ଆଜି ବି ଚାଲିପାରିଲାନି ଗୃହକାର୍ଯ୍ୟ

ସଂସଦରେ ଚିଟ୍‌ଫଣ୍ଡ୍‌ ସଂଶୋଧନ ବିଲ୍‌ ସହ ପଳାତକ ଆର୍ଥିକ ଅପରାଧୀ ବିଲ୍‌ ଆଗତ

ନୂଆଦିଲ୍ଲୀ: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ସପ୍ତାହ କାର୍ଯ୍ୟ ଆଜି ଆରମ୍ଭ ହୋଇଥିବା ବେଳେ ବିରୋଧୀଙ୍କ ହଟ୍ଟଗୋଳ ଓ ହଙ୍ଗମା ଯୋଗୁଁ ଗୃହକାର୍ଯ୍ୟ ଠିକ୍‌ରେ ଚାଲିପାରିନାହିଁ। ଆଜି ରାଜ୍ୟସଭାରେ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଟିଡିପି ଏବଂ ଓ୍ଵାଇଏସ୍‌ଆର୍‌ ସାଂସଦମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଉପରାଷ୍ଟ୍ରପତି ଗୃହକୁ ପ୍ରଥମେ ୨ଟା ଯାଏ ଏବଂ ପରେ ସାରା ଦିନ ପାଇଁ ମୁଲତବୀ ଘୋଷଣା କରିଥିଲେ। ସେହିପରି ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ଚିଟ୍‌ଫଣ୍ଡ୍‌ ସଂଶୋଧନ ବିଲ୍‌ ଓ ପଳାତକ ଆର୍ଥିକ ଅପରାଧୀ ବିଲ୍‌ ଆଗତ ହେବା ପରେ ବିରୋଧୀ ଦଳ ଗୃହର ମଧ୍ୟଭାଗକୁ ଆସି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲେ।

ଦିନ ୧୨ଟା ଯାଏ ଗୃହକୁ ବାଚସ୍ପତି ସୁମିତ୍ରା ମହାଜନ ମୁଲତବୀ କରିବା ପରେ ପୁଣି ଗୃହକାର୍ଯ୍ୟ ଚାଲିଥିଲା। ଏହି ଦୁଇ ବିଲ୍‌ ଉପରେ ଆଲୋଚନା ହେଉଥିବା ବେଳେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ପୁଣି ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ଶାସକ ବିଜେପି ଓ ଏହାର ମେଣ୍ଟ ସହଯୋଗୀ ଦଳଗୁଡ଼ିକ ଉଭୟ ଲୋକସଭା ଓ ରାଜ୍ୟସଭାରେ କୌଣସି ପ୍ରକାର ବିରୋଧ ପ୍ରଦର୍ଶନ କରୁନଥିବା ବେଳେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ସପ୍ତାହ ବରବାଦ ହୋଇଯାଇଥିଲା।

ସମ୍ବନ୍ଧିତ ଖବର