ସେନା ପାଳିବ ସାହିତ୍ୟ ଉତ୍ସବ: ୧୨ଟା ଗୁଳି ଖାଇବା ପରେ ଜୀବିତ ଥିବା ବୀର କହିଲେ କାର୍ଗିଲ ଯୁଦ୍ଧ ବେଳର ଲୋମଟାଙ୍କୁରା କାହାଣୀ

ନୂଆଦିଲ୍ଳୀ: ଆପଣ କେତେ ଭଲ ଭାବରେ ନିଜର ଭୟକୁ ଲୁଚେଇ ପାରୁଛନ୍ତି ତାହା ବାହାଦୁରି। ବାହାଦୁରି କାହାକୁ କହନ୍ତି ଯଦି ଜାଣିବାକୁ ଚାହାନ୍ତି ତେବେ ୧୯୯୯ ମସିହାରେ କାର୍ଗିଲ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପରମ ଭିର୍‌ ଚକ୍ର ବିଜେତା ସୁବେଦର ଯୋଗେନ୍ଦ୍ର ଯାଦବଙ୍କୁ ଭେଟନ୍ତୁ। ସେ କହନ୍ତି, ‘ଏପରିକି ଶତ୍ରୁଙ୍କୁ ସାମ୍ନା କରିବାକୁ ଯାଉଥିବା ବେଳେ ମୃତ୍ୟୁ ଏକ ରକମର ସୁନିଶ୍ଚିତ। ଜଣେ ଯବାନ ପାଇଁ ନିଜ ସୁରକ୍ଷା ପରେ ଆସେ। ପ୍ରଥମରେ ଆସେ ଦେଶ।’

ଦେଶରେ ପ୍ରଥମ କରି ଆୟୋଜିତ ହେବାକୁ ଯାଉଥିବା ‘ସେନା ସାହିତ୍ୟ ଉତ୍ସବ’ରେ ଯୋଗଦାନ କରିବାକୁ ଥିବା ଯାଦବ କେଉଁ ଭଳି ଭାବେ କାର୍ଗିଲ ଯୁଦ୍ଧରେ ଶତ୍ରୁଙ୍କ କବଳରୁ ନିଜକୁ ବଞ୍ଚାଇ ପାରିଥିଲେ ସେ ସଂପର୍କରେ ନିକଟରେ ଗଣମାଧ୍ୟମରେ ବଖାଣିଛନ୍ତି। ଯୁଦ୍ଧ ସମୟରେ ଶତ୍ରୁ କବଳରୁ ନିଜକୁ ବଞ୍ଚାଇବା ପାଇଁ କେବଳ ବଳ ନୁହେଁ ବୁଦ୍ଧି ମଧ୍ୟ ଆବଶ୍ୟକ ବୋଲି ସେ କହିଛନ୍ତି। ଯାହା ହେଉ ନିଜ ବୁଦ୍ଧି ପ୍ରୟୋଗ କରିଥିବାରୁ ୧୨ଟି ଗୁଳି ଖାଇବା ପରେ ବି ଶତ୍ରୁ କବଳରୁ ନିଜକୁ ବଞ୍ଚାଇ ଦେଶକୁ ଫେରିଥିଲେ ଯାଦବ।

ଏମିତି କ’ଣ ହୋଇଥିଲାକି କାର୍ଗିଲ ଯୁଦ୍ଧ ସମୟରେ ଟାଇଗର୍‌ ହିଲ୍‌ରେ ହୋଇଥିବା ଭାରତ-ପାକିସ୍ଥାନ ଲଢ଼େଇ ବେଳେ! ସେ କଥା ଶୁଣିଲେ ଆପଣ ମନରେ ବୀର ଯାଦବଙ୍କ ପ୍ରତି ସମ୍ମାନ ଆହୁରି ବଢ଼ିିଯିବ। କିପରି ପରିସ୍ଥିତିରେ ସେ ଲଢ଼େଇ କରି ନିଜକୁ ବଞ୍ଚାଇ ପାରିଛନ୍ତି ତାହା ଅତ୍ୟନ୍ତ ବିସ୍ମୟଜନକ। ତେବେ, ଆସନ୍ତୁ ସେ ସଂପର୍କରେ କ’ଣ କୁହନ୍ତି ଯାଦବ ସିଧା ତାଙ୍କ ମୁହଁରୁ ଶୁଣିବା।

‘ସେଦିନ ଥାଏ ୧୯୯୯ ମସିହା ଜୁଲାଇ ମାସ ୪ ତାରିଖ। ଆମେ ୭ ଜଳ ଏକ ଦଳ ହୋଇ ଟାଇଗର୍‌ ହିଲ୍‌ (୯୦ ଡିଗ୍ରି) ଉପରକୁ ଚଢ଼ିଲୁ। ସବୁ ପକ୍ଷରୁ ଆମକୁ ମୃତ୍ୟୁ ଯେପରି ଘାରି ରହିଥିଲା। ଆମେ ଜାଣିଥିଲୁ ଆମେ ମରିବାକୁ ଯାଉଛୁ। ମାତ୍ର ଆମେ ଅଧିକରୁ ଅଧିକ ଶତ୍ରୁ ନିହତ କରିବା ଯୋଜନାରେ ଥାଉ। ଏହି ଜୋଶର ସହ ଆମେ ଆଗକୁ ବଢ଼ିଚାଲିଲୁ। ଶତ୍ରୁ ପକ୍ଷରୁ ମୋ ଦେହରେ ଆସି ୧୨ଟି ଗୁଳି ବାଜିଲା। ତା’ପରେ ବି ମୁଁ ୫ ଜଣ ଶତ୍ରୁଙ୍କୁ ନିହତ କରିଛି। ଗୁଳିଗୁଡ଼ିକ ଆସି ମୋ ବାହୁ ଏବଂ ଗୋଡ଼ରେ ବାଜୁଥାଏ। ସେମାନେ ଛାତିକୁ ଲକ୍ଷ କରି ଗୁଳିଚାଳାନା କରୁଥାନ୍ତି। ମାତ୍ର ମୁଁ ମୋ ପକେଟରେ ୫ ଟଙ୍କିଆ କଏନ୍‌ ରଖିଥାଏ। ସେହି କଏନରେ ହେତୁ ମୋ ଛାତିରେ ଗୁଳି ବାଜି ପାରୁନଥାଏ। ଭଗବାନ ମୋତେ ଜୀବିତ ରଖିଛନ୍ତି ଯାହା ଫଳରେ ମୁଁ ଆଜି ସେ କାହାଣୀ କହିପାରୁଛି। ସେଦିନର ସେ ଲଢ଼େଇରେ କିନ୍ତୁ ମୁଁ ମୋର ଛଅ ଜଣ ବନ୍ଧୁଙ୍କୁ ହରାଇ ବସିଲି। ମୋରି ଆଖି ସାମ୍ନାରେ ସେମାନେ ହସି ହସି ଦେଶପାଇଁ ସହିଦ ହୋଇଗଲେ। ମୁଁ ଗୁଡ଼ାଏ ଗୁଳି ଖାଇ ତଳେ ନିସ୍ତେଜ ହୋଇପଡ଼ିଥାଏ। ଶତ୍ରୁମାନେ ମୋତେ ମୃତ ଭାବି ବସିଲେ। ମୁଁ ଜୀବିତ କି ମୃତ ନିଶ୍ଚିତ ହେବା ପାଇଁ ସେମାନେ ଆହୁରି ୨ଟା ଗୁଳି ଚାଳନା କଲେ। ମୁଁ ଜାଣି ଜାଣି ମୃତ ପରି ଅଭିନୟ କରି ପଡ଼ି ରହିଲି। ଯେତେବଳେ ସେମାନଙ୍କର ଆଉ ଏକ ଟିମ୍‌ ଆସିଲା ମୁଁ ମୋର ରାଇଫଲ୍‌ ଉଠାଇ ୫ ଜଣଙ୍କୁ ନିହତ କଲି। ମୁଁ ଚାରିଆଡୁ ଗୁଳିଚାଳନା କଲି। ଫଳରେ ସେମାନଙ୍କୁ ଲାଗିଲା ଆମ ପକ୍ଷରୁ ଅନ୍ୟ ଏକ ଦଳ ଆସିଗଲେଣି। ଯଦି ସେମାନେ ଜାଣିପାରିଥାନ୍ତେ ମୁଁ ଏକା ଅଛି ତ ସେମାନେ ମୋତେ ମାରି ଦେଇଥାନ୍ତେ। ମୃତ୍ୟ ସେତେବେଳେ ଆଖି ସାମ୍ନାରେ। ତାପରେ ବି ମନରେ ଭୟ ନଥାଏ। ଖାଲି ଦେଶ, ଦେଶର ନୀରିହ ନାଗରିକ ଦିଶୁଥାନ୍ତି। ନିଜେ ମରି କରି ଦେଶକୁ ସୁରକ୍ଷା ଦେବା ମୋର ପ୍ରଥମ କାମ ବୋଲି ଭିତରୁ ଏକ ଆଓ୍ଵାଜ ଆସୁଥାଏ।’

ଉଲ୍ଲେଖଯୋଗ୍ୟ, କାର୍ଗିଲ ଯୁଦ୍ଧରେ ଲଢ଼େଇ କରୁଥିବା ବେଳେ ଯାଦବଙ୍କ ବୟସ ଥାଏ ମାତ୍ର ୧୯ ବର୍ଷ। ଯାଦବଙ୍କ ପରି ଆଉ ଜଣେ ପରମ ଭିର୍‌ ଚକ୍ର ବିଜେତା ହେଉଛନ୍ତି ନଇବ ସୁବେନ୍ଦର ସଞ୍ଜୟ କୁମାର। ସେ ମଧ୍ୟ କାର୍ଗିଲ ଯୁଦ୍ଧ ସମୟର ନିଜର ଅଭିଜ୍ଞତା ପ୍ରକାଶ କରିଛନ୍ତି। ସେହିପରି ଆଉ ଜଣେ ବିର କ୍ୟାପଟେନ୍‌ ବାନା ସିଂହ ୧୯୮୭ ମସିହାରେ ସିଆଚିନ ସେକ୍ଟରରେ ପାକ୍‌ ବିରୋଧରେ ନିଜର ବିରତ୍ୱ ପ୍ରଦର୍ଶନ କରି ପରମ ଭିର୍‌ ଚକ୍ର ପୁରସ୍କାର ପାଇଥିଲେ। ସେ ମଧ୍ୟ ହେବାକୁ ଥିବା ‘ସେନା ସାହିତ୍ୟ ଉତ୍ସବ’ରେ ଯୋଗଦାନ କରିବେ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର