ଟ୍ରକ କଣ୍ଟେନରରେ ସହରରୁ ଗାଁକୁ ଆସୁଛନ୍ତି ଲୋକ

ରାଞ୍ଚି: ଲକଡାଉନ ସମୟରେ ସରକାର ଯେଭଳି ଅତ୍ୟାବଶ୍ୟକ ସାମଗ୍ରୀର ସଙ୍କଟ ନ ହେବ ସେଥିପାଇଁ ଟ୍ରକ ଯୋଗେ ମାଲ ପରିବହନକୁ ଅନୁମତି ଦେଇଛନ୍ତି | ତେବେ ସରକାରଙ୍କ ଏହି ଅନୁମତିକୁ କିଛି ଲାଭଖୋର ଟ୍ରକ ବ୍ୟବସାୟୀ ଭିନ୍ନ ଢଙ୍ଗରେ ନେଇଛନ୍ତି | ମାଲ ବା ଅତ୍ୟାବଶ୍ୟକ ସାମଗ୍ରୀ ବଦଳରେ ଲୋକ ପରିବହନ କରାଯାଉଥିବାର ଦେଖିବାକୁ ମିଳିଛି | ଆଜି ପୁଲିସ ଏମିତି ଏକ ଟ୍ରକକୁ ଜବତ କରିଛି ଯେଉଁଥିରେ ବେନିୟମ ଭାବରେ ଲୋକମାନେ ଆସୁଥିଲେ | ମିଳିଥିବା ସୂଚନା ମୁତାବକ ଆଜି ଝାଡ଼ଖଣ୍ଡର ଲୋହରଡାଗାରେ ସହରାଞ୍ଚଳ ପୁଲିସ ଏକ ଦ୍ରୁତ ଗତିଶୀଳ କଣ୍ଟେନର ଟ୍ରକକୁ ଅଟକାଇଥିଲା। ଏହା ପରେ ଡ୍ରାଇଭରକୁ ଉକ୍ତ କଣ୍ଟେନର ଖୋଲିବାକୁ ପୁଲିସ ନିର୍ଦ୍ଦେଶ ଦେଇଥିଲା। ଡ୍ରାଇଭର ଜଣକ ନ ଖୋଲିବାକୁ ବାରମ୍ବାର କହିଥିଲେ ବି ପୁଲିସ ବାବୁଙ୍କ ଚାପ ପରେ ଡ୍ରାଇଭର କଣ୍ଟେନରକୁ ଖୋଲିଥିଲା | ଯେତେବେଳେ କଣ୍ଟେନର ଖୋଲାଯାଇଥିଲା, ସେଠାରେ ୨୦ ଜଣ ଲୋକ ଥିଲେ | ଯାହାକୁ ନେଇ ପୁଲିସ ମଧ୍ୟ ତାଜୁବ ହୋଇଯାଇଥିଲା | ପଚରାଉଚରାବେଳେ ଜଣାପଡିଥିଲା ​​ଯେ ସମସ୍ତ ଲୋକ ଗିରିଡିହ ଅଂଚଳର ହୋଇଥିବାବେଳେ ମହାରାଷ୍ଟ୍ର ପୁନେରେ କାମ କରୁଥିଲେ | ଲକଡାଉନ ସ୍ଥିତିରେ ସେମାନେ ଏହି କଣ୍ଟେନରରେ ନିଜ ଅଂଚଳକୁ ଆସୁଥିଲେ | ଶେଷରେ ପୁଲିସ ପକ୍ଷରୁ ଏମାନଙ୍କୁ ଛଡାଯାଇଥିଲା, ଏହା ପରେ ସ୍ୱାସ୍ଥ୍ୟ ବିଭାଗ ଦଳ ସେହି ଯାତ୍ରୀମାନଙ୍କୁ ଯାଞ୍ଚ କରିଥିଲା ।

ସମ୍ବନ୍ଧିତ ଖବର