ପଠାନକୋଟ୍‌ ଆକ୍ରମଣ, ୨ ବର୍ଷ ୧୧ ମାସ ପରେ…

ନୂଆଦିଲ୍ଲୀ: ପଠାନକୋଟ ବାୟୁସେନା ଘାଟି ଉପରେ ଆକ୍ରମଣର ୨ ବର୍ଷ ୧୧ ମାସ ପରେ ପାକ୍‌ ଆତଙ୍କବାଦୀମାନେ ପୁଣି ପଂଜାବକୁ ଟାର୍ଗେଟ୍‌ କରିଛନ୍ତି। କଶ୍ମୀରରେ ସୁରକ୍ଷା ବାହିନୀର ଅପରେସନ୍‌ ଅଲ୍‌ ଆଉଟ୍‌ ଯୋଗୁଁ ଅନେକ ଆତଙ୍କବାଦୀ ଏବେ ଛତ୍ରଭଂଗ ଦେଇ ପଂଜାବ ପଳାଇ ଆସିଛନ୍ତି। ଜୈଶ କମାଣ୍ଡର ଜାକିର୍‌ ମୁସା ମଧ୍ୟ ଏବେ ଅମୃତସରରେ ଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ୨୦୧୬ରେ ପାକିସ୍ତାନୀ ଆତଙ୍କବାଦୀମାନେ ପଂଜାବର ପଠାନକୋଟ ସ୍ଥିତ ବାୟୁସେନା ଘାଟିରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ। ଜୈଶ ଏ ମହମ୍ମଦ ଏବଂ ଲସ୍କର ସଂଗଠନର ପ୍ରାୟ ୬ ଜଣ ଆତଙ୍କବାଦୀ ବାୟୁସେନା ଘାଟିରେ କରିଥିବା ଆତ୍ମଘାତୀ ଆକ୍ରମଣରେ ୬ ଜଣ ସୁରକ୍ଷା କର୍ମୀ, ଜଣେ ସାଧାରଣ ନାଗରିକ ସହିଦ ହୋଇଥିବା ବେଳେ ୨୦ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ସମସ୍ତ ୬ ଆତଙ୍କବାଦୀ ନିପାତ ହୋଇଥିଲେ। ଜାନୁଆରି ୨ ତାରିଖରୁ ଆତଙ୍କବାଦୀଙ୍କ ଆକ୍ରମଣ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ବାହିନୀର ଅପରେସନ ଜାନୁଆରି ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପଠାନକୋଟ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ବାୟୁସେନା ସହାୟତାରେ ସ୍ଥଳସେନାର ବିଶାଳ କମ୍ବି˚ ଅପରେସନ ଏବ˚ ଏଲଓସିରେ ଭୟଙ୍କର ଗୁଳିଗୋଳା ବର୍ଷା ଯୋଗୁଁ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା। ପାକିସ୍ତାନ ଭିତରେ ପଶି ଆତଙ୍କବାଦୀ ଶିବିର ଧ୍ବସ୍ତ କରିବାକୁ ସେନାବାହିନୀ ସରକାରଙ୍କ ଅନୁମତି ଲୋଡ଼ିବା ପରେ ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ଆଶଙ୍କା ଉପୁଜିଥିଲା। ପଠାନକୋଟ ଆକ୍ରମଣ ଭାରତୀୟ ସେନାର ରଣନୀତିକୁ ବଦଳାଇବା ପାଇଁ ବାଧୢ କରିଥିଲା। ପଡେ଼ାଶୀ ରାଷ୍ଟ୍ରର ଷଡ଼ଯନ୍ତ୍ରକୁ ପଣ୍ତ କରିବା ପାଇଁ ସୁରକ୍ଷା ଅଧିକାରୀମାନେ ବିଭିନ୍ନ ପ୍ରସ୍ତାବ କାର୍ଯ୍ୟକାରୀ କରିଥିଲେ। ଏବେ ଆତଙ୍କବାଦୀମାନେ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ଆଧ୍ୟାତ୍ମ ସ୍ଥଳକୁ ଟାର୍ଗେଟ୍‌ କରିଥିବାରୁ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର