ପାସ୍‌ପୋର୍ଟ କାରସାଦି: ଭାରତୀୟ ପରିଚୟରେ ବିଦେଶ ବୁଲୁଛନ୍ତି ଶ୍ରୀଲଙ୍କା ତାମିଲ

ଚେନ୍ନାଇ: ଶ୍ରୀଲଙ୍କାର ତାମିଲ ସମ୍ପ୍ରଦାୟ ଲୋକମାନେ ଏବେ ଭାରତୀୟ ପରିଚୟରେ ବିଦେଶରେ ବୁଲିପାରୁଛନ୍ତି। ଅଷ୍ଟ୍ରେଲିଆଠାରୁ ଆରମ୍ଭ କରି ଆମେରିକା ଓ ୟୁରୋପ ବିନା କୌଣସି ସମସ୍ୟାରେ ବୁଲାବୁଲି କରିପାରୁଛନ୍ତି। ଏକ ହାଇପ୍ରୋଫାଇଲ୍‌ ପାସ୍‌ପୋର୍ଟ ର‍୍ୟାକେଟ୍‌ ସହାୟତାରେ ସେମାନେ ଏଭଳି ସୁବିଧା ପାଉଛନ୍ତି। ବିଭିନ୍ନ ଟ୍ରାଭେଲ୍‌ ଏଜେଣ୍ଟ, ଗୁଇନ୍ଦା ଅଧିକାରୀ ଏବଂ ଡାକ ବିଭାଗର କିଛି ଲାଞ୍ଚଖୋର କର୍ମଚାରୀଙ୍କୁ ହାତ କରି ଏହି ର‍୍ୟାକେଟ୍‌ ବେଆଇନ ଭାବେ ପାସ୍‌ପୋର୍ଟ ଯୋଗାଇ ଦେଉଛି। ଏମିତି କି ବିଦେଶୀଙ୍କୁ ବି ଏହା ଅସଲ ପାସ୍‌ପୋର୍ଟ ଯୋଗାଇବାରେ କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ୩ ଲକ୍ଷରୁ ୫ ଲକ୍ଷ ଟଙ୍କା ନେଇ ଏହା ଭାରତୀୟ ପାସ୍‌ପୋର୍ଟ ଯୋଗାଇ ଦେଉଛି। ଅତ୍ୟାଧୁନିକ ପ୍ରଯୁକ୍ତି ଉପରେ ବିଶେଷ ଜ୍ଞାନ ହାସଲ କରି ଏହି ର‍୍ୟାକେଟ୍‌ ଚେନ୍ନାଇରେ ଗତ କିଛି ଦଶନ୍ଧି ହେଲା ସକ୍ରିୟ ରହିଆସିଛି। ବିଶେଷକରି ଶ୍ରୀଲଙ୍କାର ତାମିଲ ସମ୍ପ୍ରଦାୟ ଲୋକମାନେ ବେଶ୍‌ ଉପକୃତ ହେଉଛନ୍ତି।

କେନ୍ଦ୍ରୀୟ କ୍ରାଇମ୍‌ ବ୍ରାଞ୍ଚ୍‌ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଏହି ର‍୍ୟାକେଟ୍‌ର ପର୍ଦ୍ଦାଫାସ କରାଯାଇଛି। ଅଧିକ ତଦନ୍ତରୁ ଜଣାଯାଇଛି ଏହି ର‍୍ୟାକେଟ୍‌ ପ୍ରାୟ ୩ ଦଶନ୍ଧି ଧରି ଏଭଳି ବେଆଇନ ଭାବେ ଶ୍ରୀଲଙ୍କାର ଲୋକମାନଙ୍କୁ ଅସଲ ଭାରତୀୟ ପାସ୍‌ପୋର୍ଟ ଯୋଗାଇ ଦେଉଛି। ର‍୍ୟାକେଟ୍‌ରେ ସାମିଲ ଥିବା ୧୪ ଜଣଙ୍କୁ ଅଟକ ରଖି ପୁଲିସ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରୁଛି। ତଦନ୍ତରୁ ମିଳିଥିବା ସୂଚନାରୁ ଜଣାଯାଇଛି ଯେ ଗୁଇନ୍ଦା ସଂସ୍ଥାର ୪୯ ବର୍ଷୀୟ କନେଷ୍ଟବଳ କେ ମୁରୁଗାନ୍‌ ଓ ୫୬ ବର୍ଷୀୟ ପୋଷ୍ଟମ୍ୟାନ୍‌ ଧନଶେଖରନ୍‌ ବର୍ଷ ବର୍ଷ ଧରି ଟ୍ରାଭେଲ୍‌ ଏଜେଣ୍ଟଙ୍କ ସହ ସଲାସୁତରାରେ ୧୫ରୁ ଅଧିକ ଲୋକଙ୍କୁ ପାସ୍‌ପୋର୍ଟ ପ୍ରଦାନ କରିଛନ୍ତି। ଯେଉଁମାନଙ୍କ ନିକଟରେ ବୈଧ ଠିକଣା କିମ୍ବା ଅନ୍ୟ ପରିଚୟ ପ୍ରମାଣପତ୍ର ନାହିଁ ସେମାନଙ୍କୁ ବେଆଇନ ଭାବେ ପାସ୍‌ପୋର୍ଟ ଯୋଗାଇ ଦେଇଛନ୍ତି। ତେବେ ପୁଲିସ ଏମାନଙ୍କ କାରସାଦି ଧରିବା ପରେ ଚେନ୍ନାଇରେ ଏକ ବଡ଼ ର‍୍ୟାକେଟ୍‌ କାର୍ଯ୍ୟ କରୁଥିବା ନେଇ ଜାଣିବାକୁ ପାଇଥିଲା। ଅଷ୍ଟ୍ରେଲିଆ ଭ୍ରମଣ କରିପାରୁ ନ ଥିବା ଶ୍ରୀଲଙ୍କାର ତାମିଲ ସମ୍ପ୍ରଦାୟ ଲୋକଙ୍କୁ ଏମାନେ ବେଧଡ଼କ ପାସ୍‌ପୋର୍ଟ ଯୋଗାଇଥିବା ଜଣାଯାଇଛି। ଏ ନେଇ ପୁଲିସ ତନାଘନା ଚଳାଇଛି।

ସମ୍ବନ୍ଧିତ ଖବର