ପାରାଦୀପ ବନ୍ଦରର ବିକାଶ ନେଇ ଦିଲ୍ଲୀରେ ସମୀକ୍ଷା ବୈଠକ

ନୂଆଦିଲ୍ଲୀ/ଭୁବନେଶ୍ୱର : ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳଗୁଡ଼ିକରେ ବନ୍ଦର ଆଧାରିତ ଶିଳ୍ପାୟନର ବିକାଶ ପାଇଁ ନୂଆଦିଲ୍ଳୀରେ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ପରିବହନ ଭବନରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ଜାହାଜ ଚଳାଚଳ ଓ ସଡ଼କ ପରିବହନ ମନ୍ତ୍ରୀ ନୀତି ଗଡ଼କରୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ୪୦ଟି ଭିନ୍ନ ଭିନ୍ନ ପ୍ରକଳ୍ପରେ ପାଖାପାଖି ୯୧ ହଜାର କୋଟି ଟଙ୍କାର ବ୍ୟୟ ବରାଦକୁ ତୁରନ୍ତ କ୍ରିୟାନ୍ଵୟନ କରାଯିବା ଉପରେ ଆଲୋଚନା ହୋଇଥିଲା। ପାରଦୀପ ଶିଳ୍ପାୟନ ପାଇଁ ଯୋଗ୍ୟ ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଏକ ବିଶ୍ୱମାନର ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯିବ ବୋଲି ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ।

ପାରାଦୀପ ବନ୍ଦରର ଆଧୁନିକୀକରଣର ୭ଟି ବିଭିନ୍ନ ପ୍ରକଳ୍ପରେ ୧୬ ହଜାର ୬୩୭ କୋଟି, ଦ୍ୱିତୀୟରେ ବନ୍ଦର ସହିତ ସଂଯୋଗୀକରଣ ପାଇଁ ୯ଟି ବିଭିନ୍ନ ପ୍ରକଳ୍ପରେ ୧୩ ହଜାର ୬୯୦ କୋଟି, ତୃତୀୟ ୮ଟି ବନ୍ଦର ଆଧାରିତ ଶିଳ୍ପାୟନ ପ୍ରକଳ୍ପରେ ୫୫ ହଜାର ୫୫୦ କୋଟି, ଚତୁର୍ଥରେ ୧୦ଟି ଉପକୂଳ ଅଞ୍ଚଳ ବିକାଶ ପ୍ରକଳ୍ପରେ ୪ ହଜାର ୭୯୩ କୋଟି ବ୍ୟୟବରାଦକୁ ତ୍ୱରିତ ଖର୍ଚ୍ଚ କରି ଲୋକଙ୍କ ପାଖରେ ଏହି ପ୍ରକଳ୍ପର ଲାଭ ପହଞ୍ଚାଇବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ପାରାଦୀପ ଠାରେ ୪୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସ୍ଥାପନ କରାଯିବ। ଏହା ବାଦ୍‌ ୧୦୦ ଏମ୍‌ଏଲ୍‌ ଡିସାଲିନେସନ୍‌ ସୁବିଧା ବିକାଶ କରାଯିବ, ଯାହା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ପାନୀୟ ଜଳ ମିଳିପାରିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ଭାରତ ସରକାର ପାରାଦୀପ ବନ୍ଦରକୁ ସ୍ମାର୍ଟପୋର୍ଟ ଇଣ୍ଡଷ୍ଟ୍ରି ସିଟି ଭାବେ ଘୋଷଣା କରିଛନ୍ତି। ଏହି ବନ୍ଦର ନଗରୀ ଓଡ଼ିଶାର ପ୍ରମୁଖ ଶିଳ୍ପାଞ୍ଚଳ ହେବାକୁ ଯାଉଛି। ପାରାଦୀପରେ ୧୫ ଏମ୍‌ଏମ୍‌ଟିପିଏର ତୈଳ ବିଶୋଧନାଗାର, ୧୨ ଏମ୍‌ଏମ୍‌ଟିପିଏର ପିଲେଟ୍‌ ପ୍ରକଳ୍ପ, ୪ ଏମ୍‌ଏମ୍‌ଟିପିଏ କ୍ଷମତାସମ୍ପନ୍ନ ଦୁଇଟି ସାର କାରଖାନା ପ୍ରତିଷ୍ଠିତ ହୋଇସାରିଛି। ତୈଳ ମନ୍ତ୍ରଣାଳୟ ଦ୍ୱାରା ପାରାଦୀପରେ ସ୍ଥାପିତ ହେଉଥିବାର ୭୦୦ଟି ଟିଏମ୍‌ଟି କ୍ଷମତା ବିଶିଷ୍ଟ ପ୍ରଲିପ୍ରପଲିନ୍‌ ପ୍ରକଳ୍ପ ୨୦୧୮ ମସିହା ସୁଦ୍ଧା ଶେଷ ହେବାକୁ ଥିଲା ବେଳେ ୩୫୫ ଟିଏମ୍‌ଟି କ୍ଷମତାସମ୍ପନ୍ନ ମନୋମିଥାଇଲ୍‌ ଗ୍ଲାଇକୋ ପ୍ରକଳ୍ପ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପର ଦ୍ରୁତ ବିକାଶ ପାଇଁ ସୁଯୋଗ ତିଆରି କରିବ ବୋଲି କୁହାଯାଇଥିଲା। କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହର୍ଷ ମିରତ କୌର ବାଦଲଙ୍କ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଓ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ଉପସ୍ଥିତ ଥିଲେ। ବୈଠକରେ ଓଡ଼ିଶା ସରକାରଙ୍କୁ ଆମନ୍ତ୍ରଣ କରାଯାଇଥିଲେ ବି ରାଜ୍ୟର କୌଣସି ପ୍ରତିନିଧି ଯୋଗ ଦେଇ ନ ଥିଲେ।

ସମ୍ବନ୍ଧିତ ଖବର