ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ : ମହତ୍ତ୍ୱପୂର୍ଣ୍ଣ ଥିଲା ଓଡ଼ିଆ ସାଂସଦଙ୍କ ଯୋଗଦାନ

ଆଗତ ହୋଇପାରିଲା ନାହିଁ ଓଡ଼ିଶା ବିଧାନ ପରିଷଦ ବିଲ୍‌

ନୂଆଦିଲ୍ଲୀ, (ନଇମ ଅଖତାର): ଗତ ମାସ ୧୮ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ହୋଇଛି। ଏହି ସଂକ୍ଷିପ୍ତ ଶୀତକାଳୀନ ଅଧିବେଶନର ୨୦ଟି କାର୍ଯ୍ୟଦିବସରେ ଓଡିଶାର ସାଂସଦମାନେ ଗୃହର କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ କରିଥିବାବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜୁ ଜନତା ଦଳ (ବିଜେଡି) ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ଥିଲା। ବିଭିନ୍ନ ବିଲ୍‌କୁ ପାରିତ କରିବାରେ ଏହି ଦଳ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।

ଏହି ସମୟରେ ରଜ୍ୟସଭାର ୨୫୦ତମ ଅଧିବେଶନ ଥିଲା ଏକ ଉଲ୍ଲେଖନୀୟ ଘଟଣା। ଐତିହାସିକ ଅଧିବେଶନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ ଏନ୍‌ସିପି ସହିତ ବିଜେଡି ସାଂସଦଙ୍କ ଶୃଙ୍ଖଳିତ ଆଚରଣକୁ ଭୁରିଭୁରି ପ୍ରଶଂସା କରିଥିଲେ। ଯାହାକି, ଏକ ଚର୍ଚ୍ଚାର ବିଷୟ ଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ଉଭୟ ବିଜେପି ଓ ବିଜେଡି ପରସ୍ପରର ନିକଟତର ହେଉଛନ୍ତି ବୋଲି ବିରୋଧୀମାନେ ଅଭିଯୋଗ କରିବା ପାଇଁ ପଛାଇ ନଥିଲେ।

ତେବେ, କେନ୍ଦ୍ରସରକାରଙ୍କ ବିଭିନ୍ନ ବିଲ୍‌କୁ ପାରିତ କରିବାରେ ବିଜେଡି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ନାଗରିକତା ସଂଶୋଧନ ବିଲ୍‌- ୨୦୧୯କୁ ବିଜେଡି ୩ଟି ପରାମର୍ଶ ସହିତ ସମର୍ଥନ ଜଣାଇଥିଲା। ଫଳରେ, ବିଲ୍‌କୁ ଉଭୟ ଗୃହରେ ପାରିତ କରିବାକୁ କେନ୍ଦ୍ର ସରକାରଙ୍କ ପାଇଁ ବାଟ ଖୋଲି ଯାଇଥିଲା। ଏଥିସହିତ, ଇ-ସିଗାରେଟ୍ ନିଷେଧ ବିଲ୍, ତୃତୀୟ ଲିଙ୍ଗ ସଂଶୋଧନ ବିଲ୍, ଟ୍ୟାକ୍ସେସନ୍ ଆଇନ୍, ଦାଦ୍ରାନଗର-ହାବେଳୀ ସଂଶୋଧନ ବିଲ୍, ରିସାଇକ୍ଲିଂ ଅଫ୍ ସିପ୍ ବିଲ୍, ଏନ୍‌ସିଟି ବିଲ୍, ଜାଲିଆନାଵାଲାବାଗ ସଂଶୋଧନ ବିଲ୍, ଅନୁସୂଚିତ ଜାତି ଓ ଜନଜାତି ସଂଶୋଧନ ବିଲ୍, ଏସ୍‌ପିଜି ସଂଶୋଧନ ବିଲ୍, ଚିଟ୍‌ଫଣ୍ଡ ସଂଶୋଧନ ବିଲ୍, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ ସଂଶଧୋନ ବିଲ୍ ଗଡ଼ିକୁ ମଧ୍ୟ ବିଜେଡି ସମର୍ଥନ କରିଥିଲା।

ଚଳିତ ଶୀତ ଅଧିବେଶନରେ ରାଜ୍ୟସଭା ତୁଳନାରେ ଲୋକସଭାରେ ବିଜେଡିର ସାଂସଦମାନଙ୍କର ଉପସ୍ଥିତି ସାମାନ୍ୟ କମ୍‌ ଥିବା ସତ୍ତ୍ବେ ବିଜେଡି ସାଂସଦମାନେ ପ୍ରଶ୍ନକାଳ, ଶୂନ୍ୟକାଳ, ସ୍ବତନ୍ତ୍ର ପ୍ରତିବେଦନ, ତଥା ୧୯୩ ନିୟମ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗ ଗୁଡ଼ିକୁ ଗୃହରେ ଉପସ୍ଥାପନ କରିଥିଲେ। ବିଜେଡି ଦ୍ବାରା ଉଭୟ ଗୃହରେ ଏକାଧିକ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗ ଗୁଡ଼ିକକୁ ଉପସ୍ଥାପନ କରାଯାଇଥିଲା। ମହିଳା ସଂରକ୍ଷଣ ବିଲ୍, ପୋଲାଭରମ୍ ପ୍ରସଙ୍ଗ, ଓଡ଼ିଶାରେ ବ୍ୟାଙ୍କିଂ ଓ ଟେଲିକମୁନିକେସନ ବ୍ୟବସ୍ଥାର ସମ୍ପ୍ରସାରଣ, ଜାତୀୟ ରାଜପଥର ସମ୍ପ୍ରସାରଣ, ଫନି ସହାୟତା ପ୍ରସଙ୍ଗ, ଓଡ଼ିଶାର ଦୁଇଟି ପର୍ଯ୍ୟଟସ୍ଥଳ ପ୍ରସଙ୍ଗକୁ ଆଇକନିକ୍ ତାଲିକାରେ ସାମିଲ କରିବା, କଟକ ବାଲିଯାତ୍ରା ତଥା ବରଗଡ଼ର ଧନୁଯାତ୍ରାକୁ ଜାତୀୟ ମହୋତ୍ସବର ମାନ୍ୟତା ପ୍ରଦାନ କରିବା, ଓଡ଼ିଶାରୁ ଦୁବାଇକୁ ଆନ୍ତର୍ଜାତିକ ବିମାନ ଚଳାଚଳ ଆରମ୍ଭ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ବକେୟା ରାଶି ପ୍ରଦାନ କରିବା ତଥା ଫନି ଓ ଅଣଫନି ପ୍ରଭାବିତ ଜିଲ୍ଲାର ହିତାଧିକାରୀ ମାନଙ୍କୁ ତୁରନ୍ତ ଏଥିରେ ସାମିଲ କରିବା, ଯାଜପୁରରେ ରେଳ ଡିଭିଜନ ପ୍ରତିଷ୍ଠା କରିବା ଭଳି ପ୍ରସଙ୍ଗ ବିଜେଡି ସାଂସଦ ମାନେ ଉପସ୍ଥାପନ କରିବାରେ ସଫଳ ହୋଇପାରିଥିଲେ। ଏତଦ୍ବ୍ୟତୀତ ବିଜେଡି ଦ୍ବାରା ଉଭୟ ଗୃହରେ ସ୍ବଳ୍ପକାଳୀନ ଆଲୋଚନା ତଥା ନିୟମ ୧୯୩ ଅନ୍ତର୍ଗତ ଜଳସେଚନ ସମସ୍ୟା ଓ ଚାଷୀମାନଙ୍କର ଫସଲହାନି ସମ୍ପର୍କିତ କ୍ଷୟକ୍ଷତି ପ୍ରସଙ୍ଗ ଆଲୋଚନାରେ ଭାଗ ନେଇ ପୋଲାଭରମ୍ ପ୍ରକଳ୍ପ ତଥା ଫନି ଓ ବୁଲବୁଲ୍ ବାତ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜାତୀୟ ସ୍ତରୀୟ ପ୍ରସଙ୍ଗରେ ଦିଲ୍ଲୀର ପ୍ରଦୂଷଣ ମାମଲା ତଥା ହାଇଦ୍ରାବାଦ ଗଣବଳାତ୍କାର ମାମଲାରେ ଉଭୟ ଗୃହରେ ବିଜେଡି ସକ୍ରିୟ ଭାବେ ଆଲୋଚନାରେ ଅଂଶଗ୍ରହଣ କରି ପ୍ରଭାବଶାଳୀ ଉପସ୍ଥାପନା କରିଥିଲା।

ପ୍ରଥମଥର ପାଇଁ ରାଜ୍ୟସଭାର ଇତିହାସରେ ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମ୍ ସାନ୍ତାଳୀ ଭାଷାରେ ଭାଷଣ ଦେଇଥିଲେ। ରାଜ୍ୟସଭାର ଅଧ୍ୟକ୍ଷ, ଉପାଧ୍ୟକ୍ଷ ତଥା ସମସ୍ତ ସାଂସଦମାନେ ସରୋଜିନୀ ହେମ୍ବ୍ରମ୍‌ଙ୍କୁ ଏ ନେଇ ଭୁରିଭୁରି ପ୍ରଶଂସା କରିଥିଲେ। ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ତାଙ୍କର ଉପସ୍ଥାପନର ଶୈଳୀ ପାଇଁ ରାଜ୍ୟସଭାର ଅଧ୍ୟକ୍ଷଙ୍କ ଠାରୁ ପ୍ରଶଂସା ସାଉଁଟିଥିଲେ। ଚଳିତଶୀତ ଅଧିବେଶନରେ ଭୁବନେଶ୍ବର ଏମ୍ସ କମିଟି ସଦସ୍ୟ ରୂପେ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ନିର୍ବାଚିତ ହେବା ବେଶ ଚର୍ଚ୍ଚାର ବିଷୟ ଥିଲା। ଶେଷ ମୁହୂର୍ତ୍ତରେ ବିଜେପିର ସାଂସଦ ଅଶ୍ବିନୀ ବୈଷ୍ଣବ ପ୍ରତିଦ୍ବନ୍ଦ୍ବିତାରୁ ଓହରିଯିବାରୁ ଅମରଙ୍କୁ ସମର୍ଥନ ମିଳିଥିଲା। ଏତଦ୍ବ୍ୟତୀତ ଡାଟା ପ୍ରୋଟେକ୍ସନ୍ ବିଲ୍ ପାଇଁ ଗଠନ କରାଯାଇଥିବା ଜଏଣ୍ଟ ସିଲେକ୍ଟ କମିଟିରେ ରାଜ୍ୟସଭାରୁ ସାଂସଦ ଅମର ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା। ସୋସିଆଲ ମିଡିଆରେ ଅଶ୍ଲୀଳ ଚିତ୍ର ପ୍ରସଙ୍ଗକୁ ନେଇ ଅନୁଧ୍ୟାନ କରିବାକୁ ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ବାରା ଗଠନ କରାଯାଇଥିବା ଆଡହକ୍ କମିଟିରେ ଅମର ପଟ୍ଟନାୟକ ସଭ୍ୟ ଭାବେ ଚୟନ କରାଯାଇଥିଲା।

ସଂସଦର ଚଳିତ ଶୀତ ଅଧିବେଶନରେ ବିଜେପିର ସାଂସଦମାନେ ମଧ୍ୟ ଗୃହ ପରିଚାଳନାରେ ଯୋଗଦାନ କରିବା ସହିତ ରାଜ୍ୟ ତଥା ସେମାନଙ୍କର ସଂସଦୀୟ କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନ କରିଥିଲେ। ବିଜେପି ସାଂସଦମାନଙ୍କ ମଧ୍ୟରୁ ଏଥର ସବୁଠାରୁ ସକ୍ରିୟ ଥିଲେ ଜୁଏଲ ଓରାମ। ଶୂନ୍ୟକାଳ, ପ୍ରଶ୍ନକାଳ ତଥା ସ୍ବତନ୍ତ୍ର ପ୍ରତିବେଦନ ଅନ୍ତର୍ଗତ ତାଙ୍କ ଦ୍ବାରା ଅନେକ ପ୍ରସଙ୍ଗ ଗୃହରେ ଉପସ୍ଥାପନ କରାଯାଇଥିଲା। ଫନି ବାତ୍ୟା ସହାୟତା ପ୍ରସଙ୍ଗରେ କେନ୍ଦ୍ର ଦ୍ବାରା ଦିଆଯାଇଥିବା ସହାୟତା ରାଶିର ଖର୍ଚ୍ଚର ଷ୍ଟାଟସ୍‌ ରିପୋର୍ଟ ମାଗିବା ପାଇଁ ସେ ପ୍ରଶ୍ନ କାଳରେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏତଦ୍‌ବ୍ୟତୀତ ରାଉରକେଲା ସ୍ମାର୍ଟ ସିଟିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଆବଣ୍ଟନ କରାଯାଉଥିବା ଅର୍ଥରାଶିର ରାଜ୍ୟସରକାର ସମ୍ପୂର୍ଣ୍ଣ ରୂପେ ଖର୍ଚ୍ଚ କରିପାରୁନଥିବାର ମଧ୍ୟ ସେ ଅଭିଯୋଗ କରିବା ସହିତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିବାକୁ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ। ବିଜେପିର ଅନ୍ୟ ସାଂସଦମାନଙ୍କ ଦ୍ବାରା ନିଜ ନିଜ ସଂସଦୀୟ କ୍ଷେତ୍ରର ପ୍ରସଙ୍ଗ ଗୁଡ଼ିକ ଉପସ୍ଥାପନ କରିବା ସହିତ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ହେଉଥିବା ଅନିୟମିୟତା ମାମଲା ପ୍ରସଙ୍ଗ, ଓଡ଼ିଶାରେ ଅସମ୍ପୂର୍ଣ୍ଣ ଜଳସେଚନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟଶେଷ କରିବାରେ ରାଜ୍ୟ ସରକାରଙ୍କର ମନ୍ଥର ଗତି, ଚାଷୀମାନଙ୍କ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ ସିଷ୍ଟମ ଉଚ୍ଛେଦ କରିବା ଭଳି ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା।

ଓଡ଼ିଶାର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ଚଳିତ ଶୀତ ଅଧିବେଶନରେ ରାଜ୍ୟରେ ମହିଳା ମାନଙ୍କ ଉପରେ ଅତ୍ୟାଚାର, ଚିଟ୍‌ଫଣ୍ଟ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅତ୍ୟନ୍ତ ସ୍ପର୍ଶକାତର ସ୍ମିତାରାଣୀ ବିଶ୍ବାଳଙ୍କ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ପାଇଁ ସେ ଶୂନ୍ୟକାଳରେ ପ୍ରସଙ୍ଗକୁ ଉଠାଇଥିଲେ। ବିଜେଡି ଦ୍ବାରା ତାଙ୍କୁ ଗୃହରେ ବିରୋଧର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥିଲା। ପୁରୀ ଦୁର୍ଷ୍କମ ପ୍ରସଙ୍ଗର ଗୃହରେ ଆଲୋଚନା ପାଇଁ ସେ ମୁଲତବୀ ନୋଟିସ୍ ମଧ୍ୟ ଦେଇଥିଲେ, ଯାହାକି ବାଚସ୍ପତି ଓମ୍‌ ବିର୍ଲାଙ୍କ ଦ୍ବାରା ଖାରଜ କରି ଦିଆଯାଇଥିଲା।

ଚଳିତ ବଜେଟ୍ ଅଧିବେଶନରେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ- ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସେମାନଙ୍କର ମନ୍ତ୍ରାଳୟ ସମ୍ପର୍କିତ ସାଂସଦମାନଙ୍କ ଦ୍ବାରା ତାରକା, ଅଣତାରକା ତଥା ମୌଖିକ ପ୍ରଶ୍ନର ଉତ୍ତର ଗୃହରେ ରଖିଥିଲେ। ଗତ ଅଧିବେଶନରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ୫ଟି ଭାଷାରେ ଭାଷଣ ଦେଇ ଖବର କାଗଜର ଶିରୋନାମା ପାଲଟିଥିବା ବେଳେ ଚଳିତ ଶୀତ ଅଧିବେଶନରେ ସଂସଦକୁ ସାଇକେଲ ଚଳାଇ ଆସିବା ଚର୍ଚ୍ଚାର ବିଷୟ ପାଲଟିଥିଲା।

ଅପରପକ୍ଷେ ଚଳିତ ଶୀତ ଅଧିବେଶନରେ ଓଡ଼ିଶା ବିଧାନ ପରିଷଦ ବିଲ୍ ଆଗତ ହୋଇ ପାରିନଥିଲା। ଯେଉଁଥିପାଇଁ ବିଜେଡି କୁ ନିରାଶ ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର