ଟ୍ରମ୍ପ୍‌ଙ୍କ ଘୋଷଣାରେ ପେଣ୍ଟାଗନ୍‌ ବିସ୍ମିତ : ଉତ୍ତର କୋରିଆ ବିରୋଧରେ କଟକଣା ହଟାଇବାକୁ ଟ୍ରମ୍ପ୍‌ଙ୍କ ସଙ୍କେତ

ଓ୍ଵାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଗତକାଲି ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ସହିତ ଆଲୋଚନା କରିବା ପରେ କୋରିଆ ଉପଦ୍ୱୀପରେ ସାମରିକ ଅଭ୍ୟାସ ବନ୍ଦ କରିବାକୁ କରିଥିବା ଘୋଷଣା ଆମେରିକା ପ୍ରତିରକ୍ଷା ବିଭାଗକୁ ମଧ୍ୟ ବିସ୍ମୟରେ ପକାଇଛି। ଆମେରିକା ପ୍ରତିରକ୍ଷା ବିଭାଗ ମୁଖ୍ୟାଳୟ (ପେଣ୍ଟାଗନ୍‌)ରେ ଆଜି ଏ ବାବଦରେ ସମୀକ୍ଷା କରାଯାଇଛି ଏବଂ ଏ ନେଇ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ମଧ୍ୟ ଟ୍ରମ୍ପ୍‌ଙ୍କ ଏହି ଘୋଷଣାରେ ସ୍ତବ୍ଧ ହୋଇଯାଇଛି। ଆମେରିକାର ୩୦ ହଜାର ସୈନ୍ୟ ଏବେ ଦକ୍ଷିଣ କୋରିଆରେ ଅବସ୍ଥାପିତ ଅଛନ୍ତି ଏବଂ ବିଭିନ୍ନ ପର୍ଯ୍ୟାୟରେ ସମରାଭ୍ୟାସ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏଭଳି ସ୍ଥିତିରେ ଟ୍ରମ୍ପ୍‌ଙ୍କ ଏହି ଘୋଷଣା ଉଭୟ ଦେଶକୁ ଅଡ଼ୁଆରେ ପକାଇଛି। ଅନ୍ୟପକ୍ଷରେ ଆଜି ଟ୍ରମ୍ପ୍‌ ଆମେରିକାରେ ପହଞ୍ଚିବା ପରେ କହିଛନ୍ତି ଯେ ଉତ୍ତର କୋରିଆ ପଟୁ ଆମେରିକା ପ୍ରତି ଆଉ କୌଣସି ବିପଦ ନାହିଁ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଉତ୍ତର କୋରିଆ ସଂପୂର୍ଣ୍ଣ ପରମାଣୁ ଅସ୍ତ୍ର ମୁକ୍ତ ରାଷ୍ଟ୍ର ହେବ। ଉତ୍ତର କୋରିଆ ବିରୋଧରେ ଲାଗୁ ହୋଇଥିବା କଠୋର ଆର୍ଥିକ କଟକଣା ମଧ୍ୟ ହଟାଇବା ପାଇଁ ଆଜି ଟ୍ରମ୍ପ୍‌ ସଙ୍କେତ ଦେଇଛନ୍ତି। ସଂପୂର୍ଣ୍ଣ ପରମାଣୁ ନିରସ୍ତ୍ରୀକରଣ ପାଇଁ କିମ୍‌୍‌ଙ୍କ ନିର୍ଭର ପ୍ରତିଶ୍ରୁତି ଏବଂ ଚୁକ୍ତି ପତ୍ରରେ ସ୍ୱାକ୍ଷର କରିବା ଦେଖି ଏଥିରେ ପ୍ରଭାବିତ ହୋଇ ଟ୍ରମ୍ପ୍‌ ଏ ବାବଦରେ ତତ୍କାଳ ନିଷ୍ପତ୍ତି ନେଇଥିବା କୁହାଯାଇଛି । ଦକ୍ଷିଣ କୋରିଆରେ ଅବସ୍ଥାପିତ ଆମେରିକୀୟ ସେନା ୨୦୧୫ରୁ ସାମରିକ ଅଭ୍ୟାସ ଜାରି ରଖିଥିବାରୁ ଟ୍ରମ୍ପ୍‌ଙ୍କ ଘୋଷଣା ପରେ ଏବେ ସେନା ପ୍ରତ୍ୟାହାର ନେଇ ମଧ୍ୟ ଖୁବ୍‌୍‌ଶୀଘ୍ର ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି । ତେବେ ଏ ବାବଦରେ ପେଣ୍ଟାଗନ କୌଣସି ନିଷ୍ପତ୍ତି ନେଇପାରୁ ନଥିବାରୁ ଦକ୍ଷିଣ କୋରିଆରେ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର