‘ମୋଦି ସରକାର ସୁପ୍ରିମ୍‌ କୋର୍ଟକୁ ନିଜ ଅଧୀନରେ ରଖିବା ସହ ସଂସଦର ଦ୍ୱାରକୁ ବନ୍ଦ କରି ଦେଇଛନ୍ତି’: ରାହୁଲ ଗାନ୍ଧୀ

କଂଗ୍ରେସ ପକ୍ଷରୁ ଦେଶବ୍ୟାପି ‘ସେଭ୍‌ ଦ କନ୍‌ଷ୍ଟିଚ୍ୟୁସନ୍‌’ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଆଜିଠାରୁ ଦେଶବ୍ୟାପି ସମ୍ବିଧାନକୁ ରକ୍ଷାକର (ସେଭ୍‌ ଦ କନ୍‌ଷ୍ଟିଚ୍ୟୁସନ୍‌ କାମ୍ପେନ୍‌) ଅଭିଯାନ ଆରମ୍ଭ ହୋଇଛି। ଆଜି ରାଜଧାନୀ ନୂଆଦିଲ୍ଲୀ ଠାରେ ଏହି ଅଭିଯାନର ଶୁଭାରମ୍ଭ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟି (ବିଜେପି)ର କଡ଼ା ସମାଲୋଚନା କରିଛନ୍ତି।

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦେଶର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକରେ ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଆଦର୍ଶବାଦୀମାନଙ୍କୁ ନିଯୁକ୍ତି ଦେଇ ଏହି ସବୁ ଅନୁଷ୍ଠାନର ଗରିମାକୁ ନଷ୍ଟ ବିନିଷ୍ଟ କରି ଦେଲେଣି। ଏଥି ସହ ‘ମୋଦି ସରକାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟକୁ ସଂପୂର୍ଣ୍ଣ ଭାବେ ନିଜ ଅଧୀନରେ ରଖିବା ସହ ସଂସଦର ଦ୍ୱାରକୁ ବନ୍ଦ କରି ଦେଇଛନ୍ତି’ ବୋଲି ଏହି ଅବସରରେ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।

‘ସ୍ୱାଧୀନତା ପରବର୍ତ୍ତୀ ସମୟରେ ଦେଶର ନ୍ୟାୟିକ ଇତିହାସରେ ସର୍ବପ୍ରଥମ ଥର ପାଇଁ ଓ ଏକ ଅଦ୍ଭୂତପୂର୍ବ ଘଟଣାକ୍ରମରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟର ଚାରିଚାରି ଜଣ ବରିଷ୍ଠ ବିଚାରପତି ଯେପରି ଦେଶର ସାଧାରଣ ଜନତାଙ୍କ ଠାରୁ ଯେପରି ଭାବେ ନ୍ୟାୟ ମାଗିଲେ, ତାହା ବାସ୍ତବିକ ଚିନ୍ତାଜନକ। କାରଣ, ସାଧାରଣ ଜନତା ନ୍ୟାୟ ପାଇଁ ବିଚାରପତିମାନଙ୍କ ନିକଟକୁ ଯାଇଆନ୍ତି।’ ତେଣୁ, ଏହି ଅଭାବନୀୟ ଘଟଣା ମୋଦି ସରକାରର ବାସ୍ତବ ରୂପକୁ ପ୍ରକାଶ କରୁଛି। ତେଣୁ, ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ମୋଦି ସରକାରକୁ ବରଖାସ୍ତ କରିବାକୁ ଦେଶର ଜନତାକୁ ଏହି ଅବସରରେ ଆହ୍ଵାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।

ସମ୍ବନ୍ଧିତ ଖବର