ଭାରତୀୟ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀଗୁଡ଼ିକରେ ୬୧ ହଜାର ପଦବୀ ଖାଲି

ନୂଆଦିଲ୍ଲୀ : ଭାରତୀୟ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀଗୁଡ଼ିକରେ ହଜାର ହଜାର ପଦବୀ ଖାଲି ପଡିଛି । ଏହା ଫଳରେ ଏହି ବାହିନୀଗୁଡ଼ିକରେ ଯବାନ ଓ ଅନ୍ୟ କର୍ମଚାରୀ ଅଭାବ ଦେଖାଦେଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟର ତଥ୍ୟ ଅନୁସାରେ ବିଭିନ୍ନ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀଗୁଡ଼ିକରେ ମୋଟ ୬୧ ହଜାର ପଦବୀ ଖାଲି ପଡିଛି । ଏହା ମଧ୍ୟରୁ ସିଆରପିଏଫରେ ୧୮୪୬୦ ଟି ପଦବୀ, ବିଏସଏପରେ ୧୦,୭୩୮ଟି ପଦବୀ ଅନ୍ତର୍ଭୁକ୍ତ । ତେବେ ସଶସ୍ତ୍ର ସୀମା ବଳରେ ସର୍ବାଧିକ ୧୮,୯୪୨ଟି ପଦବୀ ଖାଲି ରହିଛି । ଇଣ୍ଡୋ-ତିବ୍ଦତିଆନ ବର୍ଡର ପୁଲିସରେ ୫୭୮୬ଟି ପଦବୀ, ଆସାମ ରାଇଫଲ୍ସରେ ୩୮୪୦ଟି ପଦବୀ ଓ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସଏଫ)ରେ ୩୮୧୨ଟି ପଦବୀ ଖାଲି ରହିଛି । ବିଭିନ୍ନ କାରଣରୁ ଏସବୁ ପଦବୀ ଖାଲି ରହିଥିବା ଜଣାଯାଇଛି । ସେଗୁଡିକ ମଧ୍ୟରେ ରହିଛି କର୍ମଚାରୀ ଓ ଯବାନଙ୍କ ଅବସର, ଅପରେସନ ବେଳେ ନିହତ ହେବା, ଚାକିରିରୁ ଇସ୍ତଫା ଦେବା ଇତ୍ୟାଦି । ତେବେ ବିଭିନ୍ନ ଉପାୟରେ ଏସବୁ ଖାଲି ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରାଳୟ କହିଛି । ସେଗୁଡ଼ିକ ମଧ୍ୟରେ ପ୍ରତ୍ୟକ୍ଷ ନିଯୁକ୍ତି, ପଦୋନ୍ନତି ଓ ଡେପୁଟେସନ ଅନ୍ୟତମ ।

ସମ୍ବନ୍ଧିତ ଖବର