ନାବାଳକର କେଶ କାଟିବା ଘଟଣା : ଲକ୍ଷେ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ପ୍ରକଳ୍ପ ଉପ ପ୍ରାଥମିକ ବିଦ୍ୟାଳୟର ୧୪ ବର୍ଷର ଛାତ୍ର ବିରାଜ ମାଝିଙ୍କ କେଶ କାଟିବା ସହ ଅଧା ଲଣ୍ଡା କରିଥିଲେ ଜଣେ ଶିକ୍ଷୟିତ୍ରୀ। ଏହି ମାମଲାରେ ଶିକ୍ଷୟିତ୍ରୀ ଜଣକ ନାବାଳକଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ବୋଲି ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରେଣୀରେ ଶିକ୍ଷୟିତ୍ରୀଙ୍କ ଦ୍ୱାରା ନାବାଳକ ବିରଜା ମାଝିଙ୍କୁ କେଶ କାଟିବା ଓ ନିର୍ଯାତନା ଦେବା ଅଭିଯୋଗରେ ବିଲେଇଗଡ଼ ବାସିନ୍ଦା ଓ ଆଦିବାସୀ କାର୍ତ୍ତିକ ମାଝିଙ୍କ ଦ୍ୱାରା ରାଜଗାଙ୍ଗପୁର ପୁଲିସ ଷ୍ଟେସନ୍‌ରେ ଏଫଆଇଆର ରୁଜୁ କରାଯାଇଥିଲା। ଶିକ୍ଷୟିତ୍ରୀଙ୍କ ଏଭଳି କାର୍ଯ୍ୟକଳାପ ଲାଗି ନାବାଳକଙ୍କ ମାନବାଧିକାର କ୍ଷୁଣ୍ଣ ହୋଇଥିବା ଅଭିଯୋଗ କରି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଜଣାଶୁଣା ମାନବାଧିକାର କର୍ମୀ ଏନ୍‌ଏଚଆରସିରେ ପିଟିସନ୍‌ ଦାଖଲ କରିଥିଲେ। ଏହାପରେ ଏନ୍‌ଏଚଆରସି ରାଜ୍ୟ ସରକାରଙ୍କୁୁ ଏ ନେଇ ରିପୋର୍ଟ ତଲବ କରିଥିଲେ। ରାଜ୍ୟ ସରକାରଙ୍କ ପାଖରୁ ଜବାବ ମିଳିବା ପରେ ଏବଂ ସମସ୍ତ ତଥ୍ୟ ଅନୁଧ୍ୟାନ କରିବା ପରେ କ୍ଷତିପୂରଣ ବାବଦରେ ନାବାଳକଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରି ଏ ସଂକ୍ରାନ୍ତ ରିପୋର୍ଟ ୪ ସପ୍ତାହରେ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ନିର୍ଦ୍ଧାରିତ ସମୟ ଅବଧିରେ କ୍ଷତିପୂରଣ ପୈଠ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବା ପରେ ଏନ୍‌ଏଚଆରସି ଶେଷ ରିମାଇଣ୍ଡର ପଠାଇ ମୁଖ୍ୟ ଶାସନ ସଚିବଙ୍କୁ କ୍ଷତିପୂରଣ ପ୍ରଦାନ ଆଦେଶ କାର୍ଯ୍ୟକାରୀ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ କହିଛନ୍ତି।

ସମ୍ବନ୍ଧିତ ଖବର