ବିଦାୟ ପାରିକର: ଅଜେୟ ରାଜନେତା, ସଙ୍କଟମୋଚକ

ଦକ୍ଷ ପ୍ରତିରକ୍ଷା ମନ୍ତ୍ରୀ, ଦୁର୍ଦ୍ଧର୍ଷ ଆତ୍ମବିଶ୍ବାସୀ

0

ନୂଆଦିଲ୍ଲୀ: ଗୋଆ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭଳି ଅତି ଗୁରୁତ୍ବପୂର୍ଣ୍ଣ ଆସନ ଅଳଙ୍କୃତ କରିଥିବା ପାରିକରଙ୍କ ବିରୋଧରେ କେହି ପ୍ରଶ୍ନ ଉଠାଇ ପାରିନଥିଲେ। ମୁଖ୍ୟମନ୍ତ୍ରିତ୍ବ କାଳରେ ନିଜର ନିଷ୍ଠା ଓ ପରକାଷ୍ଠା ପାଇଁ ପାରିକର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତେଣୁ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟର ନେତୃତ୍ବ ନେବାକୁ ଜଣେ ଦକ୍ଷ ବ୍ୟକ୍ତିତ୍ବଙ୍କୁ ଖୋଜୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନ୍ବେଷଣ ପାରିଙ୍କରଙ୍କ ଠାରେ ଆରମ୍ଭ ଓ ଶେଷ ହୋଇଥିଲା। କାର୍ଯ୍ୟଭାର ସମ୍ଭାଳିବା ପରେ ସେ ପ୍ରତିରକ୍ଷା ଭଳି ଅତି ସମ୍ବେଦନଶୀଳ ମନ୍ତ୍ରାଳୟରେ ସାମାନ୍ୟତମ ଦୁର୍ନୀତି କି ଅପପ୍ରଚାରକୁ ସୁଯୋଗ ଦେଇନଥିଲେ। ତାଙ୍କ ଅଢ଼େଇ ବର୍ଷର କାର୍ଯ୍ୟକାଳ ଭିତରେ ସେ ଦେଶର ଶତ୍ରୁ ବିରୋଧରେ ନେଇଥିବା କଠୋର ପଦକ୍ଷେପ ନିରାପତ୍ତା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଭାରତୀୟ ସେନାକୁ ସେ ଦେଇଥିବା ମୁକ୍ତ କାର୍ଯାନୁଷ୍ଠାନର ଅନୁମତି ହିଁ ୨୦୧୬ ମସିହା ଉରି ଆକ୍ରମଣ ପରେ ପାକିସ୍ତାନ ମାଟିରେ ଆତଙ୍କବାଦୀ ଶିବିର ଉପରେ ପ୍ରଥମ ସର୍ଜିକାଲ ଷ୍ଟ୍ରାଇକର ରୂପ ନେଇଥିଲା। ସେହିପରି ଆତଙ୍କବାଦକୁ ଦମନ କରିବା ପାଇଁ ଯାହା ହାତରେ ଏକେ-୪୭ ଦେଖୁଛ, ତାକୁ ଗୁଳି କର ବୋଲି ସୁରକ୍ଷାବାହିନୀକୁ ଦେଇଥିବା ନିର୍ଦ୍ଦେଶ କଶ୍ମୀରର ଉଦଭ୍ରାନ୍ତ ଯୁବକମାନଙ୍କୁ ସାବାଡ଼ କରିଥିଲା। ସେହିପରି ସେନାବାହିନୀକୁ ନିଜର ଆବଶ୍ୟକ ମୁତାବକ ଜରୁରୀ ସରଞ୍ଜାମ କିଣିବାର ସ୍ବାଧୀନ କ୍ଷମତା ମଧ୍ୟ ପାରିକର ଦେଇଥିଲେ। ସେ ନେଇଥିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଲା ଫ୍ରାନ୍ସ ସହ ସରକାରୀ ସ୍ତରରେ ବୁଝାମଣା କରି ରାଫେଲ ପରି ଅତ୍ୟାଧୁନିକ ଶକ୍ତିଶାଳୀ ଯୁଦ୍ଧ ବିମାନ କ୍ରୟ ସଂକ୍ରାନ୍ତ ରାଜିନାମା ଚୂଡ଼ାନ୍ତ କରିବା। ସେ ମଧ୍ୟ ବାୟୁସେନାର ଶକ୍ତି ବଢ଼ାଇବା ପାଇଁ ସ୍ବଦେଶୀ ଜ୍ଞାନକୌଶଳରେ ତେଜସ୍ ବିମାନ ନିର୍ମାଣ ପାଇଁ ଆଗଭର ଥିଲେ। ମାତ୍ର ତାହା ସଂପନ୍ନ କରିବା ଆଗରୁ ଗୋଆର ପରିବର୍ତ୍ତିତ ରାଜନୈତିକ ସ୍ଥିତି ସମ୍ଭାଳିବା ପାଇଁ ତାଙ୍କୁ ୨୦୧୭ ମାର୍ଚ୍ଚରେ ପୁଣି ଗୋଆ ଫେରି ମୁଖ୍ୟମନ୍ତ୍ରିତ୍ବ ସମ୍ଭାଳିବାକୁ ପଡ଼ିଥିଲା।

ପାନାଜି: ମୁମ୍ବାଇ ଆଇଆଇଟିରୁ ମେଟାଲର୍ଜି ଇଞ୍ଜିନିୟରିଂ ଶିକ୍ଷା ସାରି ଜଣେ ସାଧାରଣ ତେଜରାତି ଦୋକାନୀର ପୁଅ କେବେ ଉଚ୍ଚ ବେତନର ସମ୍ମାନଜନକ ଜାତୀୟସ୍ତରୀୟ ଚାକିରି ଛାଡ଼ିବା କଥା ଭୁଲରେ ବି ଚିନ୍ତା କରିବନି। ମାତ୍ର ପାରିକରଙ୍କ ଭଳି ଅସୀମ ଆତ୍ମବିଶ୍ବାସୀ ସ୍ଥାନୀୟ ସମ୍ବଳକୁ ପାଥେୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି ପାଇଁ ନିଆରା ଉଦ୍ୟମ କରିଥିଲେ। ଗୋଆ ସହରରେ ଝୋଟ ବସ୍ତା ତିଆରି କାରଖାନା ଖୋଲି ତାହାର ବଣିଜ କରିବାକୁ ପାରିକର ନେଇଥିବା ନିଷ୍ପତ୍ତି ଆତ୍ମୀୟସ୍ବଜନ ସମେତ ସହପାଠୀମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମାତ୍ର ଅନ୍ୟମାନଙ୍କ ଟାହିଟାପରାକୁ ଭ୍ରୂକ୍ଷେପ ନକରି ସେ ମାଆଙ୍କ ଠାରୁ କିଛି ଟଙ୍କା ଧାର ଆଣି ନିଜ ଯୋଜନାରେ ଆଗେଇ ଚାଲିଲେ। ଫଳସ୍ବରୂପ, ବ୍ୟବସାୟର ମାତ୍ର ତିନି ମାସ ଭିତରେ ତଥାକଥିତ ଋଣର ଦ୍ବିଗୁଣା ପରିଶୋଧ କରି ସେ ନିଜ ଆତ୍ମବିଶ୍ବାସର ପ୍ରମାଣ ଦେଇଥିଲେ। ନିଜ ଉପରେ ତାଙ୍କର ଏତେ ଭରସା ଥିଲା ଯେ ସେ କୌଣସି ଗୃହୀତ ସାମାଜିକ ସଂସ୍କାରକୁ ଅନ୍ଧ ଭାବେ ଗ୍ରହଣ କରୁନଥିଲେ। ୧୩ ସଂଖ୍ୟା ପ୍ରତି ରହିଥିବା ସାଧାରଣ ବିମୁଖତାକୁ ଆଡ଼ କରି ସେ ନିଜର ଜନ୍ମ ତାରିଖ ୧୩କୁ ହିଁ ସବୁଠୁ ଶୁଭ ସଂଖ୍ୟା ବୋଲି ବିଚାରୁଥିଲେ। ଏପରିକି ନିଜ ନାମଫଳକରେ ଏହାକୁ ସ୍ଥାନ ଦେଇଥିଲେ। ମଜାର କଥା, ସେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ପାଇଁ ଦାବି ଉପସ୍ଥାପନ କଲା ବେଳେ ତାଙ୍କ ପାଖରେ ୧୩ ଜଣ ବିଜେପି ବିଧାୟକ ଥିଲେ। ସେହିପରି ଗତକାଲି(ମାର୍ଚ୍ଚ ୧୬) ସୁଦ୍ଧା ତାଙ୍କ ମେଣ୍ଟ ସରକାରରେ ୧୩ ଜଣ ବିଜେପି ବିଧାୟକ ଥିଲେ ଯାହା ତାଙ୍କ ମୃତ୍ୟୁ ପରେ ୧୨କୁ ଖସି ଆସିଛି। ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ଗୋଆର ସେବାରେ ବ୍ରତୀ ଥିବା ବିଜେପିର ତୁଙ୍ଗ ନେତା ମନୋହର ପାରିକର ଆଜି ସନ୍ଧ୍ୟାରେ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି। ଅକ୍ଟୋବର ୨୦୦୦ରେ ଗୋଆରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠାରୁ ଆଜି ପର୍ଯ୍ୟନ୍ତ ତାଙ୍କର ରାଜନୈତିକ ଜୀବନ ଅନେକ ସଫଳତା ଓ ରୋମାଞ୍ଚରେ ଭରି ରହିଥିଲା। ଆର୍‌ଏସ୍‌ଏସ୍‌ର ଜଣେ ପ୍ରଚାରକ ଭାବେ ସେବା ଜୀବନ ଆରମ୍ଭ କରିଥିବା ପାରିକର ଦେଶର ଜଣେ ସଫଳ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଜକୁ ପ୍ରତିପାଦିତ କରିଥିଲେ । ୬୩ ବର୍ଷୀୟ ପାରିକର ଗୋଆ ରାଜନୀତିରେ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିତ୍ବ ଥିବା ବେଳେ ସେ ୪ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍‌ରେ ଅଢ଼େଇ ବର୍ଷ ଧରି ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ବ ନେଇଥିବା ପାରିକର ବିଜେପିର ଅନ୍ୟତମ ସଙ୍କଟମୋଚକ ଭାବେ ବେଶ୍‌ ପରିଚିତ। ଗୋଆରେ ବିଜେପିକୁ ବାରମ୍ବାର କ୍ଷମତାକୁ ଆଣିବାର ସବୁ ଶ୍ରେୟ ପାରିକରଙ୍କର ଥିଲା। ଡିସେମ୍ବର ୧୩, ୧୯୫୫ରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ପାରିକର ଜଣେ ଆର୍‌ଏସ୍‌ଏସ୍‌ ପ୍ରଚାରକ ଭାବେ ପରିଚିତ ଥିଲେ। ଆଇଆଇଟି-ବମ୍ବେରେ ଶିକ୍ଷା ସମାପ୍ତ କରିବା ପରେ ମଧ୍ୟ ସେ ଆର୍‌ଏସ୍‌ଏସ୍‌ ସହ ସଂପୃକ୍ତ ରହିଥିଲେ। ସଂଘ ପ୍ରତି ତାଙ୍କର ଗଭୀର ଆନୁଗତ୍ୟ କାହାକୁ ଅଛପା ନଥିଲା ଏବଂ ପାରିକର ଏହାକୁ ନେଇ ଗର୍ବ ଅନୁଭବ କରୁଥିଲେ। ପାରିକର ୧୯୯୪ରେ ପ୍ରଥମେ ନିର୍ବାଚନୀ ରାଜନୀତିକୁ ପ୍ରବେଶ କରିଥିଲେ ଏବଂ ବିଜେପି ଟିକଟରେ ପାନାଜୀ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୧୯୯୯ ଜୁନ୍‌ରୁ ନଭେମ୍ବର ପର୍ଯ୍ୟନ୍ତ ସେ ଗୋଆରେ ବିରୋଧୀ ଦଳ ନେତା ରହିଥିଲେ ଏବଂ କଂଗ୍ରେସ ନେତୃତ୍ବାଧୀନ ସରକାର ବିରୋଧରେ ରାଜ୍ୟରେ ପ୍ରବଳ ଜନମତ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ। ଅକ୍ଟୋବର ୨୪, ୨୦୦୦ରେ ସେ ପ୍ରଥମ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ହେଲେ, କିନ୍ତୁ ତାଙ୍କ କାର୍ଯ୍ୟକାଳ କେବଳ ଫେବ୍ରୁଆରି ୨୭, ୨୦୦୨ ପର୍ଯ୍ୟନ୍ତ ତିଷ୍ଠିଥିଲା। ଜୁନ୍‌ ୫, ୨୦୦୨ରେ ସେ ପୁଣି ଥରେ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୫ ଜାନୁଆରି ୨୯ରେ ୪ ଜଣ ବିଜେପି ବିଧାୟକ ଇସ୍ତଫା ଦେବାରୁ ତାଙ୍କ ସରକାର ସଂଖ୍ୟାଗରିଷ୍ଠତା ହରାଇଥିଲା ଏବଂ କଂଗ୍ରେସ ନେତା ପ୍ରତାପସିଂହ ରାଣେ ପାରିକରଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୦୭ରେ ଦିଗମ୍ବର କାମାତଙ୍କ ନେତୃତ୍ବରେ କଂଗ୍ରେସ ପାରିକରଙ୍କ ନେତୃତ୍ବାଧୀନ ବିଜେପିକୁ ରାଜ୍ୟରେ ପରାସ୍ତ କରିଥିଲା। କିନ୍ତୁ ୨୦୧୨ରେ ବିଜେପି ପୁଣି ରାଜ୍ୟରେ ବିପୁଳ ବିଜୟ ହାସଲ କରିଥିଲା ଏବଂ ପାରିକର ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପରେ ସେ ନଭେମ୍ବର ୨୦୧୪ରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ। ୨୦୧୭ ବିଧାନସଭା ନିର୍ବାଚନ ପରେ ସରକାର ଗଠନ ନେଇ ସଙ୍କଟ ଦେଖାଦେବାରୁ ପାରିକର କେନ୍ଦ୍ର କ୍ୟାବିନେଟରୁ ବିଦାୟ ନେଇ ପୁଣି ଥରେ ରାଜ୍ୟ ରାଜନୀତିକୁ ଆସିଥିଲେ ଏବଂ ତାଙ୍କ ନେତୃତ୍ବରେ ଗୋଆରେ ମିଳିତ ସରକାର ଗଠନ ହୋଇଥିଲା ।

ପାରିକର ଏବଂ ବିବାଦ
୨୦୦୧ରେ ଗୋଆରେ ପାରିକରଙ୍କ ସରକାର ୫୧ଟି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସଂଘ ପରିବାରକୁ ହସ୍ତାନ୍ତର କରି ଏହାକୁ ବିଦ୍ୟା ଭାରତୀରେ ପରିଣତ କରିଥିଲେ। ଏହି ନିଷ୍ପତ୍ତିକୁ କଂଗ୍ରେସ ଏବଂ କେତେକ ବୁଦ୍ଧିଜୀବୀ ଗୋଷ୍ଠୀ ଜୋର୍‌ଦାର ବିରୋଧ କରିଥିଲେ।
୨୦୧୪ ଫିଫା ବିଶ୍ବ କପ୍‌ ପାଇଁ କେତେକ ବିଧାୟକ ଏବଂ ମନ୍ତ୍ରୀଙ୍କୁ ଅତ୍ୟନ୍ତ ବ୍ୟୟବହୁଳ ଗସ୍ତ ପାଇଁ ମଂଜୁରି ଦେଇଥିଲେ ଏବଂ ଏଥି‌ପାଇଁ ରାଜ୍ୟ ରାଜକୋଷରୁ ୮୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାକୁ ନେଇ ପାରିକରଙ୍କୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଭାରତରେ ‘ଅସହିଷ୍ଣୁତା’ ବିତର୍କ ଚାଲିଥିବା ବେଳେ ଅଭିନେତା ଅମୀର ଖାନ୍‌ ତାଙ୍କ ପତ୍ନୀ କିରଣ ରାଓଙ୍କ ବୟାନକୁ ଉଲ୍ଲେଖ କରି ଭାରତ ଛାଡ଼ି ଅନ୍ୟତ୍ର ରହିବା କଥା ଉଠାଇବାରୁ ପାରିକର ଏହାକୁ ନେଇ କଡ଼ା ମନ୍ତବ୍ୟ ଦେଇଥିଲେ। ଏଭଳି କହୁଥିବା ଲୋକଙ୍କୁ ଉଚିତ ଶିକ୍ଷା ମିଳିବା ଆବଶ୍ୟକ ବୋଲି ସେ କହିଥିଲେ। ଅଗଷ୍ଟ ୨୦୧୬ରେ ପାରିକର କହିଥିଲେ ଯେ ପାକିସ୍ତାନକୁ ଯିବା ନର୍କକୁ ଯିବା ସଂଗେ ସମାନ। ଏହାକୁ ନେଇ ମଧ୍ୟ ବିବାଦ ଉପୁଜିଥିଲା। ଭାରତର ପରମାଣୁ ନୀତିକୁ ନେଇ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ପାରିକର ବଡ଼ ପ୍ରଶ୍ନ ଉଠାଇଥିଲେ। ଭାରତ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ରହିଥିବା ନୀତି ବଦଳିବା ଆବଶ୍ୟକ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.