ପଥଲଗଡ଼ି ସମର୍ଥକଙ୍କ ଦ୍ବାରା ୭ ଜଣଙ୍କୁ ହତ୍ୟା: ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ହେମନ୍ତ ସୋରେନ୍‌

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଗତ ମଙ୍ଗଳବାର ରାତିରେ ୭ ଜଣଙ୍କୁ ଅପହରଣ ପ‌ରେ ହତ୍ୟା କରାଯାଇଥିଲା। ପଥଲଗଡ଼ି ଆନ୍ଦୋଳନର ସମର୍ଥକମାନେ ଲାଠି ଏବଂ କୁରାଢ଼ି ଦ୍ବାରା ୭ ଜଣ ଗ୍ରାମବାସୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ। ରାଞ୍ଚିଠାରୁ ୧୭୫ କିମି ଦୂର ବୁରୁଗୁଲିକେରାରେ ଏହି ଭୟଙ୍କର ଘଟଣା ଘଟିଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଉକ୍ତ ଘଟଣାରେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେଉଁ କାରଣ ପାଇଁ ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରାଗଲା ତା’ର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିବାକୁ ହେମନ୍ତ ‌ସୋରେନ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ନବ ନିର୍ବାଚିତ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉକ୍ତ ଗଣହତ୍ୟା ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିବାସହ ଘଟଣାସ୍ଥଳକୁ ଏକ ୬ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍‌ ପଠାଇଛନ୍ତି। ଏହି ଟିମ୍‌ ସପ୍ତା‌ହେ ମଧ୍ୟରେ ରିପୋର୍ଟ ଦାଖଲ କରିବେ ବୋଲି ନଡ୍ଡା କହିଛନ୍ତି। ପୁଲିସ ଆଇଜି ସ‌କେତ କୁମାର ସିଂହ କହିଛନ୍ତି, ହତ୍ୟା ପରେ ହତ୍ୟାକାରୀମାନେ ମୃତ ଶରୀରକୁ ନିକଟସ୍ଥ ଜଙ୍ଗଲରେ ଫୋପାଡ଼ି ଦେଇଥିଲେ। ଜଣେ ପଞ୍ଚାୟତ ପ୍ରତିନିଧି ମଧ୍ୟ ହତ୍ୟାର ଶିକାର ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ପଥଲଗଡ଼ି ଆନ୍ଦୋଳନ ନେଇ ଗତ ମଙ୍ଗଳବାର ଗ୍ରାମରେ ଏକ ବୈଠକ ଚାଲିଥିବାବେଳେ ବିବାଦ ଉପୁଜିଥିଲା। ପଥଲଗଡ଼ି ସମର୍ଥକମାନେ ସେମାନଙ୍କ ଆନ୍ଦୋଳନକୁ ବିରୋଧ କରିଥିବା ୭ ଜଣଙ୍କୁ ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର