ହାଫିଜ୍‌ ସଇଦଙ୍କ ରାଲିରେ ପାଲେଷ୍ଟାଇନ୍‌ ରାଷ୍ଟ୍ରଦୂତ: ରାଜନୈତିକ ପଦକ୍ଷେପ ନେବାକୁ କହିଲା ଭାରତ

ନୂଆଦିଲ୍ଲୀ: ରାଓ୍ଵଲପିଣ୍ଡି ଠାରେ ଆୟୋଜିତ ଏକ ରାଲିରେ ପାକିସ୍ତାନ ପ୍ରତି ପାଲେଷ୍ଟାଇନ୍‌ର ରାଷ୍ଟ୍ରଦୂତ ଜେୟୁଡି/ଏଲ୍‌ଇଟି ମୁଖ୍ୟ ହଫିଜ୍‌ ସଇଦ୍‌ଙ୍କ ସହ ଏକତ୍ର ବସିଥିବା ଦେଖି ଶୁକ୍ରବାର ଦିନ ଭାରତ ପାଲେଷ୍ଟାଇନ୍‌କୁ ସମାଲୋଚନା କରିଛି। ଭାରତ ପାଲେଷ୍ଟାଇନ୍‌ ସରକାରଙ୍କ ବିରୋଧରେ ରାଜନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କଡ଼ା ଭାଷାରେ ନିଜର ଅସନ୍ତୋଷ ବ୍ୟକ୍ତ କରି ଜଣାଇ ଦେଇଛି।

ବିଳମ୍ବିତ ସନ୍ଧ୍ୟାରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି: ନୂଆଦିଲ୍ଲୀ ଠାରେ ଥିବା ପାଲେଷ୍ଟାଇନ୍‌ର ରାଷ୍ଟ୍ରଦୂତ ଏବଂ କର୍ତ୍ତୃପକ୍ଷଙ୍କୁ ଆମେ ଏ ବିଷୟ ଦୃଢ଼ତାର ସହ ଉପସ୍ଥାପନ କରିଛୁ।

ରାଓ୍ଵଲପିଣ୍ଡି ଅନ୍ତର୍ଗତ ଲିଆକତ୍‌ ବାଗରେ ଦିଫା-ଏ-ପାକିସ୍ତାନ କାଉନ୍‌ସିଲ୍‌ ଦ୍ୱାରା ଆୟୋଜିତ ରାଲିରେ ଯୋଗ ଦେଇଥିବା ପାକିସ୍ତାନ ପ୍ରତି ପାଲେଷ୍ଟାଇନ୍‌ର ରାଷ୍ଟ୍ରଦୂତ ଓ୍ଵାଲିଦ୍‌ ଅବୁ ଅଲିଙ୍କର ଫଟୋ ସାମାଜିକ ଗଣମାଧ୍ୟମାରେ ପ୍ରସାରିତ ହୋଇଥିଲା। ଦିଫା-ଏ-ପାକିସ୍ତାନ କାଉନ୍‌ସିଲ୍‌ ହେଉଛି ପାକିସ୍ତାନରେ ଥିବା ୪୦ଟି ଧାର୍ମିକ ଏବଂ ମୌଳବାଦୀ ଦଳର ଏକ ସଙ୍ଗଠନ। ଏହାର ମୁଖ୍ୟ ଜେୟୁଡି ମୁଖ୍ୟ ହଫିଜ୍‌ ସଇଦ। ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ ହୋଇ ନିଷିଦ୍ଧ ହୋଇଥିବା ସଇଦ ୨୬/୧୧ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌। ଜେରୁଜେଲମ୍‌କୁ ଇସ୍ରାଏଲ୍‌ ଠାରୁ ରକ୍ଷା କରିବାକୁ ସଇଦ୍‌ ଏହି ରାଲି ମାଧ୍ୟମରେ ଏକ ଇସ୍‌ଲାମୀୟ ଶିଖର ବୈଠକ ପାଇଁ ଡାକରା ଦେଇଛନ୍ତି।

ଜେୟୁଡି ରାଲିରେ ପାଲେଷ୍ଟାଇନ୍‌ ରାଷ୍ଟ୍ରଦୂତଙ୍କ ଉପସ୍ଥିତି ଭାରତ ଗାଲରେ ଚାପୁଡ଼ା ମାରିବା ସହ ସମାନ। କାରଣ ଗତ ସପ୍ତାହରେ ଭାରତ ଜେରୁଜେଲମ୍‌କୁ ଆମେରିକା ଇସ୍ରାଏଲ୍‌ର ରାଜଧାନୀ ଘୋଷଣା କରିବା ବିରୋଧରେ ୟୁଏନ୍‌ଜିଏନ୍‌ ପ୍ରସ୍ତାବନାରେ ଭୋଟ୍‌ ଦେଇଥିଲା।

Image Courtesy of BBC India

ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଆଲୋଚନା ଦ୍ୱାରା ଜେରୁଜେଲମ୍‌ର ସ୍ଥିତି ନିଷ୍ପତ୍ତି କରାଯିବା ନୀତିରେ ବାକି ୧୨୭ ଦେଶ ଭଳି ଭାରତ ଭୋଟ୍‌ ଦେଇଥିଲା। ଭାରତର ଘନିଷ୍ଠ ବନ୍ଧୁ ଇସ୍ରାଏଲ୍‌ ଏବଂ ଆମେରିକା ବିରୋଧରେ ଭାରତର ଭୋଟ୍‌କୁ ବିବେଚନା କରାଯାଇଛି।

ନିଜର ବନ୍ଧୁ ରାଷ୍ଟ୍ରକୁ ଅସମ୍ମାନିତ କରିଛନ୍ତି ବୋଲି ମୋଦି ସରକାରଙ୍କୁ ଏଥିପାଇଁ ନିଜ ସମର୍ଥକମାନେ ସମାଲୋଚନା କରିଥିଲେ। ଭାରତର ଭୋଟ୍‌ ବିରୋଧରେ ଇସ୍ରାଏଲ୍‌ ସରକାର ମଧ୍ୟ ପ୍ରତିବାଦ ପ୍ରଦର୍ଶନ କରିଥିଲା।

ସମ୍ବନ୍ଧିତ ଖବର