ଦିଲ୍ଲୀ ହିଂସାକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦୀ : ଶାନ୍ତି ଏବଂ ଭାଇଚାରା ବଜାୟ ରଖିବା ପାଇଁ ଅପିଲ୍ କଲେ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷରୁ ସୃଷ୍ଟି ହୋଇଥିବା ହିଂସା ଯୋଗୁଁ ପରିସ୍ଥିତି ଅସମ୍ଭାଳ ହୋଇଯାଇଛି। ଗତ ୩ ଦିନ ମଧ୍ୟରେ ହିଂସାରେ  ଉତ୍ତର-ପୂର୍ବ ଦିଲ୍ଲୀରେ ୨୧ ଜଣ ନିହତ ହୋଇଛନ୍ତି। ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଦିଲ୍ଲୀବାସୀଙ୍କୁ ଶାନ୍ତି ରକ୍ଷା ଲାଗି ଅପିଲ୍ କରିଛନ୍ତି। ମୁଁ  ଦିଲ୍ଲୀର ଭାଇ-ଭଉଣୀମାନଙ୍କୁ ସବୁ ସମୟରେ ଶାନ୍ତି ଏବଂ ଭାଇଚାରା ବଜାୟ ରଖିବା ପାଇଁ ଅପିଲ କରୁଛି। ବର୍ତ୍ତମାନ ସମୟରେ ସ୍ଥିତି ସ୍ବାଭାବିକ ହେବା ଏବଂ ଶାନ୍ତି ଫେରିବା ସବୁଠାରୁ ଗୁରୂତ୍ବପୂର୍ଣ୍ଣ ବୋଲି ଲେଖିଛନ୍ତି ମୋଦୀ।

ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପରିସ୍ଥିତି କିପରି ଅଛି ତାହାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କଲି।  ପୁଲିସ ଏବଂ ଅନ୍ୟ ସୁରକ୍ଷା ସଂସ୍ଥାମାନେ ସ୍ଥିତିକୁ ସ୍ବାଭାବିକ କରିବାରେ ଲାଗି ପଡ଼ିଛନ୍ତି ବୋଲି ଅନ୍ୟ ଏକ ଟୁଇଟରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ସୂଚନା ମୁତାବକ, ନାଗରିକତା ସଂଶୋଧନ ଆଇନକୁ ନେଇ ଗତ ରବିବାରଠାରୁ ଆରମ୍ଭ ହୋଇଥିବା ହିଂସା ମଙ୍ଗଳବାର ରାତି ପର୍ଯ୍ୟନ୍ତ ତୀବ୍ର ଭାବେ ଚାଲିଥିବା ବେଳେ ଏହି ହିଂସାରେ ପ୍ରାୟ ୨୧ଜଣ ପ୍ରାଣ ହରାଇ ସାରିଛନ୍ତି। ସ୍ଥିତି ଗମ୍ଭୀର ହେବାରୁ ଘଟଣାସ୍ଥଳରେ କେନ୍ଦ୍ରୀୟ ରିଜର୍ବ ପୁଲିସ ବଳ, ସଶସ୍ତ୍ର ପୁଲିସ ବଳ, କେନ୍ଦ୍ରୀୟ ଔଦ୍ୟଗିକ ସୁରକ୍ଷା ବଳ ଗୋକୁଲପୁରୀର ଭାଗିରଥୀ ବିହାରରେ ଫ୍ଲାଗ୍ ମାର୍ଚ୍ଚ କରିଥିଲେ। ଏହା ସହ ସ୍ଥିତିକୁ ଆୟତ୍ତରେ ରଖିବା ପାଇଁ ଆଇଟିବିପି, ବିଏସଏଫ୍ ଏବଂ ସିଆରପିଏଫ୍ ସମେତ ଅର୍ଦ୍ଧସୈନିକ ବଳର ୪୫ଟି କମ୍ପାନିକୁ ମୁତୟନ କରାଯାଇଛି।

ଅନ୍ୟ ପକ୍ଷରେ ହିଂସାରେ ୨୧ଜଣଙ୍କର ପ୍ରାଣ ଯିବା ପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ଦିଲ୍ଲୀରେ ବର୍ତ୍ତମାନ ଯେଭଳି ଅବସ୍ଥା ଲାଗିରହିଛି ତାହା ଚିନ୍ତାଜନକ। ଯେଉଁ ଭଳି ଷଡ଼ଯନ୍ତ୍ର ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇଛି ଏଥିପାଇଁ ବିଜେପି ନେତାଙ୍କ ଉତ୍ତେଜିତ ଭାଷଣ ହିଁ ଦାୟୀ। ଦିଲ୍ଲୀ ନିର୍ବାଚନ ସମୟରେ ବିଜେପି ନେତାଙ୍କ ଉତ୍ତେଜିତ ଭାଷଣ ଲୋକଙ୍କ ମଧ୍ୟରେ ହିଂସା ଓ ଅସହିଷ୍ଣୁ ଭାବନା ବ୍ୟାପିବାରେ ସହାୟକ ହୋଇଥିଲା । ଦିଲ୍ଲୀର ସ୍ଥିତି ପାଇଁ କେନ୍ଦ୍ର ସରକାର ଓ ଗୃହ ମନ୍ତ୍ରୀ ଅମିତ ଶାହା ହିଁ ଦାୟୀ। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦରୁ ଶାହା ଇସ୍ତଫା ଦେବା କଥା ବୋଲି ସୋନିଆ କହିଛନ୍ତି।

ସମ୍ବନ୍ଧିତ ଖବର