ପଞ୍ଚକୁଳା ହିଂସା: ଡେରା କମ୍ପାନି ସିଇଓ ଗିରଫ

ପଞ୍ଚକୁଳା(ହରିୟାଣା) : ଗତ ଅଗଷ୍ଟ ୨୫ରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁର୍‌ମିତ ରାମ ରହିମ୍‌ ସିଂହ ସ୍ୱାଧ୍ୱୀ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପଞ୍ଚକୁଳାରେ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଥିଲା। ତେବେ ଏହି ହିଂସାକାଣ୍ଡ ଉସୁକାଇବାରେ ପ୍ରଚ୍ଛନ୍ନ ଭୂମିକା ଥିବା ଅଭିଯୋଗରେ ଡେରା ପରିଚାଳିତ କମ୍ପାନି ଏମ୍‌ଏସ୍‌ଜି ଅଲ୍‌ ଇଣ୍ଡିଆ ଟ୍ରେଡିଂ ଇଣ୍ଟରନ୍ୟାସନାଲ୍‌ ପ୍ରା.ଲି.ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସି ପି ଆରୋରାଙ୍କୁ ଆଜି ହରିୟାଣା ପୁଲିସ ଗିରଫ କରିଛି। ଅଦ୍ୟାବଧି ଫେରାର ଥିବା ଡେରା ଆଶ୍ରମର ପ୍ରମୁଖ ପରିଚାଳକ ଆଦିତ୍ୟ ଇନ୍‌ସାନ୍‌ଙ୍କ ସହ ଆରୋରାଙ୍କର ନିବିଡ଼ ସମ୍ପର୍କ ଥିବା ପୁଲିସ କହିଛି। ଏଥି ହିଂସାକାଣ୍ଡ ପରେ ଫେରାର୍‌ ଥିବା ରାମ ରହିମ୍‌ଙ୍କ ପୋଷ୍ୟାକନ୍ୟା ପ୍ରିୟାଙ୍କା ତନେଜା ଓରଫ ହନିପ୍ରୀତ୍‌ ଇନ୍‌ସାନ୍‌ଙ୍କୁ ଆଶ୍ରୟ ଦେଇଥିବା ଭଟିଣ୍ଡାର ଜଣେ ମହିଳା ଏବଂ ତାଙ୍କ ପୁଅକୁ ମଧ୍ୟ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର