ରାଜ୍ୟସଭା ୨୭ ପର୍ଯ୍ୟନ୍ତ ମୁଲତବୀ

ପ୍ରଧାନମନ୍ତ୍ରୀ କ୍ଷମା ମାଗିବା ଦାବିରେ ବିରୋଧୀ ଦଳ ଅଟଳ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ସଂସଦର ଉଭୟ ଗୃହରେ ଆଜି ମଧ୍ୟ ଜୋର୍‌୍‌ଦାର ହଙ୍ଗାମା ହୋଇଥିଲା ଏବଂ କୌଣସି କାର୍ଯ୍ୟ ହୋଇପାରିନଥିଲା। ପ୍ରଧାନମନ୍ତ୍ରୀ ମୋଦି ଏହି ମାମଲାରେ କ୍ଷମା ପ୍ରାର୍ଥନା କରିବାକୁ ଦାବିକରି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଜୋରଦାର ବିରୋଧ ଜାରି ରଖିଥିବାରୁ ଗୃହରେ ଅଚଳାବସ୍ଥା ଜାରି ରହିଛି। ଆଜି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାୟିଡ଼ୁ ଗୃହକୁ ୨୭ ଡିସେମ୍ବର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଲୋକସଭାରେ ମଧ୍ୟ ଆଜି ଏହି ପ୍ରସଙ୍ଗରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ଏବଂ ଶାସକ ଓ ବିରୋଧୀ ସଦସ୍ୟ ମୁହାଁମୁହିଁ ହୋଇଥିଲେ। ଲୋକସଭାରେ କଂଗ୍ରେସକୁ ଘେରିବା ପାଇଁ ଏବେ ବିଜେପି ନୂଆ ରଣନୀତି ତୟାର କରୁଛି। ୧୯୮୪ରେ ହୋଇଥିବା ଶିଖ୍‌ ଦଙ୍ଗା ପ୍ରସଙ୍ଗ ସଂସଦରେ ଉଠାଇବାକୁ ବିଜେପି ଯୋଜନା କରୁଛି ।

ଗତ ୧୫ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଗୁଜରାଟ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାକିସ୍ତାନ ସଂପର୍କିତ ବୟାନକୁ ନେଇ କେବଳ ବିରୋଧ ହିଁ ଚାଲିଛି। ଆଜି ରାଜ୍ୟସଭାରେ ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ତାଙ୍କ ଉଦ୍‌ବେଗ ପ୍ରକାଶ କରି କହିଥିଲେ ଯେ ବିରୋଧୀ ଦଳ ସାଂସଦଙ୍କ ଏଭଳି ଅସହଯୋଗ ଆଚରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଗୃହରେ ଦିଆଯାଇନଥିବା ବୟାନକୁ ନେଇ ଗୃହକୁ ଅଚଳ ରଖିବା ସଂସଦର ନୀତି ନିୟମକୁ ଉଲ୍ଲଂଘନ କରୁଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ଏକ ର‍୍ୟାଲିରେ କହିଥିଲେ ଯେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ ବାସଭବନରେ ହୋଇଥିବା ଏକ ବୈଠକରେ ଗୁଜରାଟ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ପାକ୍‌ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର