ପଞ୍ଚାୟତ ନିର୍ବାଚନ :ପଶ୍ଚିମବଙ୍ଗରେ ହିଂସା, ୧୬ ମୃତ:କେନ୍ଦ୍ର ସରକାରଙ୍କ ରିପୋର୍ଟ ତଲବ

ନିର୍ବାଚନ କମିସନଙ୍କ ନିକଟରେ ୫୦୦ ଅଭିଯୋଗ: ସିପିଏମ୍‌ କାର୍ଯ୍ୟକର୍ତ୍ତା, ପତ୍ନୀଙ୍କୁ ଜୀଅନ୍ତା ଜାଳିଦେଲେ ସିପିଏମ୍‌ କାର୍ଯ୍ୟକର୍ତ୍ତା, ପତ୍ନୀଙ୍କୁ ଜୀଅନ୍ତା ଜାଳିଦେଲେ

ରାଷ୍ଟ୍ରପତି ଶାସନ ଦାବିକଲେ:  ବିଜେପି ନେତାଗଣମାଧ୍ୟମ ଉପରେ ଆକ୍ରମଣ
ପଶ୍ଚିମ ବଂଗରେ ଆଜି ପଂଚାୟତ ନିର୍ବାଚନରେ ଘଟିଥିବା ହିଂସାରୁ ଗଣମାଧ୍ୟମ ମଧ୍ୟ ବାଦ ପଡ଼ିନାହିଁ। ଭାଙ୍ଗର ଜିଲ୍ଲାରେ ଉପଦ୍ରବକାରୀମାନେ ଗଣମାଧ୍ୟମକୁ ଟାର୍ଗେଟ୍‌ କରିଥିଲେ। ରିପୋର୍ଟ ମୁତାବକ ମିଡିଆର କେତେକ ଗାଡ଼ି ପୋଡ଼ି ଦିଆଯାଇଥିବା ବେଳେ କ୍ୟାମେରା ମଧ୍ୟ ଭାଙ୍ଗି ଦିଆଯାଇଛି। ମିଡିଆ କର୍ମୀଙ୍କୁ ଘଟଣାସ୍ଥଳରୁ ବଳପୂର୍ବକ ହଟାଇ ଦିଆଯାଇଥିବା ବେଳେ ଟିଏମ୍‌୍‌ସି ସମର୍ଥକଙ୍କ ଆକ୍ରମଣରେ ୫ ଜଣ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିବା ଖବର ମିଳିଛି। ମୁର୍ସିଦାବାଦରେ ମଧ୍ୟ ମିଡିଆ କର୍ମୀଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା।
କୋଲକାତା,୧୪/୫: ପଶ୍ଚିମବଂଗ ପଂଚାୟତ ନିର୍ବାଚନ ଆଜି ରକ୍ତରଂଜିତ ହୋଇଉଠିଛି। ରାଜ୍ୟର ଶତାଧିକ ସ୍ଥାନରେ ପ୍ରବଳ ହିଂସା ଦେଖିବାକୁ ମିଳିଥିବା ବେଳେ ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି ଓ ଶତାଧିକ ଆହତ ହୋଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ନିର୍ବାଚନୀ ହିଂସା ନେଇ ପଶ୍ଚିମ ବଂଗ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ଶତାଧିକ ଲୋକ ହିଂସାରେ ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଏହି ହିଂସା ପାଇଁ ଶାସକ ଦଳ ସଂପୂର୍ଣ୍ଣ ଦାୟୀ ବୋଲି ଦର୍ଶାଇ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଅନେକ ବିଜେପି ନେତା ଦାବି କରିଛନ୍ତି।
ଅପରାହ୍ନ ୨ଟା ସୁଦ୍ଧା ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ୫ ଶହ ଅଭିଯୋଗ ପହଞ୍ଚିଥିଲା। ପଶ୍ଚିମବଂଗ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷ, ବରିଷ୍ଠ ନେତା ମୁକୁଲ ରାୟ ରାଜ୍ୟର ହିଂସା ସ୍ଥିତି ନେଇ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କୁ ଅବଗତ କରାଇଛନ୍ତି। ନନ୍ଦିଗ୍ରାମରେ ବଡ଼ ଧରଣର ସଂଘର୍ଷ ଦେଖିବାକୁ ମିଳିଥିବା ବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ୨ ଜଣ ସମର୍ଥକଙ୍କୁ ସେଠାରେ ହତ୍ୟା କରାଯାଇଛି। ପଟକେଳବାରି ଅଂଚଳରେ ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କ ଆକ୍ରମଣରେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ସମର୍ଥକ ସାହିଦ ଶେଖଙ୍କ ମୃତ୍ୟୁ ଘଟିଛି। ନଦିୟା ଜିଲ୍ଲାର ନକାସିପୁରାରେ ପୁଲିଂ ବୁଥ୍‌ରୁ ଫେରୁଥିବା ଜଣେ ଟିଏମ୍‌୍‌ସି କାର୍ଯ୍ୟକର୍ତ୍ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ବେଲଦାଙ୍ଗାରେ ବିଜେପି କାର୍ଯ୍ୟକର୍ତ୍ତା ତପନ ମଣ୍ଡଳଙ୍କୁ ହତ୍ୟା କରାଯାଇଥିବା ବେଳେ ଆମଦାଙ୍ଗାରେ ସିପିଏମ୍‌ର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ବୋମା ମାଡ଼ କରି ହତ୍ୟା କରାଯାଇଛି। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଟିଏମ୍‌୍‌ସି କାର୍ଯ୍ୟକର୍ତ୍ତା ଆରିଫ୍‌ ଅଲ୍ଲୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଜଲପାଇଗୁଡ଼ିରେ ଉପଦ୍ରବକାରୀମାନେ ବାଲଟ ବକ୍ସ ପୋଡ଼ି ଦେଇଛନ୍ତି।
କାକଦ୍ୱୀପରେ ସିପିଏମ୍‌ କାର୍ଯ୍ୟକର୍ତ୍ତା ଦେବୁ ଦାସ ଏବଂ ତାଙ୍କ ପତ୍ନୀଙ୍କୁ ଉପଦ୍ରବକାରୀମାନେ ଜୀଅନ୍ତା ଜାଳି ଦେଇଛନ୍ତି। ଏହି ବର୍ବର ହତ୍ୟା ପରେ ସ୍ଥାନୀୟ ଅଂଚଳରେ ଭୟଙ୍କର ଉତ୍ତେଜନା ଦେଖିବାକୁ ମିଳିଛି। କୁଚ୍‌ବିହାରରେ ବିଜେପି ସମର୍ଥକଙ୍କ ଗୁଳିମାଡ଼ରେ ଟିଏମ୍‌୍‌ସି କାର୍ଯ୍ୟକର୍ତ୍ତା ଅନିରୁଲ ହୁସେନ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମହିଷ୍କୁଚିରେ ବିଜେପିର ପୁଲିଂ ଏଜେଣ୍ଟଙ୍କ ଉପରେ ଘାତକ ଆକ୍ରମଣ ହୋଇଛି। ରାଜ୍ୟର ୫୦ରୁ ଅଧିକ ସ୍ଥାନରେ ବୁଥ୍‌୍‌ ଜବରଦଖଲ, ଭୋଟରଙ୍କ ଉପରେ ଆକ୍ରମଣ ଖବର ମିଳିଛି। ସର୍ବାଧିକ ହିଂସା ପ୍ରଭାବିତ ୧୩ଟି ମତଦାନ କେନ୍ଦ୍ରରେ ନିର୍ବାଚନ ସ୍ଥଗିତ ରଖାଯାଇଛି। ବେରକପୁରରେ ଜଣେ ବିଜେପି ପ୍ରାର୍ଥୀ ଛୁରା ମାଡ଼ରେ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କ ଅବସ୍ଥା ଉଦ୍‌୍‌ବେଗଜନକ ଥିବା ଜଣାପଡ଼ିଛି।
ଉତ୍ତର ୨୪ ପ୍ରଗଣାରେ ଏକ ବୋମା ବିସ୍ଫୋରଣରେ ୨୩ ଜଣ ଆହତ ହୋଇଛନ୍ତି। ସେହିଭଳି କୁଚବିହାରରେ ମଧ୍ୟ ବ୍ୟାପକ ହିଂସାରେ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଉତ୍ତର ଦିନାଜପୁରରେ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ରରେ ଦଙ୍ଗାକାରୀମାନେ ଚଢ଼ଉ କରି ବାଲଟ ବକ୍ସ ପୋଡ଼ି ଦେଇଛନ୍ତି। ସୋନାଡଙ୍ଗୀରେ ଟିଏମ୍‌୍‌ସି ସମର୍ଥକମାନେ ବିଭିନ୍ନ ପୁଲିଂ ବୁଥ୍‌ ଉପରେ ଆକ୍ରମଣ କରିଥିବା ରିପୋର୍ଟ ମିଳିଛି। ଅମଡଙ୍ଗାର କୁଲତାଲିରେ ଜଣେ ଟିଏମ୍‌୍‌ସି କାର୍ଯ୍ୟକର୍ତ୍ତା ଆରିଫ ଗାଜିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅନ୍ୟପକ୍ଷରେ ଉଲୁଡଙ୍ଗାରେ ବୋମା ବିସ୍ଫୋରଣରେ ୧୦ ଜଣ ଆହତ ହୋଇଛନ୍ତି।
କୁଚବିହାରର ବୁଥ୍‌ ନମ୍ବର ୮/୧୨ରେ ପୁଲିସ ଉପସ୍ଥିତିରେ ମମତା ବାନାର୍ଜୀ ସରକାରଙ୍କୁ ମନ୍ତ୍ରୀ ରବିନ୍ଦ୍ର ନାଥ ଘୋଷ ଜଣେ ବିଜେପି ସମର୍ଥକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ମନ୍ତ୍ରୀଙ୍କ ସମର୍ଥକମାନେ ବୁଥ୍‌୍‌ରେ ଭୟ ସୃଷ୍ଟି କରିଥିବା ବେଳେ ପୁଲିସ କେବଳ ଦେଖଣାହାରି ହୋଇ ରହିଥିଲା।

ସମ୍ବନ୍ଧିତ ଖବର