ଓଡ଼ିଶା ହାଇକୋର୍ଟର ଦୁଇ ବିଚାରପତିଙ୍କ ବିରୋଧରେ ଅଭିଯୋଗ ପ୍ରସଙ୍ଗ : ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ କମିଟିର ପ୍ରଥମ ବୈଠକ ଆଜି

ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟର ଦୁଇ ବରିଷ୍ଠ ବିଚାରପତିଙ୍କ ବିରୋଧରେ କ୍ଷମତାର ଅପବ୍ୟବହାରକୁ ନେଇ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ତିନି ଜଣିଆ ନୂଆ ଆଭ୍ୟନ୍ତରୀଣ କମିଟି ଗଠନ କରିଛନ୍ତି। ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏହି କମିଟିର ମୁଖ୍ୟ ରହିଥିବା ବେଳେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦିନେଶ ମାହେଶ୍ୱରୀ ଏବଂ ମଧ୍ୟ ପ୍ରଦେଶ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ରବିଶଙ୍କର ଝା କମିଟିର ସଦସ୍ୟ ଅଛନ୍ତି। ଏହି କମିଟିର ପ୍ରଥମ ବୈଠକ ଆସନ୍ତାକାଲି ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ତାମିଲନାଡୁ ହାଉସରେ ଦିନ ସାଢେ ଗୋଟାଏ ବେଳେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ ଯେ ୨୦୧୬, ଏପ୍ରିଲ ୧୫ ତାରିଖରେ କଟକର ‘ଦି ଟ୍ରୁଥ୍‌’ ନାମକ ସଂଗଠନ ଏବଂ ୨୦୧୬, ଅଗଷ୍ଟ ୨୦ ତାରିଖରେ ପୁରୀର ଜୟନ୍ତ କୁମାର ଦାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ ସଂଗମ କୁମାର ସାହୁଙ୍କ ବିରୋଧରେ ଲିଖିତ ଅଭିଯୋଗ ଆଣିଥିଲେ। ଜଷ୍ଟିସ ମହାନ୍ତି ନିଜ ପଦବି ଓ କ୍ଷମତାର ଅପବ୍ୟବହାର କରି ବ୍ୟାଙ୍କରୁ ଋଣ ନେଇ ହୋଟେଲରେ ବିନିଯୋଗ କରିଥିବା ଏବଂ ଜଷ୍ଟିସ ସାହୁ ନିଜ ସରକାରୀ ବଙ୍ଗଳା ସଜାଇବାକୁ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଟଙ୍କା ସରକାରୀ ରାଜକୋଷରୁ ବ୍ୟୟ କରିଥିବା ସଂକ୍ରାନ୍ତରେ ଅଭିଯୋଗ ହୋଇଥିଲା। ସୁପ୍ରିମକୋର୍ଟ ଏହି ଅଭିଯୋଗର ତଦନ୍ତ ପାଇଁ ପଂଜାବ ଓ ହରିଆନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌.ଏଫ୍‌.ଭାଜିଫଦାର, ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଟି. ଭାଜପେଇ ଏବଂ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଅରୁଣ ଟଣ୍ଡନ୍‌ଙ୍କୁ ନେଇ ଏକ କମିଟି ଗଠନ କରିଥିଲେ। କିନ୍ତୁ ତଦନ୍ତ ପ୍ରକ୍ରିୟାରେ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ନାମ ସାମନାକୁ ଆସିବାରୁ କମିଟି ଆଉ ଆଗକୁ ବଢି ପାରି ନଥିଲା। କମିଟି ଏ ସଂପର୍କରେ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଜଗଦିଶ ସିଂହ ଖେହେରଙ୍କ ମତାମତ ଲୋଡି ଥିଲେ ବି କୌଣସି ସ୍ପଷ୍ଟ ନିର୍ଦ୍ଦେଶ ମିଳି ନଥିଲା। ଏଭଳି ସ୍ଥିତିରେ ୨୦୧୭, ମେ’ ୨୬ ତାରିଖରେ ଜୟନ୍ତ କୁମାର ଦାସ ପୁଣି ଏକ ପତ୍ର ସୁପ୍ରିମକୋର୍ଟଙ୍କୁ ଲେଖିଥିଲେ। ସୁପ୍ରିମକୋର୍ଟ ଏହି ତିନି ଜଣିଆ ନୂଆ କମିଟି ଗଠନ କରିଥିବା ବେଳେ ଏହାର ପ୍ରଥମ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି। କମିଟିର ବୈଠକରେ ଉପସ୍ଥିତ ରହି ପକ୍ଷ ରଖିବାକୁ ଶ୍ରୀ ଦାସଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର