ପପୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର : ଗୁଜବ ନ କରିବାକୁ ପତ୍ନୀଙ୍କ ଅନୁରୋଧ

ନୂଆଦିଲ୍ଲୀ : ଅଗ୍ନାଶୟରେ ସଂକ୍ରମଣ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଓଲିଉଡ୍‌ର ଲୋକପ୍ରିୟ ହାସ୍ୟ ଅଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମ୍‌ପମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗର ଆଇସିୟୁ ଏବି-୮ରେ ପ୍ରଫେସର ଅନୁପ ରାୟଙ୍କ ନେତୃତ୍ୱରେ ଗଠିତ ୬ ଜଣିଆ ଏକ ଡାକ୍ତରୀଦଳ ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ ଶରୀରର ସମସ୍ତ ମୁଖ୍ୟ ଅଙ୍ଗଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟ କରୁଥିବା କୁହାଯାଉଛି। ତାଙ୍କୁ ନାକବାଟେ ତରଳ ଖାଦ୍ୟ ଦିଆଯାଉଛି। ତେବେ ୪ ଦିନର ସ୍ୱାସ୍ଥ୍ୟାବସ୍ଥା ଆକଳନ କରିବା ପରେ ହିଁ ପପୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି କିମ୍ବା ଅବନ୍ନତିର ସ୍ପଷ୍ଟ ଚିତ୍ର ଜଣାପଡ଼ିବ ବୋଲି ଏମ୍‌ସ ସୂତ୍ରରୁ ଜଣାପଡ଼ିଛି। ତେବେ ଆଜି ପପୁଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସମୟରେ ଡାକ୍ତରଙ୍କ ‘ଜୟ ଜଗନ୍ନାଥ’ ଡାକରେ ପପୁ ମୁଣ୍ଡ ହଲାଇ ପ୍ରତିକ୍ରିୟା ପ୍ରକାଶ କରିଥିବା ପରିବାର ସୁତ୍ରରୁ ଜଣାପଡ଼ିଛି।

ଅପରପକ୍ଷେ ବୁଧବାରଠାରୁ କିଛି ସାମାଜିକ ଗଣମାଧ୍ୟମରେ ପପୁଙ୍କ ମୃତ୍ୟୁ ନେଇ ଗୁଜବ ସୃଷ୍ଟି ହେଉଥିବାରୁ ପ୍ରଶଂସକମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ରଖି ପପୁଙ୍କ ପତ୍ନୀ ସଂଗୀତା ଶତପଥୀ କହିଛନ୍ତି ଯେ ସାମାଜିକ ଗଣମାଧ୍ୟମରେ ଯେଉଁ ଗୁଜବ ପ୍ରଚାର ହେଉଛି, ତାହା ମିଛ। ଏହାକୁ ବିଶ୍ୱାସ ନ କରିବାକୁ ସେ କହିଛନ୍ତି। ଏହାସହ ପପୁ କିପରି ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ, ସେଥିପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବାକୁ ସେ ଅନୁରୋଧ କରିଛନ୍ତି।

ପପୁଙ୍କ ପତ୍ନୀ, ପରିବାର ସଦସ୍ୟ ଓ ସହଯୋଗୀମାନେ ନୂଆଦିଲ୍ଲୀର ହଜଖାସ୍‌ସ୍ଥିତ ଜଗନ୍ନାଥ ମନ୍ଦିର ଓ ତ୍ୟାଗରାଜନଗର ଜଗନ୍ନାଥ ମନ୍ଦିରରେ ପପୁଙ୍କ ଆରୋଗ୍ୟ କାମନା କରି ପ୍ରଦୀପ ପ୍ରଜ୍ୱଳନ କରିଛନ୍ତି।

ସମ୍ବନ୍ଧିତ ଖବର