ପାନାମା ପେପର୍ସ: ଭାରତରେ କାର୍ଯ୍ୟାନୁଷ୍ଠାନ ଶୂନ
ଯାଞ୍ଚ ପାଇଁ ସରକାରଙ୍କ ଆଗ୍ରହ ନାହିଁ, କାହାକୁ ନୋଟିସ୍ ହୋଇଥିବା ନଜିର ନାହିଁ
ନୂଆଦିଲ୍ଲୀ: ୨୦୧୬ରେ ପ୍ରଥମ ଥର ପାଇଁ ପାନାମା ପେପର୍ସ ପ୍ରଘଟ ପରେ ବିଶ୍ୱବ୍ୟାପୀ ଏହା ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ବିଭିନ୍ନ ରାଷ୍ଟ୍ରରେ ଏହାକୁ ନେଇ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇଥିଲା। ପାକିସ୍ତାନ ଭଳି ରାଷ୍ଟ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ଙ୍କୁ ସୁପ୍ରିମ୍ କୋର୍ଟ ଦୁର୍ନୀତି ଅଭିଯୋଗରେ ପଦରୁ ହଟାଇ ଦେଇଛନ୍ତି ଏବଂ ନିର୍ବାଚନ ଲଢ଼ିବା ନେଇ ଆଜୀବନ କଟକଣା ଲଗାଇଛନ୍ତି। ଏବେ ସରିଫଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ବେଳେ ତାଙ୍କ ଝିଅ ମରିୟମଙ୍କୁ ୭ ବର୍ଷ ଏବଂ ଜ୍ୱାଇଁ ସଫଦର୍ଙ୍କୁ ମଧ୍ୟ ୧ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିଛି। ସରିଫଙ୍କ ଦୁଇ ପୁଅଙ୍କୁ ଅଦାଲତ ପଳାତକ ଘୋଷଣା କରିଛନ୍ତି। ଅପରପକ୍ଷରେ ଭାରତରେ ପାନାମା ପେପର୍ସ ପ୍ରଘଟ ମାମଲାରେ ଆଜି ସୁଦ୍ଧା ସାମାନ୍ୟତମ ପଦକ୍ଷେପ ନିଆଯାଇ ନାହିଁ। ଭାରତରେ ଅନେକ ନେତା, ଅଭିନେତା ଏବଂ ଶିଳ୍ପପତିଙ୍କ ନାମ ପାନାମା ପେପର୍ସର ପୃଷ୍ଠା ମଣ୍ଡନ କରିଥିଲା। ସେମାନେ ବିଦେଶରେ କଳାଧନ ଠୁଳ କରିଥିବା ନେଇ ଏଥିରେ ସୁରାକ୍ ଦିଆଯାଇଥିଲା। ସେମାନଙ୍କ ଦ୍ୱାରା ଘଟାଯାଇଥିବା ବିଭିନ୍ନ ଆର୍ଥିକ ଅପରାଧକୁ ନେଇ ଦେଶରେ ସରଗରମ ଚର୍ଚ୍ଚା ମଧ୍ୟ ହୋଇଥିଲା। ତେବେ ବିଗତ ୨ ବର୍ଷ ମଧ୍ୟରେ ଏ ନେଇ କୌଣସି ତଦନ୍ତକାରୀ ସଂସ୍ଥା ସକ୍ରିୟ ନହେବା ଏବଂ କେନ୍ଦ୍ର ସରକାର ଏ ବାବଦ ଯାଞ୍ଚ ନେଇ ଆଦୌ ତତ୍ପରତା ନ ଦେଖାଇବା ଅନେକଙ୍କୁ ବିସ୍ମିତ କରିଛି । ନେତା, ଅଭିନେତା, ଉଦ୍ୟୋଗପତିମାନେ ବିଦେଶରେ ସେମାନଙ୍କ ବିପୁଳ ସମ୍ପତ୍ତି ଠୁଳ କରିଛନ୍ତି ଏବଂ ଭାରତରେ ଘୋଷିତ ସମ୍ପତ୍ତି ତାଲିକାରେ ତାହାର ଠୋସ୍ ବିବରଣୀ ନାହିଁ। ଏହା ସହିତ ଭାରତ ସରକାରଙ୍କୁ ଅନ୍ଧାରରେ ରଖି ସେମାନେ ବିଦେଶୀ କମ୍ପାନିଗୁଡ଼ିକରେ ପୁଂଜି ନିବେଶ ମଧ୍ୟ କରିଥିବା ପାନାମା ପେପର୍ସରୁ ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତରେ ପାନାମା ପେପର୍ସରେ ମେଗାଷ୍ଟାର୍ ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ବଚ୍ଚନ, ଅଜୟ ଦେବଗନ, ଡିଏଲ୍୍ଏଫ୍ର କେ.ପି. ସିଂହ, ଅନୁରାଗ କେଜ୍ରିଓ୍ଵାଲ, ମନ୍ତ୍ରୀ ଜୟନ୍ତ ସିହ୍ନା, ଆର୍.କେ. ସିହ୍ନା, ଇଣ୍ଡିଆ ବୁଲ୍୍ସର ସମୀର ଗେହଲଟ ପ୍ରମୁଖଙ୍କ ନାମ ରହିଥିଲା। ନଓ୍ଵାଜ ସରିଫ୍ଙ୍କ ଭଳି ଭାରତର ମଧ୍ୟ ଯେଉଁମାନଙ୍କ ନାମ ଏଥିରେ ଆସିଥିଲା ସେମାନେ ଅଭିଯୋଗକୁ ଖଣ୍ଡନ କରିଥିଲେ ଏବଂ ଏହାକୁ ଭିତ୍ତିହୀନ ବୋଲି କହିଥିଲେ। ତେବେ ପାକିସ୍ତାନର ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏ ଦିଗରେ ଖୋଳତାଡ଼ କରି ସବୁ ପ୍ରମାଣ ପାଇଯିବା ପରେ ସରିଫ ଓ ତାଙ୍କ ପରିବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇଛି। କିନ୍ତୁ ଭାରତରେ ଏ ବାବଦ ସ୍ଥିତି ସଂପୂର୍ଣ୍ଣ ଓଲଟା ରହିଛି। ଏହାର ତଦନ୍ତ ଦିଗରେ ସରକାର ଆଗ୍ରହ ପ୍ରକାଶ ନ କରିବାରୁ ଯାଞ୍ଚ ମଧ୍ୟ ଆରମ୍ଭ ହୋଇପାରି ନାହିଁ। କାହା ପାଖକୁ ନୋଟିସ୍ ଯାଇଥିବା ମଧ୍ୟ ନଜିର୍ ନାହିଁ।
ଅନ୍ତର୍ଜାତୀୟ ସ୍ତରରେ ହୋଇଥିବା ଦୁର୍ନୀତି ସଂପର୍କିତ ଅନେକ ତଥ୍ୟ ୨୦୧୬ରେ ପ୍ରଘଟ ହୋଇଥିବା ପାନାମା ପେପର୍ସ ଦସ୍ତାବିଜରୁ ଜଣାପଡ଼ିଥିଲା। ପାନାମାର ଏକ ଲ’ ଫାର୍ମ ମୋସାକ୍ ଫୋନ୍ସେକାର ସର୍ଭର ହ୍ୟାକ୍ କରି ଏହି ତଥ୍ୟ ପ୍ରଘଟ କରାଯାଇଥିଲା। ଏହି ଲ’ ଫାର୍ମ ମାଧ୍ୟମରେ ହଜାର ହଜାର ବ୍ୟକ୍ତି ବେଆଇନ ଭାବେ ଟିକସ ଫାଙ୍କିବାରେ ସକ୍ଷମ ହୋଇଥିଲେ। ବିଭିନ୍ନ ସେଲ୍ ବା ଭୂତ କମ୍ପାନି ମାଧ୍ୟମରେ ନିଜ ଦେଶରେ ଟିକସ ଫାଙ୍କି ଅନ୍ୟତ୍ର ଚାଲାଣ କରିଥିଲେ। ଏହି ଲ’ ଫାର୍ମ ମାଧ୍ୟମରେ କଳାଧନକୁ ଧଳା କରାଯାଉଥିଲା। ପ୍ରଥମ ପ୍ରଘଟ ମେ ୨୦୧୬ରେ ହୋଇଥିଲା ଏବଂ ୧.୧୫ କୋଟି ଦସ୍ତାବିଜ ସାର୍ବଜନୀନ କରାଯାଇଥିଲା।