନ୍ଦା ୩୯ ବର୍ଷୀୟା କୃଷ୍ଣାକୁମାରୀ କୋହଲି ବିଲଓ୍ଵାଲ୍‌ ଭୁଟୋ ଜର୍ଦାରିଙ୍କ ନେତୃତ୍ୱାଧୀନ ପାକିସ୍ତାନ ପିପୁଲ୍‌ସ ପାର୍ଟି(ପିପିପି) ପକ୍ଷରୁ ନିର୍ବାଚନ ଲଢ଼ି ଏହି କୃତିତ୍ୱ ହାସଲ କରିଛନ୍ତି। ସିନ୍ଧପ୍ରଦେଶ ପାଇଁ ରହିଥିବା ସଂରକ୍ଷିତ ଆସନରୁ ପ୍ରତିନିଧିତ୍ୱ କରୁଥିବା ଦଳିତ ବର୍ଗର କୃଷ୍ଣାକୁମାରୀଙ୍କୁ ଏହି ସୌଭାଗ୍ୟ ମିଳିପାରିଛି। ସୂଚନା ଥାଉ କି, ପୂର୍ବରୁ ପିପିପି ମଧ୍ୟ ସିନେଟ୍‌କୁ ରତ୍ନା ଭଗବାନଦାସ ଚାଓ୍ଵଲାଙ୍କୁ ପ୍ରଥମ ହିନ୍ଦୁ ମହିଳା ଭାବେ ପଠାଇଥିଲା। ତେବେ ଜଣେ ଦଳିତ ହିନ୍ଦୁ ମହିଳା ଭାବେ ସିନେଟ୍‌ ସଦସ୍ୟା ହେବାରେ କୃଷ୍ଣାକୁମାରୀ ହେଉଛନ୍ତି ପ୍ରଥମ। କୃଷ୍ଣାକୁମାରୀଙ୍କ ପ୍ରତିନିଧିତ୍ୱ ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଅଧିକାର ସାବ୍ୟସ୍ତ ଦିଗରେ ପ୍ରମୁଖ ଭୂମିକା ନିଭାଇବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ୧୬ ବର୍ଷ ବୟସରେ ବିବାହ କରିଥିବା କୃଷ୍ଣାକୁମାରୀ ୨୦୧୩ ମସିହାରେ ସିନ୍ଧ ବିଶ୍ୱବିଦ୍ୟାଳୟରୁ ସାମାଜିକ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ସମ୍ପୂର୍ଣ୍ଣ କରିଛନ୍ତି।

ସମ୍ବନ୍ଧିତ ଖବର